ଭାରତୀୟ ସେନା ଅତ୍ୟନ୍ତ ଧର୍ମନିରପେକ୍ଷ : ସେନାଧ୍ୟକ୍ଷ

ନୂଆଦିଲ୍ଲୀ : ଭାରତୀୟ ସୈନ୍ୟବାହିନୀ ଅତ୍ୟନ୍ତ ଧର୍ମନିରପେକ୍ଷ। ମାନବାଧିକାର ସୁରକ୍ଷାକୁ ଏହା ସର୍ବାଧିକ ସମ୍ମାନ ଦେଇଥାଏ। ‘ଇନ୍‌ସାନିୟତ୍‌’ ବା ମାନବବାଦ ଓ ‘ସରାଫତ୍‌’ ବା ସିଷ୍ଟତା ହେଉଛି ଏହାର ମୂଳମନ୍ତ୍ର। ଭାରତୀୟ ସେନା ଶୃଙ୍ଖଳାରେ ଅତୁଳନୀୟ। ତେବେ ପରିବର୍ତ୍ତିତ ପରିସ୍ଥିତି ଓ ଆଧୁନିକ ଯୁଦ୍ଧକୌଶଳ ଏବେ ସେନା ପ୍ରତି ଆହ୍ବାନ ହୋଇଛି। ଜାତୀୟ ମାନବାଧିକାର ଆୟୋଗଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ଏହା କହିଛନ୍ତି। ଗୁରୁବାର ନାଗରିକତ୍ବ ଆଇନ ବିରୋଧରେ ହେଉଥିବା ହିଂସାକାଣ୍ଡ ପରିପ୍ରେକ୍ଷୀରେ ରାଜନୈତିକ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିବା ଜେନେରାଲ ରାୱତଙ୍କ ସ୍ବର ଶୁକ୍ରବାର ଭିନ୍ନ ପରିଲକ୍ଷିତ ହୋଇଛି। ହିଂସାକାଣ୍ଡକୁ ଉସୁକାଉଥିବା ନେତାଙ୍କର ନେତାପଣିଆ ନାହିଁ ଓ ସେମାନେ ବାସ୍ତବ ନେତା ନୁହନ୍ତି ବୋଲି ମନ୍ତବ୍ୟ ଦେଇଥିଲେ। ଏହା ତାଙ୍କ ପଦମର୍ଯ୍ୟାଦାର ପରିପନ୍ଥୀ ଦର୍ଶାଇ ବିଭିନ୍ନ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ସମାଲୋଚନା କରିଥିଲେ।

Comments are closed.