ଚୀନ ସୈନ୍ୟଙ୍କୁ କଡ଼ା ଟକ୍କର ଦେଇଥିବା ଭାରତୀୟ ଯବାନଙ୍କୁ ଭେଟି ସମ୍ମାନିତ କଲେ ସେନାମୁଖ୍ୟ

ଲଦାଖ: ଭାରତ-ଚୀନ ସୀମାରେ ଲଦାଖର ଗଲୱାନ ଘାଟିରେ ଗତ ୧୫ ତାରିଖ ରାତିରେ ଦୁଇଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ। କିନ୍ତୁ ଭାରତୀୟ ଯବାନମାନେ ଚୀନ ସୈନ୍ୟଙ୍କୁ ମୁହଁତୋଡ ଜବାବ ଦେଇଥିଲେ। ଚୀନ ସୈନ୍ୟଙ୍କୁ କଡ଼ା ଟକ୍କର ଦେଇଥିବା ଏହି ଯବାନମାନଙ୍କୁ ବୁଧବାର ସେନାମୁଖ୍ୟ ଏମ. ଏମ. ନରୱଣେ ସମ୍ମାନିତ କରିଛନ୍ତି। ନରୱଣେଙ୍କ ଲଦାଖ ଗସ୍ତର ବୁଧବାର ୨ୟ ଦିନ ଥିଲା। ଏହି ଅବସରରେ ସେ ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚି ଯବାନମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ସେମାନଙ୍କ ମନୋବଳ ବୃଦ୍ଧି କରିବା ସହିତ ସମ୍ମାନିତ କରିଥିଲେ।

ଗତ ମଙ୍ଗଳବାର ସେନାମୁଖ୍ୟ ଲଦାଖ ଗସ୍ତରେ ଆସିଥିବାବେଳେ ଆହତ ଯବାନମାନଙ୍କୁ ଭେଟିଥିଲେ। ସେମାନଙ୍କୁ ସାବାସୀ ଦେବା ସହିତ ବର୍ତ୍ତମାନ କାମ ଶେଷ ହୋଇନାହିଁ ବୋଲି କହିଥିଲେ। ସେନାମୁଖ୍ୟଙ୍କ ସହିତ ଉତ୍ତର ସେନା କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ୱାଇ.କେ. ଜୋଶୀ ଏବଂ କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଉପସ୍ଥିତ ଥିଲେ।

Comments are closed.