ଶ୍ରୀଲଙ୍କାର ବିତାଡିତ ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗା ଗିରଫ

0

କଲମ୍ବୋ : ଶ୍ରୀଲଙ୍କାର ବିତାଡିତ ପେଟ୍ରୋଲିମ୍‍ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଅର୍ଜୁନ ରଣତୁଙ୍ଗାଙ୍କୁ ସୋମବାର ଗିରଫ କରାଯାଇଛି। ଶ୍ରୀଲଙ୍କାରେ ଦେଖାଯାଇଥିବା ରାଜନୈତିକ ସଙ୍କଟକ୍ରମେ ରବିବାର ରଣତୁଙ୍ଗାଙ୍କ ଅଙ୍ଗରକ୍ଷୀଙ୍କ ଗୁଳିମାଡରେ ଜଣେ ବିକ୍ଷୋଭକାରୀର ମୃତ୍ୟୁ ହେବା ଓ ଦୁଇଜଣ ଆହତ ହେବାକୁ ନେଇ ତାଙ୍କୁ ଗିରଫ କରାଯାଇଛି। କଲମ୍ବୋ କ୍ରାଇମ ଡିଭିଜନ ରଣତୁଙ୍ଗାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିବା ପୁଲିସ ମୁଖପାତ୍ର କହିଛନ୍ତି। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଜାମିନରେ ଖଲାସ କରାଯାଇଥିଲା। ଏହା ପୂର୍ବରୁ ରବିବାର ଗୁଳିମାଡ କରିଥିବା ରଣତୁଙ୍ଗାଙ୍କ ଅଙ୍ଗରକ୍ଷୀଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଶ୍ରୀଲଙ୍କା ରାଷ୍ଟ୍ରପତି ମେତ୍ରୀପାଲ ଶିରୀସେନା ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେଙ୍କୁ ବହିଷ୍କାର କରି ମହିନ୍ଦା ରାଜପକ୍ଷେଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ଏହାପରେ ଶନିବାର ଶିରୀସେନା ମନ୍ତ୍ରିମଣ୍ଡଳକୁ ଭଙ୍ଗ କରିବା ସହିତ ପାର୍ଲାମେଣ୍ଟକୁ ନିଲମ୍ବନ କରିଥିଲେ। ମନ୍ତ୍ରିମଣ୍ଡଳ ଭଙ୍ଗ ପରେ ରାଜପକ୍ଷେଙ୍କ ସମର୍ôଥତ ଟ୍ରେଡ ୟୁନିୟନ ସଦସ୍ୟମାନେ ବିତାଡିତ ବିକ୍ରମସିଙ୍ଘେଙ୍କ ସରକାରର ପୁରୁଣା ମନ୍ତ୍ରୀମାନଙ୍କୁ ସେମାନଙ୍କ ମନ୍ତ୍ରଣାଳୟକୁ ପ୍ରବେଶ ଲାଗି ବାରଣ କରିଥିଲେ। ରଣତୁଙ୍ଗା ତାଙ୍କ ମନ୍ତ୍ରଣାଳୟକୁ ଯିବା ସମୟରେ ଏହି ଟ୍ରେନ ୟୁନିୟନ ସଦସ୍ୟମାନେ ବିରୋଧ କରିବାରୁ ଅଙ୍ଗରକ୍ଷୀଙ୍କୁ ଗୁଳି ଚଳାଇବାକୁ ନିର୍ଦେଶ ଦେଇଥିଲେ। ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ୨ଜଣ ଆହତ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ବିତାଡିତ କରିବା ଓ ସଂସଦକୁ ନିଲମ୍ବନ କରାଯିବା ପରେ ଶ୍ରୀଲଙ୍କାରେ ଏବେ ରାଜନୈତିକ ସଙ୍କଟ ଦେଖାଯାଇଛି। ଶିରୀସେନାଙ୍କ ନେତୃତ୍ୱ ୟୁନାଇଟେଡ ପିପୁଲ୍ସ ଫ୍ରିଡମ୍‍ ପାର୍ଟି (ୟୁପିଏଫପି) ବିକ୍ରମସିଙ୍ଘେଙ୍କ ୟୁନାଇଟେଡ ନ୍ୟାସନାଲ ପାର୍ଟି (ୟୁଏନପି)ରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ମେଣ୍ଟ ସରକାରର ପତନ ହୋଇଥିଲା।

Leave A Reply