୫୭ନଂ ଜାତୀୟ ରାଜପଥରେ ମୃତ ଅର୍ଜୁନ ପାତ୍ର ହତ୍ୟା ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ ଦାବୀ

ବୌଦ୍ଧ : ଗତ ୩୦ତାରିଖରେ ବୌଦ୍ଧଜିଲ୍ଲା ଚାରିଛକ ଅନ୍ତର୍ଗତ ସିଙ୍ଗାଣିବେଡା ଗ୍ରାମ ନିକଟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ କଡରେ ଏକ କ୍ଷତବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ଅନୁସନ୍ଧାନ ପରେ ମୃତଦେହଟି ତିଲେଶ୍ୱର ପଂଚାୟତ ଟେଭାପଦର ଗ୍ରାମର ଅର୍ଜୁନ ପାତ୍ରଙ୍କର ବୋଲି ଜଣାପଡିଥିଲା। ଅର୍ଜୁନ ପାତ୍ର ବାଲିଗୁଡାର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ମୃତ୍ୟୁ ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚିବା ପରେ ଅର୍ଜୁନଙ୍କୁ ହତ୍ୟା କରାଯାଇଥିବା ନେଇ ପୁରୁଣାକଟକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ପ୍ରଥମେ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ମାମଲା ରୁଜୁ କରାଯାଇଥିଲା। କିନ୍ତୁ ଆଜି ପରିବାର ଲୋକ ଅର୍ଜୁନଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ତାଙ୍କୁ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ନେଇ ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି। ଉକ୍ତ ଦାବୀପତ୍ରରେ ବାଣୀଭୂଷଣପୁର ପଂଚାୟତର ଭଉଁରୀପଥର ଗ୍ରାମର ଅର୍ଜୁନଙ୍କ ବନ୍ଧୁ ସୁଦାମ ବେହେରାଙ୍କ ଏହି ହତ୍ୟାକାଣ୍ଡ ପଛରେ ହାତଥିବା ଅନୁମାନ କରି ପରିବାରଲୋକ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପରିବାରର ସମସ୍ତ ସଦସ୍ୟ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଦାବି ଜଣାଇଛନ୍ତି।

Comments are closed.