ଦୋଷ ଲଦିଲେ ଅର୍ଜୁନ

0

ମୁମ୍ବଇ : ଚଳଚ୍ଚିତ୍ର ହିଟ୍ ହେଲେ କଳାକାର ପ୍ରଥମେ ନିଜକୁ ଶ୍ରେୟ ଦିଅନ୍ତି ଯେ ସେମାନେ ଖୁବ୍ ପରିଶ୍ରମ କରିଥିଲେ ଏଥି ନିମନ୍ତେ, ହେଲେ ବକ୍ସ ଅଫିସ୍‌ରେ ଧରାଶାୟୀ ହେଲେ ସମସ୍ତ ଦୋଷ ନିର୍ଦେଶକଙ୍କୁ ହିଁ ଦିଆଯାଏ। ଏହିଭଳି ସମାନ ଅଭିଯୋଗ ଅର୍ଜୁନ କପୁର କରିଛନ୍ତି। ନିକଟରେ ତାଙ୍କ ଅଭିନୀତ ‘ନମସ୍ତେ ଇଂଲଣ୍ଡ’ ଆଦୌ ଭଲ ବ୍ୟବସାୟ କରିପାରିନାହିଁ। ପ୍ରଚାର ସମୟରେ ଅର୍ଜୁନ କହିଲେ, ଏହି ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ମିଳିଥିବାରୁ ନିଜକୁ ସେ ଭାଗ୍ୟବାନ୍ ମଣୁଛନ୍ତି। ଏବେ କିନ୍ତୁ ଫ୍ଲଫ୍ ହେବା ପରେ ସେ କହୁଛନ୍ତି କାହାଣୀ ମନଛୁଆଁ ନଥିଲା ଓ ନିର୍ଦେଶକ ଏ ଦିଗ ପ୍ରତି ସଚେତନ ହେବା ଜରୁରୀ ଥିଲା। ଶୁଣାଯାଉଥିଲା ଯେ ଏଇ ଚଳଚ୍ଚିତ୍ରର ଅନ୍ୟ ଏକ ଭାଗ ନମସ୍ତେ ଚାଇନାରେ ମଧ୍ୟ ଅର୍ଜୁନ କାମ କରିବାର ଥିଲା, କିନ୍ତୁ ତାଙ୍କର ଏଭଳି ମତ ପରେ ପରିସ୍ଥିତି ଭିନ୍ନ ହେବ ନିଶ୍ଚୟ। ‘ଟୁ ଷ୍ଟେଟସ୍‌’ ପରେ ଅର୍ଜୁନଙ୍କ ‘ହାଫ୍ ଗାର୍ଲଫ୍ରେଣ୍ଡ’ ଓ ‘ମୁବାରକାନ୍’ ମଧ୍ୟ ଦର୍ଶକ ମହଲରେ ଆଦୃତ ହୋଇପାରିନଥିଲା। ‘ନମସ୍ତେ ଇଂଲଣ୍ଡ’ ଉପରେ ଅର୍ଜୁନଙ୍କ ଆଶାଭରସା ଥିଲା କିନ୍ତୁ ଏଥରକ ତାଙ୍କ ସ୍ଥିତି ଟଳମଳ। ‘ନମସ୍ତେ ଇଂଲଣ୍ଡ’ ସହ ମୁକ୍ତିଲାଭ କରିଥିବା ଅନ୍ୟ ଏକ ଚଳଚ୍ଚିତ୍ର ‘ବଧାଇ ହୋ’ କିନ୍ତୁ ଭଲ ବ୍ୟବସାୟ କରିଛି। ଏଥିରେ ମୁଖ୍ୟ ଭୂମିକାରେ ନୀନା ଗୁପ୍ତା, ଆୟୁଷ୍ମାନ୍ ଖୁରାନା, ସାନ୍ୟା ମଲହୋତ୍ରା ପ୍ରମୁଖ ଅଭିନୟ କରିଛନ୍ତି।

Leave A Reply