କନିଷ୍ଠ ପୁରୁଷ ହକି ବିଶ୍ୱକପ୍‌, ବିଜୟ ଟିକା ପିନ୍ଧିଲା ଆର୍ଜେଣ୍ଟିନା

ଭୁବନେଶ୍ୱର: ଭୁବନେଶ୍ବରରେ ଆୟୋଜିତ କନିଷ୍ଠ ପୁରୁଷ ହକି ବିଶ୍ୱକପ୍‌ରେ ବିଜୟଟିକା ପିନ୍ଧିଛି ଆର୍ଜେଣ୍ଟିନା। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ୧୨ଶ ସଂସ୍କରଣର ଫାଇନାଲରେ ଆର୍ଜେଣ୍ଟିନା ଲାଉଟାରୋ ଡୋମିକ୍‍ଙ୍କ ହ୍ୟାଟ୍ରିକ୍‍ ଗୋଲ ବଳରେ ୬ଥର ବିଜେତା ଜର୍ମାନୀକୁ ୪-୨ ଗୋଲ୍‌ରେ ପରାସ୍ତକରି ୨ୟ ଥର ପାଇଁ ଟ୍ରଫି ଜିତିପାରିଛି। ଆର୍ଜେଣ୍ଟିନା ପୂର୍ବରୁ ୨୦୦୫ରେ ପ୍ରଥମଥର ପାଇଁ କନିଷ୍ଠ ପୁରୁଷ ହକି ବିଶ୍ୱକପ ବିଜେତା ହୋଇଥିଲା। ଅନ୍ୟପକ୍ଷରେ ୮ମ ଥର ଫାଇନାଲ ଖେଳିଥିବା ଜର୍ମାନୀ ୧୯୭୯ ପରେ ୨ୟ ଥର ପାଇଁ ଉପବିଜେତାରେ ସନ୍ତୁଷ୍ଟ ହୋଇଛି। ଲିଗ୍‍ ପର୍ଯ୍ୟାୟରେ ଜର୍ମାନୀ ନିକଟରୁ ପରାଜିତ ହୋଇଥିବା ଆର୍ଜେଣ୍ଟିନା ଫାଇନାଲରେ ସ୍ୱତନ୍ତ୍ର ରଣନୀତି ସହ ପଡ଼ିଆକୁ ଓହ୍ଲାଇଥିଲା। ୧୦ ମିନିଟ୍‍ରେ ଆର୍ଜେଣ୍ଟିନାକୁ ମ୍ୟାଚର ପ୍ରଥମ ପେନାଲ୍‌ଟି କର୍ଣ୍ଣର ମିିଳିଥିଲା। ଏଥିରୁ ଲାଉଟାରୋ ଡୋମିନ୍‍ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ।

୨ୟ କ୍ୱାର୍ଟରରେ ଜର୍ମାନୀ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଆର୍ଜେଣ୍ଟିନା କୌଣସି ସୁଯୋଗ ଦେଇନଥିଲା। ୨୪ ମିନିଟ୍‍ରେ ଆର୍ଜେଣ୍ଟିନାକୁ ୨ୟ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଗୋଲ୍‌ଦେଇ ଲାଉଟାରୋ ଡୋମିକ୍‍ ଦଳକୁ ୨-୦ରେ ଆଗୁଆ କରିଥିଲେ। ୩୦ ମିନିଟ୍‍ରେ ଜର୍ମାନୀକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ମ୍ୟାଚକୁ ଫେରିବା ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା। ୩୬ ମିନିଟ୍‍ରେ ଜର୍ମାନୀ ପକ୍ଷରୁ ଜୁଲିୟସ ହାନର ଗୋଲ ଦେଇ ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ଅନ୍ତିମ କ୍ୱାର୍ଟର ଖେଳ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୪୬ ମିନିଟ୍‍ରେ ଜର୍ମାନୀକୁ କ୍ରମାଗତ ୪ଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ୩ଟି ପେନାଲ୍‌ଟି କର୍ଣ୍ଣରକୁ ଆର୍ଜେଣ୍ଟିନା ଗୋଲରକ୍ଷକ ରୋକିଥିବା ବେଳେ ୪ର୍ଥ ପେନାଲ୍‌ଟି କର୍ଣ୍ଣରକୁ ମାସି ପିଫାଣ୍ଡ ଗୋଲରେ ପରିଣତ କରି ସ୍କୋର୍‌କୁ ୨-୨ ସ୍ଥତିକୁ ଆଣିଥିଲେ। ୫୦ ମିନିଟ୍‍ରେ ଆର୍ଜେଣ୍ଟିନାକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଲାଉଟାରୋ ଡୋମିକ୍‍ ଗୋଲରେ ପରିଣତ କରି ଦଳକୁ ୩-୨ରେ ଆଗୁଆ କରିଥିଲେ। ୫୪ ମିନିଟ୍‍ରେ ଜର୍ମାନୀକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହା ବେକାର ହୋଇଥିଲା। ୬୦ ମିନିଟ୍‍ରେ ଆର୍ଜେଣ୍ଟିନା ପକ୍ଷରୁ ଅଗଷ୍ଟିନ ଫ୍ରାଙ୍କୋ ଗୋଲ ଦେଇ ଦଳକୁ ୪-୨ ଗୋଲରେ ବିଜୟୀ କରାଇଥିଲେ।

ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେତା ଆର୍ଜେଣ୍ଟିନାକୁ ଟ୍ରଫି ପ୍ରଦାନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆନ୍ତର୍ଜାତିକ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା, ଅଲିମ୍ପିଆନ ଦିଲୀପ ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଫାଇନାଲ ମ୍ୟାଚ୍‌ ସହ ଗତମାସ ୨୪ରୁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମଥର ପାଇଁ ଆୟୋଜିତ କନିଷ୍ଠ ପୁରୁଷ ବିଶ୍ବକପ୍‌ ହକିରେ ଯବନିକା ପଡ଼ିଛି। ବିଶ୍ବର ୧୬ଟି ଶ୍ରେଷ୍ଠ ଦଳ ବିଶ୍ବକପ୍‌ ଟ୍ରଫି ପାଇଁ ମୁକାବିଲା କରିଥିଲେ। ଏହି ବିଶ୍ବକପ୍‌ରେ ମୋଟ ୪୮ଟି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ୩୨୭ଟି ଗୋଲ୍‌ ସ୍କୋର୍ ହୋଇଥିଲା। ସୁରୁଖୁରୁରେ ବିଶ୍ବକପ୍‌ ସମ୍ପନ୍ନ ହୋଇଥିବା ବେଳେ ଓଡ଼ିଶାର ଆତିଥ୍ୟକୁ ସମସ୍ତ ଦଳ ପ୍ରଶଂସା କରିଥିଲେ। ହେଲେ କରୋନା ସଂକ୍ରମଣ ପାଇଁ ସାଧାରଣ କ୍ରୀଡ଼ାପ୍ରେମୀଙ୍କୁ ଏହି ବିଶ୍ବକପ୍‌ର ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିନଥିଲା। ଭାରତୀୟ ହକିର ପେଣ୍ଠସ୍ଥଳ ପାଲଟିଥିବା ଓଡ଼ିଶା ଆଉ ଏକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଥିବା ବେଳେ ୨୦୨୩ରେ ଓଡ଼ିଶା କ୍ରମାଗତ ୨ୟ ଥର ପାଇଁ ବରିଷ୍ଠ ପୁରୁଷ ହକି ବିଶ୍ବକପ୍‌ ଆୟୋଜନ କରିବାକୁ ଯାଉଛି। ଏହା ଭୁବନେଶ୍ବର ଓ ଇସ୍ପାତ ନଗରୀ ରାଉରକେଲାରେ ଖେଳାଯିବ। ଏଥିପାଇଁ ରାଉରକେଲାରେ ବିଶ୍ବର ସର୍ବବୃହତ୍‌ ହକି ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟ ଚାଲିଛି।

Comments are closed.