ବାଲେଶ୍ବର ଜିଲାର ଦୁର୍ଗାଦେବୀଠାରେ ପ୍ରାଚୀନ ସହର ଓ ପ୍ରାଗ ଐତିହାସିକ ସଭ୍ୟତାର ସନ୍ଧାନ

ଭୁବନେଶ୍ବର: ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଦ୍ୟାବଧି ହୋଇଥିବା ପ୍ରତ୍ନତାତ୍ତ୍ବିକ ଉତ୍‌ଖନନ ଓ ସର୍ବେକ୍ଷଣ ଦ୍ବାରା ବହୁ ସହରୀ ସଭ୍ୟତାର ଅନୁସନ୍ଧାନ ମିଳିଛି। ସେଗୁଡ଼ିକ ମଧ୍ୟରେ ଯାଜପୁର ଜିଲାର ରାଧାନଗର, ଖୋର୍ଦ୍ଧା ଜିଲାର ଶିଶୁପାଳଗଡ଼ ଓ ତାଳପଡ଼ା, ଗଞ୍ଜାମ ଜିଲାର ଜଉଗଡ଼ ଓ ଲାଠି ଏବଂ ପଶ୍ଚିମ ଓଡ଼ିଶାର ଅଶୁରଗଡ଼, ବୁଢ଼ିଗଡ଼, ତାରପୁରଗଡ଼ ଇତ୍ୟାଦିର ଐତିହାସିକ ଓ ପ୍ରତ୍ନତାତ୍ତ୍ବିକ ଅନୁସନ୍ଧାନ ପୁଙ୍ଖାନୁପୁଙ୍ଗ ଭାବେ ହୋଇଛି। ଏଥିରୁ ପ୍ରମାଣିତ ହେଉଛି ଯେ ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀଠାରୁ ପ୍ରାୟ ଏକ ହଜାର ବର୍ଷ ପର୍ଯ୍ୟନ୍ତ ପ୍ରାଚୀନ ଓଡ଼ିଶାରେ ବହୁ ସମୃଦ୍ଧ ନଗରୀମାନ ଗଢ଼ି ଉଠିଥିଲା। କିନ୍ତୁ ଅଦ୍ୟାବଧି ଉତ୍ତର ଓଡ଼ିଶାରୁ ଏପରି କୌଣସି ସମୃଦ୍ଧ ପ୍ରତ୍ନତାତ୍ତ୍ବିକ ଅବଶେଷର ସନ୍ଧାନ ମିଳିନଥିଲା, ଯଦିବା ମୟୂରଭଞ୍ଜ ଓ ବାଲେଶ୍ବର ଜିଲାର ପ୍ରାଗଐତିହାସିକ ସଭ୍ୟତାଠାରୁ ଆରମ୍ଭ କରି ବୌଦ୍ଧ, ଜୈନ ଓ ନୌବାଣିଜ୍ୟର ବହୁ ପ୍ରମାଣ ମିଳଛି। ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ୨୦୧୯-୨୦ ମସିହାରେ ବୁଢ଼ାବଳଙ୍ଗ ଓ ସୋଣ ନଦୀ ଅବବାହିକା ଅଞ୍ଚଳରେ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସମୟରେ ରେମୁଣା ବ୍ଲକ ଅଞ୍ଚଳରେ ଦୁର୍ଗାଦେବୀ ଓ ବାଲେଶ୍ବର ସହର ସନ୍ନିକଟ ରଣସାହିଠାରେ ସହରୀ ସଭ୍ୟତାର ପ୍ରତ୍ନତାତ୍ତ୍ବିକ ପ୍ରମାଣ ଉପଲବ୍ଧ ହୋଇଥିଲା।
ଦୁର୍ଗାଦେବୀ, ବାଲେଶ୍ବର ଜିଲାର ରେମୁଣା ତହସିଲ ଅନ୍ତର୍ଗତ ବାଲେଶ୍ବର ଓ ମୟୂରଭଞ୍ଜ ଜିଲା ସୀମାବର୍ତ୍ତି ଅଞ୍ଚଳରେ ବାଲେଶ୍ବର ଓ ମୟୂରଭଞ୍ଜ ଜିଲା ସୀମାବର୍ତ୍ତି ଅଞ୍ଚଳରେ ବାଲେଶ୍ବର ସହରଠାରୁ ୨୦କିମି ଦୂରରେ ଅବସ୍ଥିତ। ପରବର୍ତ୍ତି ସମୟରେ ଦୁର୍ଗାଦେବୀର ଭୁପୃଷ୍ଠରୁ ମିଳିଥିବା ପ୍ରତ୍ନତାତ୍ତ୍ବିକ ଅବଶେଷର ପର୍ଯ୍ୟାଲୋଚନା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଭାରତ ସରକାରଙ୍କଠାରୁ ଉଦ୍‌ଖନନ ନିମନ୍ତେ ସ୍ବୀକୃତି ପତ୍ର ପ୍ରାପ୍ତ ପରେ ୨୦୨୦-୨୧ ପ୍ରତ୍ନତାତ୍ତ୍ବିକ ବର୍ଷରେ ଦୁର୍ଗାଦେବୀ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅନୁମୋଦନ କ୍ରମେ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦେଶକ ରଞ୍ଜନ କୁମାର ଦାସଙ୍କ ମାର୍ଗଦର୍ଶନରେ ଓ ପ୍ରତ୍ନତତ୍ତ୍ବବିତ ଡ.ସୁନୀଲ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରତ୍ନତାତ୍ତ୍ବିକ ଉତ୍‌ଖନନ କାର୍ଯ୍ୟ ମାର୍ଚ୍ଚ ୨୦୨୧ରେ ଆରମ୍ଭ ହୋଇ ମେ ମାସ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଚାଲୁ ରହିଥିଲା।
ବର୍ତ୍ତମାନ ଆଜକୁ ପ୍ରାୟ ୨୫୦୦ ବର୍ଷ ତଳର ଦୁର୍ଗାଦେବୀ ପ୍ରାଚୀନ ସହର ବୁଢ଼ାବଳଙ୍ଗ ଓ ସୋଣ ନଦୀ ଅବବାହିକାର ମଧ୍ୟ ଭାଗରେ ୫ କିଲୋମିଟର ପରିଧି ବିଶିଷ୍ଟ ମାଟି ନିର୍ମିତ ପ୍ରାକାର ଦ୍ବାରା ପରିବେଷ୍ଟିତ ଥିଲା। ଉଭୟ ପାର୍ଶ୍ବରେ ଗଙ୍ଗାହାର ଓ ପ୍ରସନ୍ନ ନାଳା ଗଡ଼ଖାଇ ଭାବରେ ଅଦ୍ୟାବଧି ମଧ୍ୟ କାର୍ଯ୍ୟ କରୁଛି, ଯାହା ବୁଢ଼ାବଳଙ୍ଗ ଓ ସୋଣ ନଦୀ ସହ ରେମୁଣା ନିକଟରେ ମିଶିଛି। ଉତ୍‌ଖନନରୁ ଏହି ସମୟରେ ପ୍ରାଚୀନ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର, ମାଟି ନିର୍ମିତ ଖେଳଣା, ଲୁହା କଣ୍ଟା ଇତ୍ୟାଦି ମିଳିଛି। ପରବର୍ତ୍ତି ଲୌହ ଯୁଗ ସମୟର ଲୁହାର ସ୍ଲାଗ, ଭାଲାର ଅଗ୍ରଭାଗ, କଣ୍ଟା ଇତ୍ୟାଦି ସହ କଳା ଓ ଲାଲ ରଙ୍ଗର ମାଟିପାତ୍ର ସହ ଚିକ୍କଣ କଳା ରଙ୍ଗ ଥିବା ମାଟିପାତ୍ର ମିଳିଛି। ଦୁର୍ଗାଦେବୀ ପ୍ରତ୍ନତାତ୍ତ୍ବିକ ଉତ୍‌ଖନନ ପ୍ରଥମ ପର୍ଯ୍ୟାୟରେ ଆଜକୁ ପ୍ରାୟ ୪୦୦୦ ବର୍ଷ ପୂର୍ବ(ଖ୍ରୀଷ୍ଟ ପୂର୍ବ ୨୦୦୦)।


ପ୍ରଥମ ପର୍ଯ୍ୟାୟ ଉଦ୍‌ଖନନରୁ ଓଡ଼ିଶାର ପ୍ରାଚୀନ ସଂସ୍କୃତିର ବିକାଶର ପ୍ରାମାଣିକ ତଥ୍ୟ ବିଶେଷ ଭାବେ ମୃଣ୍ମୟ ପାତ୍ର, ଲୌହ ସାମଗ୍ରୀ ଏବଂ ତାମ୍ରଯୁଗୀୟ ଘରର ନକ୍ସା ଆଦି ଉପଲବ୍ଧ ହୋଇସାରିଛି। ଓଡ଼ିଶାର ପ୍ରାଗଐତିହାସିକ ଯୁଗ ଯାହାକି ଏଠାରେ ତାମ୍ର-ପାଷାଣ ଯୁଗ ସମସାମୟିକ ଖ୍ରୀଷ୍ଟ ପୂର୍ବ ୨୧୦୦ରୁ୧୦୦୦ ସମୟରେ ଓଡ଼ିଶା ଉନ୍ନତ କୃଷି ସଭ୍ୟତାର ବିକାଶ ଏଂ ପରେ ପରେ ଖ୍ରୀଷ୍ଟପୂର୍ବ ୧୫୦୦ରୁ ୬୦୦ବର୍ଷ ସମୟର ଲୌହ ଯୁଗର ବିକାଶ ଏବଂ ଉନ୍ନତ ଲୌହ ସାମଗ୍ରୀର ବହୁଳ ବ୍ୟବହାର ଏବଂ ପରବର୍ତ୍ତୀ ସମୟରେ କ୍ରୀଷ୍ଟ ପୂର୍ବ ୪୦୦ ବେଳକୁ ସହରୀ ସଭ୍ୟତାର ବିକାଶର ଚିତ୍ର ଓଡ଼ିଶା ତଥା ପୂର୍ବ ଭାରତରେ ଏକ ଦୃଷ୍ଟାନ୍ତ ଦୁର୍ବାଦେବୀରୁ ପ୍ରାପ୍ତ ହୋଇଛି।
ତାମ୍ର-ପାଷାଣ ଯୁଗ(ଖ୍ରୀଷ୍ଟପୂର୍ବ ୨୦୦୦-୧୦୦୦): ଦୁର୍ଗାଦେବୀରୁ ୨୦୨୦-୨୧ ବର୍ଷର ଉତ୍‌ଖନନ ସମୟରେ ତାମ୍ର ପାଷାଣ ଯୁଗର କଳା ରଙ୍ଗରେ ଚିତ୍ରିତ ଲାଲ ମାଟିପତ୍ର, କଳା ଓ ଲାଲ ମାଟିପାତ୍ର, ତାମ୍ର ନିର୍ମିତ ବସ୍ତୁ ମିଳିବା ଏକ ପ୍ରମୁଖ ଘଟଣା। ସେହି ସମୟର ବୃତ୍ତାକାର ବାସଗୃହର ସନ୍ଧାନ ମଧ୍ୟ ମିଳିଛି, ଯାହାର ଚଟାଣ ଲାଲ ମାଟି ଓ ଗେଙ୍ଗୁଟି ଦ୍ବାରା ଲିପା ଯାଇଥିବାର ପ୍ରମାଣ ରହିଛି। ଏହି ସମୟରେ ଲୋକମାନେ ସ୍ଥାୟୀ ଭାବରେ ବସବାସ କରିବା ସହ ପଶୁପାଳନ ଓ କୃଷି କାର୍ଯ୍ୟ କରୁଥିବା ଅନୁମାନ କରାଯାଏ। ତାମ୍ର ପାଷାଣ ଯୁଗର ମାଟି ନିର୍ମିତ ଅଳଙ୍କାର ଖେଳନା ଓ ତାମ୍ର ନିର୍ମିତ ବସ୍ତୁ ଉଦ୍‌ଖନନରୁ ପ୍ରାପ୍ତ ହୋଇଛି। ଓଡ଼ିଶାର ପ୍ରାଗ ଐତିହାସିକ ଯୁଗ ଯାହାକି ଏଠାରେ ତାମ୍ର ପାଷାଣ ଯୁଗର ସମସାମୟିକ ଖ୍ରୀଷ୍ଟ ପୂର୍ବ ୨୦୦୦-୧୦୦୦ ସମୟରେ ବିକଶିତ ହୋଇଥିଲା।
ଲୌହ ଯୁଗ(ଖ୍ରୀଷ୍ଟ ପୂର୍ବ ୧୦୦୦-୪୦୦): ଦୁର୍ଗାଦେବୀ ଉତ୍‌ଖନନରୁ ତାମ୍ର-ପାଷାଣ ଯୁଗର ପରବର୍ତ୍ତୀ ଲୌହ ଯୁଗ ସମୟର ଲୁହାର ସ୍ଲାଗ, ଭାଲାର ଅଗ୍ରଭାଗ, କଣ୍ଟା ଇତ୍ୟାଦି ସହ କଳା ଓ ଲାଲ ରଙ୍ଗର ମାଟିପାତ୍ର ସହ ଚିକ୍କଣ କଳା ରଙ୍ଗ ଥିବା ମାଟିପାତ୍ର ମିଳିଛି। ଏହି ସମୟରେ ଏଠାକାର ଅଧିକାରୀମାନଙ୍କର ଜୀବନଶୈଳୀ କିଛି ମାତ୍ରାରେ ଉନ୍ନତ ଥିଲା ଓ ଲୋକମାନେ ଆର୍ଥିକ ଅଭିବୃଦ୍ଧି ନିମନ୍ତେ କୃଷି ଓ କୃଷିଜାତ ବିଭିନ୍ନ ପ୍ରକାରର ଶସ୍ୟ ଉପରେ ନିର୍ଭର କରୁଥିଲେ। ଏହି ସମୟରେ ଲୌହ ସାମଗ୍ରୀର ବହୁଳ ବ୍ୟବହାର ଓ ତା’ ମାଧ୍ୟମରେ ସହରୀ ସଭ୍ୟତାର ବିକାଶର ଚିତ୍ର ଉତ୍ତର ଓଡ଼ିଶାରେ ଦେଖିବାକୁ ମିଳେ। ପ୍ରତ୍ନତତ୍ତ୍ବବିତ୍‌ମାନେ ମହାନଦୀର ଉପର ଓ ମଧ୍ୟ ଉପତ୍ୟକାରେ ଅନେକ ଲୌହ ଯୁଗୀୟ ସଭ୍ୟତାର ସନ୍ଧାନ ପାଇଥିବାବେଳେ ଉତ୍ତର ଓଡ଼ିଶାରେ ଦୁର୍ଗାଦେବୀ ଠାରେ ଏହା ପ୍ରଥମଥର ପାଇଁ ମିଳିଛି।
ପ୍ରାଚୀନ ଐତିହାସିକ ଯୁଗ(ଖ୍ରୀଷ୍ଟ ପୂର୍ବ ୪୦୦-୧୦୦): ଦୁର୍ଗାଦେବୀରୁ ପ୍ରାଚୀନ ଐତିହାସିକ ଯୁଗ ସମୟର ଲାଲ ମାଟିପାତ୍ର, କଳା ଓ ଲାଲ ମାଟିପାତ୍ର, ଧୁସର ରଙ୍ଗର ମାଟିପାତ୍ର, ବହୁଳ ଭାବରେ ମିଳିଛି। ଏହି ସମୟର ମାଟି ନିର୍ମିତ ଅଳଙ୍କାର, ମାଳି, ଖେଳନା, ଚକ ଇତ୍ୟାଦି ମିଳିଛ। ଉତ୍‌ଖନନରୁ ମାଙ୍କଡ଼ା ପଥରରେ ନିର୍ମିତ ଏକ କାନ୍ଥର ଭଗ୍ନାବଶେଷ ମିଳିଛି। ଏହି ସମୟରେ ସହରୀ ସଭ୍ୟତାର ବିକାଶ ସହ ଦୁର୍ଗାଦେବୀର ଚତୁଃପାର୍ଶ୍ବରେ ମାଟି ନିର୍ମିତ ପ୍ରାଚୀର ଦେଖିବାକୁ ମିଳେ। ଉତ୍‌ଖନନ ବସ୍ତୁ ଓ ସହରୀ ସଭ୍ୟତାର ବିକାଶ ପ୍ରମାଣିତ କରେ ଯେ ଏହି ସମୟରେ ବାଣିଜ୍ୟ ବ୍ୟବସାୟର ପ୍ରସାର ହୋଇଥିଲା।


ଦୁର୍ଗାଦେବୀର ବୈଜ୍ଞାନିକ ସମୟ ନିରୂପଣ ନିମନ୍ତେ ୟୁଜିସିର ପରୀକ୍ଷାଗାର, ନୂଆଦିଲ୍ଲୀ ସହିତ ପରୀକ୍ଷଣ ନିମନ୍ତେ ଯୋଗାଯୋଗ କରାଯାଇଛି। କୋଭିଡ ମହାମାରୀ ଯୋଗୁଁ ଉତ୍‌ଖନନ କାର୍ଯ୍ୟ ବନ୍ଦ ରହିଛି। କିନ୍ତୁ ଦୁର୍ଗାଦେବୀର ଚତୁଃପାର୍ଶ୍ବରେ ସର୍ବେକ୍ଷଣ କାର୍ଯ୍ୟ ସମୟରେ ରେମୁଣା ବ୍ଲକର କୁଳଟାବ୍ରହ୍ମପୁର ଓ ବଡ଼ସାହି ବ୍ଲକର ଭିମଦାଠାରେ ପ୍ରାଚୀନ ସଭ୍ୟତାର ପ୍ରତ୍ନତାତ୍ତ୍ବିକ ଅବଶେଷ ମିଳିଛି।
ସମ୍ପ୍ରତି ବାଲେଶ୍ବର ଜିଲା ଆଜକୁ ୪୦୦୦ ବର୍ଷ ପୂର୍ବରୁ ଉନ୍ନତ କୃଷି ସଂସ୍କୃତି ରହିଥିବା ସଙ୍ଗେ ସଙ୍ଗେ ସହରୀ କରଣ ଆଜିଠାରୁ ୨୪୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ପ୍ରମାଣ ହସ୍ତଗତ ହୋଇଛି। ଏହା ଓଡ଼ିଶାର ଇତିହାସ ଓ ସଂସ୍କୃତିର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଭାରତ ଇତିହାସକୁ ରୁଦ୍ଧିମନ୍ତ କରିବାରେ ସାହାଯ୍ୟ କରୁଛି। ଏଥିରେ ନିୟୋଜିତ ପ୍ରତ୍ନତତ୍ତ୍ବବିତ ଏବଂ ଗବେଷକଙ୍କ ଅନୁସନ୍ଧାନ ରହିଛି, ଯାହାକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ମାଧ୍ୟମରେ ଗବେଷଣା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ପରବର୍ତ୍ତୀ ସମୟର ଉତ୍‌ଖନନ ଦୁର୍ଗାଦେବୀଠାରେ ପ୍ରାଚୀନ ସହରୀ ସଭ୍ୟତା ସହ ଲୌହ ଓ ତାମ୍ର ପାଷାଣ ଯୁଗର ବଳିଷ୍ଠ ପ୍ରମାଣ ମିଳିବା ଆଶା କରାଯାଏ।

Comments are closed.