ପୁରୀ ଜିଲାରେ ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ, ଅପୂଜା ହୁଡ଼ାରୁ ୮୦୦ ବର୍ଷ ତଳର ବୀରପ୍ରସ୍ତର ମୂର୍ତ୍ତି ସନ୍ଧାନ

ଭୁବନେଶ୍ୱର: ପୁରୀ ଜିଲା ଡେଲାଙ୍ଗ ବ୍ଲକସ୍ଥିତ ବଡ଼ବେଗୁଡ଼ିଆପଡ଼ା ଗ୍ରାମର ଅପୂଜା ହୁଡ଼ାରୁ ବିରଳ ବୀରପଥରର ସନ୍ଧାନ ମିଳିଛି। ବଡ଼ବେଗୁନିଆପଡ଼ା ଗ୍ରାମର ବୀରଗଡ଼ିଆ ଏବଂ ଯୋଗି ପୋଖରୀ ନିକଟରେ ଥିବା କୈଳାସ ପାତ୍ର ଓ ପ୍ରକାଶ ପାତ୍ରଙ୍କ ଅପୂଜା ହୁଡ଼ାରେ ଥିବା ଆକାଶିଆ ବାଡ଼ି ମଧ୍ୟରୁ ଏହି ବିଳର ବୀର ପ୍ରସ୍ତରମୂର୍ତ୍ତି ଆବିଷ୍କାର କରାଯାଇଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ସହାୟକ ପ୍ରଫେସର ଅନାମ ବେହେରା ସୂଚନା ଦେଇଛନ୍ତି। ମିଥୁନ କୁମାର ପାତ୍ରଙ୍କଠାରୁ ସୂଚନା ପାଇବା ପରେ ଡ.ବେହେରା ଏହି ପ୍ରତ୍ନତାତ୍ତ୍ୱିକସ୍ଥଳ ପରିଭ୍ରମଣ କରିଥିଲେ । ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ସମୟରେ ସେଠାରୁ ବୀରପ୍ରସ୍ତର ମୂର୍ତ୍ତି ସାଙ୍ଗକୁ ୪ଟି ସ୍ତମ୍ଭ ଆବିଷ୍କାର କରିଥିଲେ। ଏଠାରୁ ଉଦ୍ଧାର କରାଯାଇଥିବା ବୀରପ୍ରସ୍ତୁ ମୂର୍ତ୍ତି ଓ ୪ଟି ସ୍ତମ୍ଭ ୮୦୦ବର୍ଷ ତଳର ବୋଲି ଅନୁମାନ କରାଯାଉଛି। ଏଠାରୁ ମିଳିଥିବା ୪ଟି ସ୍ତମ୍ଭର ଅଗ୍ରଭାଗରେ ଖଣ୍ଡାକୁ ଉତ୍ତୋଳନ କରି ବାମ ହାତରେ ଢାଲ ଧରି ସୈନିକ ଯୁଦ୍ଧରତ ଅବସ୍ଥାରେ ଖୋଦିତ କରାଯାଉଥିବା ଦେଖିବାକୁ ମିଳିଛି।

 

ବୀରପ୍ରସ୍ତର ମୂର୍ତ୍ତି କେଶ ବିନ୍ୟାସ ସ୍ତ୍ରୀ ଲୋକଙ୍କ ଭଳି ଖୋସା ସଦୃଶ ହୋଇଥିବା ଦେଖାଯାଇଛି। ଏଭଳି କେଶ ବିନ୍ୟାସ ପୁରୁଷ ମୂର୍ତ୍ତିଗୁଡ଼ିକୁ ଓଡ଼ିଶାରେ ଗଙ୍ଗ ବଂଶୀୟ ରାଜାମାନଙ୍କ ଦ୍ୱାରା ନିର୍ମିତ ମନ୍ଦିରମାନଙ୍କରେ ରହିଛି। ତେଣୁ ଏହି ବୀର ପ୍ରସ୍ତରମୂର୍ତ୍ତିଗୁଡ଼ିକ ଗଙ୍ଗ ବଂଶର ସମସାମୟିକ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହିଭଳି କଳାକୃତି ସମଗ୍ର ଦୟାନଦୀର ଉପତ୍ୟକା ସହିତ ଓଡ଼ିଶାର ବିଭିନ୍ନ ଜାଗାରେ ମଧ୍ୟ ମିଳିଥାଏ। କେଉଁଠି ଏହାକୁ କଳାପାହାଡ଼ ସହିତ ଯୁଦ୍ଧ କରି ପ୍ରାଣ ହରାଇଥିବା ବୀରମାନଙ୍କର ସ୍ମୃତିସ୍ତମ୍ଭ କୁହାଯାଉଛି ଆଉ କେଉଁଠି ବ୍ରିଟିଶ୍‍ ପାଇକ ବିଦ୍ରୋହ ସମୟରେ ବ୍ରିଟିଶମାନଙ୍କ ବିରୋଧରେ ଯୁଦ୍ଧରେ ଲଢେଇ କରି ପ୍ରାଣ ହରାଇଥିବା ପାଇକ ସୈନିକଙ୍କ ସହିତ ଯୋଡ଼ା ଯାଇଛି। ଅନ୍ୟ କେଉଁଠି ସାମରିକ କ୍ରୀଡ଼ାର ନିଦର୍ଶନ ବୋଲି ମଧ୍ୟ ଧରାଯାଇଥାଏ। କେତେକ ସ୍ଥାନରେ ହନୁମାନ ଓ ଗ୍ରମାଦେବୀଙ୍କ ଅପୂଜା ମୂର୍ତ୍ତି ବୋଲି ବିବେଚନା କରାଯାଏ। ଦେବେ ଦକ୍ଷିଣ ଭାରତରେ ଏଗୁଡ଼ିକ ବୀରଗଳ ଭାବରେ ଜଣାଶୁଣା। ଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ବରୀରମାନଙ୍କର ସ୍ମରଣାର୍ଥେ ଏଗୁଡ଼ିକ ନିର୍ମାଣ କରାଯାଇଥିବା ଜନସ୍ମୃତି ରହିଛି। ବଡ଼ବେଗୁଡ଼ିଆପଡ଼ାରୁ ଆବିଷ୍କାର ହୋଇଥିବା ବୀରପ୍ରସ୍ତର ମୂର୍ତ୍ତି ଓଡ଼ିଶା ଇତିହାସର ଅନେକ ଲୁକ୍କାୟିତ ତଥ୍ୟ ଉନ୍ମୋଚନ କରିବାରେ ସହାୟକ ହୋଇପାରିବ ବୋଲି ବୋଲି ଡ.ବେହେରା ସୂଚନା ଦେଇଛନ୍ତି। ଗବେଷକ ରମାକାନ୍ତ ପ୍ରଧାନ, ମାନସରଞ୍ଜନ କର ଏବଂ ତାପସ କୁମାର ପାତ୍ର ବଡ଼ବେଗୁଡ଼ିଆପଡ଼ା ଅଞ୍ଚଳର ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି।

Comments
Loading...