କଳା ଶିବିର “ଅରଣ୍ୟ” ଉଦଘାଟିତ

ବୁଗୁଡ଼ା : ଗଞ୍ଜାମ ଏକାଡେମୀ ଅଫ ଫାଇନ ଆର୍ଟ ପକ୍ଷରୁ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧଖୋଲ ଠାରେ ତ୍ରିଦିବସୀୟ କଳା ଶିବିର “ଅରଣ୍ୟ”ର ଶୁଭ ଉଦଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବୁଦ୍ଧଖୋଲ ଉନ୍ନୟନ ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଉଦଘାଟନ କରିଥିବା ବେଳେ ଗବେଷକ ବ୍ରଜ କିଶୋର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଦଶ ଜଣ କଳାକାର ଯୋଗ ଦେଇ ପ୍ରକୃତିର ସୁରକ୍ଷା ଉପରେ ଆଲୋକପାତ କରିବେ। ଶିବିରର ପ୍ରାରମ୍ଭିକ ଦିବସରେ କଳାକାରମାନେ ଅଂଚଳର ସୌନ୍ଦର୍ଯ୍ୟ ଭରା ପ୍ରକୃତିକୁ ଉପଭୋଗ କରିବେ। ଦ୍ଵିତୀୟ ଦିବସରେ ବୁଦ୍ଧଖୋଲ ପାଦଦେଶସ୍ଥ ପାନ୍ଥ ନିବାସରେ ଚିତ୍ର ଅଙ୍କନ କରିବେ । ତୃତୀୟ ତଥା ଅନ୍ତିମ ଦିବସରେ  କଳାକାରମାନେ ସ୍ଵ ସ୍ଵ ଅନୁଭୂତିକୁ ପାଥେୟ କରି ସୃଜନଶୀଳ କଳାକୃତିକୁ ଉପସ୍ଥାପନ କରିବେ। ଉଦଯାପନୀ ଦିବସ ଅବସରରେ ଅଞ୍ଚଳର କବି ଓ ଗବେଷକଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ଅଂଶ ଗ୍ରହଣକାରୀ କବି ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯିବ  ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ ପାଇଛି । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରକର ସ୍ଥିତଧୀ ରଥଙ୍କ ଉଦ୍ୟମରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ କବି ସମ୍ରାଟ ଚିତ୍ରକର ସଂଘ ପକ୍ଷରୁ ସ୍ଵାଗତ କରାଯାଇଥିବା ଜଣାଯାଇଛି ।

Comments are closed.