ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୋଳନୀତି ଅନୁଷ୍ଠିତ

ପରମ୍ପରା ଅନୁଯାୟୀ ନୂଆ ପାଞ୍ଜି ପଠନ ପରେ ଭଙ୍ଗ ହୁଏ ମେଳଣ

ଆରଡି : ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଗତ ସୋମବାର ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୋଳ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ଏଥିନିମନ୍ତେ ଭୋର ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ସକାଳ ୯ଟାରେ ପଅଡଖିଆ ଅନ୍ନନୀତି, ଦିବା ୧ଟାରେ ମନ୍ଦିର ସୋଧନ କରାଯାଇ ମଣିବାବାଙ୍କୁ ଯୋଗୀବେଶରେ ସଜ୍ଜିତ କରାଯାଇ ବଡ ଅନ୍ନନୀତି ଭୋଗ ଲାଗି କରାଯାଇଥିଲା। ପରେ ମଣିବାବାଙ୍କ ଚଳନ୍ତୀପ୍ରତିମା ଚନ୍ଦ୍ରଶେଖରଙ୍କୁ ଘଣ୍ଟା, କିର୍ତ୍ତନ, ଛତ୍ର-ଚାମର ଆଲଟ ଆଦି ଦ୍ୱାରା ମନ୍ଦିରରୁ ଅଣାଯାଇ ମୁକ୍ତି ମଣ୍ଡପକୁ ବିଜେ କରାଯାଇଥିଲା। ସେଠାରେ ସେବାକରୀଙ୍କ ପକ୍ଷରୁ ଦୋଳ ନୀତିକାନ୍ତି ନିମନ୍ତେ ସମସ୍ତ ପୂଜାର୍ଚ୍ଚନା କରାଯିବା ସହିତ ଅବିର ରଙ୍ଗ ଲେପନ କରାଯାଇ ସନ୍ଧ୍ୟାରେ ଦୋଳ ମେଳଣ ନିମନ୍ତେ ଏକ ସୁସଜ୍ଜିତ ବିମାନରେ ଚନ୍ଦ୍ରଶେଖରଙ୍କୁ ବିଜେ କରାଯାଇ ପୀଠର ସାହି ଓ ନଗରୀ ପରିକ୍ରମା କରଯାଇଥିଲା। ଏହି ମେଲଣ ଉତ୍ସବରେ ମଣିବାବାଙ୍କ ଚଳନ୍ତୀପ୍ରତିମା ଚନ୍ଦ୍ରଶେଖର ଆଗେ ବିଜେ କରିଥିବା ବେଳେ ଜଗନ୍ନାଥ ମନ୍ଦିରରୁ ଆସିଥିବା ମଦନମୋହନ, ଡିଅସାହିର ରସିକନାଗର, ଠୋକରାର ରାଧାକୃଷ୍ଣ, ବାଟିପଣ୍ଡା ସାହିର ରାଧାକୃଷ୍ଣ ଆଦି ବିମାନ ସାମିଲ ହୋଇ ଶୋଭାଯାତ୍ରାରେ ବାହାରି ମଣିବାବାଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ପହଞ୍ଚିଥିଲେ। ସେଠାରେ ବ୍ରାହ୍ମଣ ଓ ଜ୍ୟୋତିଷଙ୍କ ପକ୍ଷରୁ ସମସ୍ତ ନୀତିକାନ୍ତି କରାଯିବା ସହିତ ଶହଶହ ବର୍ଷର ପରମ୍ପରା ଅନୁଯାୟୀ ପୀଠରେ ପ୍ରଚଳିତ ନୂଆ ବିରଜା ପାଞ୍ଜି ପଠନ କରାଯାଇଥିଲା। ପରେ ସମସ୍ତ ଦେବାଦେବୀଙ୍କ ନିକଟରେ ଭୋଗ ଲାଗି ହେବା ପରେ ମେଲଣ ଭଙ୍ଗ ହୋଇଥିଲା।

Comments are closed.