ବେଆଇନ ବାଲି ଉତ୍ତୋଳନ ଯୋଗୁଁ ବୈତରଣୀକୁ ଧସିଲା ୧ଶହ ଫୁଟର ସୁରକ୍ଷା ନଦୀବନ୍ଧ

0

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଅଧିନସ୍ଥ ଷାଠିବାଙ୍କୁଡା ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀରେ ଶୁକ୍ରବାର ସଂଧ୍ୟାରେ ପ୍ରାୟ ୧ଶହ ଫୁଟ ସୁରକ୍ଷାବନ୍ଧ ନଦୀ ମଧ୍ୟକୁ ଧସିଯାଇଛି। ଯାହାକୁ ନେଇ ଷାଠିବାଙ୍କୁଡା ଗ୍ରାମବାସୀଙ୍କ ସହ ଅମୃତମଣୀ ଓ ବୋଡକ ଆଦି ଅଞ୍ଚଳର ନଦୀକୂଳିଆ ବାସୀ ଆତଙ୍କିତ ହୋଇ ପଡିଛନ୍ତି। ଦୀର୍ଘବର୍ଷ ହେବ ବୈତରଣୀ ତାର ଗତିପଥ ବଦଳାଇ ଭଦ୍ରକ ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବେଳେ ଧାମରା ମୁହାଣରୁ ପ୍ରତିଦିନ ଆସୁଥିବା ଲୁଣା ଜୁଆର ଢେଉ ପ୍ରଭାବରେ ଏପରି ସମସ୍ୟା ବାରମ୍ବାର ଦେଖା ଦେଉଥିବା ଯାଜପୁର ଜଳସେଚନ ବିଭାଗର ଅଧିକାରୀ ପ୍ରକାଶ କରିଛନ୍ତି।

ବିଶେଷକରି ବୈତରଣୀ ନଦୀର ଏହି ସ୍ଥାନରେ ଅଧିକ ବାଲି ଜମାଟ ବାନ୍ଧି ରହୁଥିବାରୁ ବେଆଇନ ଭାବେ କେତେକ ମାଫିଆ ବାଲି ଉତ୍ତୋଳନ କରୁଥିବାରୁ ସିଧାସଳଖ ଭାବେ ସୁରକ୍ଷା ବନ୍ଧ ଉପରେ ପ୍ରଭାବ ପଡୁଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ତାହାସହ ଦୈନଦିନ ଶତାଧିକ ଟ୍ରାକ୍ଟର ଯାତାୟତ କରୁଥିବା ବେଳେ କେତେକ ସ୍ଥାନରେ ବନ୍ଧ ସୁଦୃଢିକରଣ କାର୍ଯ୍ୟକୁ ଗାଁ ଲୋକ ବିରୋଧ କରିବା ଦ୍ୱାରା ଏଭଳି ବାରମ୍ବାର ନଦୀର ସୁରକ୍ଷା ବନ୍ଧ ନଦୀ ମଧ୍ୟକୁ ଧସୁଛି। ଏପରି ସମସ୍ୟା ବାବଦରେ ଭଦ୍ରକ ଜିଲାପାଳ ଓ ଚାନ୍ଦବାଲି ତହସିଲିଦାରଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ୩ଟି ଗାଁର ପାଖାପାଖି ୨ହଜାର ଲୋକ ଆତଙ୍କିତ ହୋଇ ପଡିବା ସହ ସ୍ଥାନୀୟଲୋକେ ରାତିରେ ନଦୀବନ୍ଧକୁ ଜଗି ରହୁଥିବା ଜଣାପଡିଛି ।

Leave A Reply