ସମ୍ପତ୍ତି ଲୋଭ: ବାପାଙ୍କୁ ସ୍ବାମୀ ଦର୍ଶାଇ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଆରଡି: ସମ୍ପତ୍ତି ପାଇଁ ସର୍ମ୍ପକୀୟଙ୍କ ବଡ ଚଞ୍ଚକତା । ଟଙ୍କା ପାଇଁ ଭୁଲିଗଲେ ହିତାହିତ ଜ୍ଞାନ, ଅବିବାହିତ ମହିଳାଙ୍କ ବାପ ସାଜିଲେ ସ୍ବାମୀ ା ଏକଥା ଯେ କେହି ବି ଶୁଣିଲେ ଅଡୁଆ ଲାଗିବ। ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନସ୍ଥ ଆରଡି ରାଜସ୍ବ ନିରୀକ୍ଷକ ଅଧିକାରୀଙ୍କ ତଦନ୍ତରେ ଏପରି ଜଣାପଡ଼ିଛି।

ଆରଡି ଗ୍ରାମର ସ୍ବର୍ଗତ ପ୍ରହ୍ଲାଦ ମିଶ୍ରଙ୍କ ବଡ ଝିଅ ମେଘମାଳା ମିଶ୍ର ଅବିବାହିତ ଥିଲେ। ସେ ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦୀର୍ଘବର୍ଷ ଧରି ରହିବା ସହ ୨୦୨୧ ମସିହା ଜାନୁଆରୀରେ ଅବସର ନେଇଥିଲେ। ଅବସର ନେବାର ମାତ୍ର ୩ମାସ ମଧ୍ୟରେ ଅର୍ଥାତ ମାର୍ଚ୍ଚରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାଁରେ ବ୍ୟାଙ୍କ ସମେତ ବିଭିନ୍ନ ସ୍ଥାନରେ ପ୍ରାୟ ୭୦ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ସୂଚନା ଅଧିକାର ବଳରେ ଅଭିଯୋଗକାରୀ ତଥା ମୃତ ମେଘମାଳାଙ୍କ ସାନ ଭଉଣୀ ଶୈଳବାଳା ପଣ୍ଡା କହିଛନ୍ତି। ମେଘମାଳାଙ୍କର ଅନ୍ୟ ଏକ ସାନଭଉଣୀ ସୁଧାଂଶୁବାଳା ମିଶ୍ର ଚାନ୍ଦବାଲି ତହସିଲରୁ ଆରଡି ଆର.ଆଇଙ୍କ ଦ୍ବାରା ମିଥ୍ୟା ତଦନ୍ତ କରି ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାର କରିବା ସହ ମେଘମାଳାଙ୍କ ବାପାଙ୍କୁ ସ୍ବାମୀ ଦର୍ଶାଇଥିଲେ। ଏପରି ସୂଚନା ଅଧିକାର ବଳରେ ରେକର୍ଡ ବାହାର କରିଥିବା ସବ୍ୟସାଚୀ ପଣ୍ଡା ସତ୍ୟତା ଲୋକ ଲୋଚନକୁ ଆଣିଛନ୍ତି। ଏପରି ଘଟଣା ଲୋକ ଲୋଚନକୁ ଆସିବା ପରେ ଏକାଧିକ ଉତ୍ତରାଧିକାରୀ ପ୍ରମାଣପତ୍ର ତରବରିଆ ଭାବେ ଚାନ୍ଦବାଲି ତହସିଲରୁ ବାହାରିଥିବା ସବ୍ୟସାଚୀ କହିଛନ୍ତି। ଗୋଟିଏ ପ୍ରମାଣପତ୍ର ୨୦୨୧ ଅପ୍ରେଲ ୨୪ ରେ ବାହାରିଥିବା ବେଳେ ଅନ୍ୟଟି ୨୦୨୨ଜାନୁଆରୀ ୨୪ରେ ବାହାରିଛି। ଗୋଟିଏ ପ୍ରମାଣପତ୍ରରେ ବାପ ସ୍ବାମୀ ଥିବା ବେଳେ ସମସ୍ତ ଭଉଣୀଙ୍କ ନାଁ ନଥିବା କହିଛନ୍ତି ଶୈଳବାଳା।

ଶୈଳବାଳାଙ୍କ କହିବା ଅନୁଯାୟୀ ପ୍ରହ୍ଲାଦ ମିଶ୍ରଙ୍କର ୬ଝିଅ , ଜଣେ ମାନସିକ ବିକୃତ କାରଣରୁ ଦୀର୍ଘବର୍ଷ ହେବ ଆରପାରିକୁ ଚାଲିଯାଇଥିଲେ। ଏପରିକି ୨ଜଣ ବିବାହ କରିଥିବା ବେଳେ ଅନ୍ୟ ୩ଜଣ ଅବିବାହିତ ରହିଥିଲେ। ଅବିବାହିତା ତଥା ଘରର ବଡ ଝିଅ ମେଘମାଳା ୨୦୧୫ରେ ବଦଳି ହୋଇ ନିଜ ଗାଁ ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ।

୨୦୨୧ରେ ଚାକିରିରୁ ଅବସର ନେବା ପରେ କୌଣସି ଏକ ରୋଗରେ ପୀଡିତ ହୋଇ ୨୦୨୧ ମାର୍ଚ୍ଚରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଧନସମ୍ପତିରେ କାହାରିଙ୍କୁ ଉତ୍ତରାଧିକାରୀ ରଖିନଥିଲେ। ହେଲେ ପରିବାରର କିଛି ସଦସ୍ୟ ମେଘମାଳାଙ୍କ ନାଁରେ ଥିବା ଲକ୍ଷାଧିକ ଟଙ୍କାର ଧନ, ସମ୍ପତ୍ତି ଲୋଭରେ ଏକାଧିକ ମୃତ୍ୟୁ ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଅତି ଚଞ୍ଚକତା ସହ ହାତେଇ ଜମି ଓ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗକାରିଣୀ ଶୈଳବାଳା ପଣ୍ଡା କହିଛନ୍ତି। ସେ ଜିଲାପାଳ, ତହସିଲଦାରଙ୍କଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି।

ଅନ୍ୟପଟେ ପରିବାର ଲୋକ ଲୋଭଗ୍ରସ୍ତ ହୋଇ ଝିଅର ବାପକୁ ସ୍ବାମୀ ସଜେଇବା ସମାଜ ପାଇଁ ଅତି ନିନ୍ଦନୀୟ ବୋଲି ଗ୍ରାମବାସୀ କହିଛନ୍ତି। ଏପରି ଚଞ୍ଚକତା କରି ମିଥ୍ୟା ପ୍ରମାଣପତ୍ର ବାହାର କରି ଅବିବାହିତ ଝିଅର ମୃତ୍ୟୁ ପରେ ବାପକୁ ସ୍ବାମୀ ସଜାଇଥିବା ଅଧିକାରୀ ହୁଅନ୍ତୁ କିମ୍ବା ପରିବାର ଲୋକ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଘଟଣା ସମ୍ପର୍କରେ ଆରଡି ଆର.ଆଇ ଦେବାଶିଷ ରାୟଙ୍କୁ ପଚାରିବାରୁ କାଗଜପତ୍ରରେ ତ୍ରୁଟି ହୋଇଥିବା ପ୍ରକାଶ କରିଥିଲେ।

Comments are closed.