ଚନ୍ଦନ ପୂର୍ଣ୍ଣିମାରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ୫ଘଣ୍ଟା ଧରି ବିଜୁଳି କାଟ

ଖରାରେ ସିଝିଲେ ହଜାର ହଜାର ଭକ୍ତ; ପିଇଲେ ପୋଖରୀ ପାଣି

ଆରଡି: ସୋମବାର ପବିତ୍ର ଚନ୍ଦନ ପୂର୍ଣ୍ଣିମା ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ହଜାରହଜାର ଭକ୍ତଙ୍କ ସମାଗମ ହୋଇଥିଲା । ବିଶେଷକରି ଚଳିତ ଶିବବିବାହ ପାଇଁ ସୋମବାର ଲଗ୍ନଥାଳ ଉଠିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ପୀଠରେ ସକାଳ ୧୦ଟାରୁ ମଧ୍ୟାହ୍ନ ୨ଟା ଯାଏଁ ଦୀର୍ଘ ୫ଘଣ୍ଟା ଧରି ବିଜୁଳି କାଟ ଯୋଗୁଁ ବାବା ଆଖଣ୍ଡଳମଣିଙ୍କ ସମସ୍ତ ନୀତିକାନ୍ତି ଓ ଜଳାଭିଷେକ ପୁଷ୍କରିଣୀର ପ୍ରଦୂଷିତ ଜଳରେ ସମାପନ କରାଯାଇଥିବା ବେଳେ ଭକ୍ତଙ୍କ ପିଇବାପାଣି ପାଇଁ ଡହଳବିକଳ ହୋଇ ଶେଷରେ ପୋଖରି ପାଣିରେ ଶୋଷ ମେଣ୍ଟାଇଥିଲେ। ଏପରି ବିଜୁଳି କାଟ ସମସ୍ୟାକୁ ନେଇ ବିଭାଗର ଅଧିକାରୀ ଓ ସ୍ଥାନୀୟ କର୍ମଚାରୀଙ୍କୁ ଫୋନ କରିଥିଲେ ମଧ୍ୟ ସୁଇଚ ଅଫ ରହିଥିଲା ।  ପୀଠରେ ସୋମବାର ସହ ଶିବବିବାହ ପାଇଁ ଲଗ୍ନ ଥାଳ ଉଠା ନୀତି  ପାଳନ ହେଉଥିବାରୁ  ଗତ ୧୦ତାରିଖରେ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ । ଏପରିକି ସମସ୍ତ ଉତ୍ସବ ଦିନ ନିରବିଚ୍ଛିନ୍ନ ବିଜୁଳି ସେବା ସହ ପିଇବା ପାଣି ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ହେଲେ ଜିଲ୍ଲାପାଳଙ୍କ ନିର୍ଦେଶକୁ ଖାତିର ନକରି ବିଜୁଳି ବିଭାଗ ବିଜୁଳି କାଟ୍‌ କରିଥିଲା । ଫଳରେ ହଜାରହଜାର ଭକ୍ତ ମଣିବାବାଙ୍କ ଦର୍ଶନ ପାଇଁ ଡହଡହ ଖରାରେ ସିଜିବା ସହ ଅନ୍ଧାରରେ ବାବାଙ୍କୁ ଦର୍ଶନ କରିଥିଲେ । ଆଖଣ୍ଡଳମଣିପୀଠ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହୋଇଥିବାରୁ ବିଜୁଳି ବିଭାଗର ମନମୁଖି କାର୍ଯ୍ୟ ଯୋଗୁ ଅନେକ ସମୟରେ ପୀଠ ଅନ୍ଧାକାରମୟ ରହୁଛି । ଏପରି ସମସ୍ୟା ଯଦି ଆଗକୁ ଲାଗିରହେ ତାହେଲେ ସେବାପୂଜାରେ ଅସହଯୋଗ କରିବେ ବୋଲି ସେବାୟତ ଚେତାବନୀ ଦେଇଛନ୍ତି।

Comments are closed.