ଜୁନ ୪ରେ ଶିବବିବାହ, ଉଠିଲା ଲଗ୍ନ ଚିଟାଉ ଥାଳ

ଉତ୍ସବ ମୁଖର ସମଗ୍ର ଆରଡି ପୀଠ: ଯୌତୁକ ବାବଦକୁ ମଣିବାବା ନେବେ ୨ହଳ ନାଗନାଗୁଣୀ, ୨ଟି ବୃଷଭ

ଆରଡି: ଗତ ୨ବର୍ଷର କଟକଣା ପରେ ଚଳିତ ବର୍ଷ ବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ଆସନ୍ତା ଜୁନ ୪ରେ ମହା ଆଡମ୍ବର ସହ ପରିପାଳିତ ହେବ। ଏଥିପାଇଁ ପବିତ୍ର ଚନ୍ଦନପୂର୍ଣ୍ଣିମା ଓ ସୋମବାରରେ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅପରାହ୍ଣରେ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ସୋମବାର ସକାଳୁ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ଚାଲିଥିଲା ସ୍ବତନ୍ତ୍ର ନୀତିକାନ୍ତି। ଚଳିତବର୍ଷ ଦେବଦମ୍ପତିଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ ପାଢୀ ବରପିତା ଭାବେ ଚୟନ ହୋଇଥିବା ବେଳେ କନ୍ୟାପିତା ଭାବେ ବ୍ରହ୍ମପୁର ଜିଲା ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ୟ ପ୍ରାପ୍ତି ହୋଇଛନ୍ତି। ଗତ ୨ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ସୀମିତ ସେବାୟତଙ୍କ ଗହଣରେ ବିବାହ ସମ୍ପନ୍ନ କରାଯାଇଥିଲା। ହେଲେ ଚଳିତବର୍ଷ ଭକ୍ତଙ୍କୁ ଏହି ବିବାହ ଉତ୍ସବରେ ସାମିଲ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବାରୁ ଭକ୍ତଙ୍କ ଗହଣରେ ବିବାହ କାର୍ୟ୍ୟ ଅନୁଷ୍ଠିତ ହେବ।

ଚଳିତବର୍ଷ ବିବାହ ଶୋଭାଯାତ୍ରାରେ ପାରମ୍ପରିକ ଲୋକବାଦ୍ୟ ପୁଣି ଦୁଲିକିବ ଆରଡିପୀଠ। ଲଗ୍ନ ଚିଟାଉ ଥାଳ ଉଠା ନୀତି ପାଇଁ ସୋମବାର ବରପିତା ଦୁଷ୍ମନ୍ତ ପାଢୀ ନିଜର ଜ୍ଞାତିକୁଟୁମ୍ବ ସହ ବାଜା ରୋଷଣୀ ସହ ଏକ ଶୋଭାଯାତ୍ରାରେ କନ୍ୟାପିତା ଚନ୍ଦ୍ରଶେଖର ଦାଶଙ୍କ ପୁରୋହିତ ଚନ୍ଦ୍ରମଣି ପାଢୀଙ୍କ ଘରେ। ସେଠାରେ ବୈଦିକ ରୀତିନୀତି ଅନୁଯାୟୀ ବ୍ରାହ୍ମଣ ଓ ଜ୍ୟୋତିଷ୍ୟଙ୍କ ଦ୍ବାରା ଲଗ୍ନ ଚିଟାଉ ତାଳପତ୍ରରେ ଲେଖା ହେବା ପରେ ପଠନ କରାଯାଇଥିଲା। ଏପରିକି ବିବାହ ବେଦିରେ ଯୌତୁକ ବାବଦକୁ ବରଙ୍କୁ କନ୍ୟାପିତା ୨ହଳ ନାଗନାଗୁଣୀ ସହ ୨ହଳ ବୃଷଭ, ୨ଏକର ଶ୍ମଶାନ ଜମି ଓ ନଗଦ ୫୦୧ଟଙ୍କା ଦେବା ପାଇଁ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ। ଏହାପରେ ଲଗ୍ନଥାଳ ବରପିତାଙ୍କୁ ଟେକି ଦେଇଥିଲେ। ଏହି ବିବାହ କାର୍ୟ୍ୟ ବୈଦିକ ରୀତିନୀତି ଓ ଲୋକାଚାରରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଦେବଦେବ ମହାଦେବ ମଣିବାବାଙ୍କର ମାନବୀୟ ଭାବେ ଲଗ୍ନ ସରିବା ପରେ ଜୁନ ୪ରେ ଦେବଦମ୍ପତିଙ୍କ ବିବାହ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପ୍ରସ୍ତୁତ କରାଯାଇଥିଲା। ଏହି ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ଆଖପାଖ ଜିଲାର ଦେବଦେବୀଙ୍କ ନିମନ୍ତ୍ରଣ ପାଇଁ ସେବାୟତମାନେ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।

Comments are closed.