ଚନ୍ଦନ ପୂର୍ଣ୍ଣିମାରେ ଆଖଣ୍ଡଳମଣି ପୀଠରେ ଦୀର୍ଘ ୫ଘଣ୍ଟା ଧରି ବିଜୁଳି କାଟ

ଆରଡି: ସୋମବାର ପବିତ୍ର ଚନ୍ଦନ ପୂର୍ଣ୍ଣିମା ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ହଜାରହଜାର ଭକ୍ତଙ୍କ ସମାଗମ ହୋଇଥିଲା। ବିଶେଷକରି ଚଳିତ ଶିବବିବାହ ପାଇଁ ସୋମବାର ଲଗ୍ନଥାଳ ଉଠିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ପୀଠରେ ସକାଳ ୧୦ଟାରୁ ମଧ୍ୟାହ୍ନ ୨ଟା ଯାଏଁ ଦୀର୍ଘ ୫ଘଣ୍ଟା ଧରି ବିଜୁଳି କାଟ ଯୋଗୁଁ ବାବା ଆଖଣ୍ଡଳମଣିଙ୍କ ସମସ୍ତ ନୀତିକାନ୍ତି ଓ ଜଳାଭିଷେକ ପୁଷ୍କରିଣୀର ପ୍ରଦୂଷିତ ଜଳରେ ସମାପନ କରାଯାଇଥିବା ବେଳେ ଆଗନ୍ତକ ଭକ୍ତ ପିଇବାପାଣି ପାଇଁ ଡହଳବିକଳ ହୋଇ ଶେଷରେ ପୋଖରି ପାଣିରେ ଶୋଷ ମେଣ୍ଟାଇଥିଲେ। ଏପରି ବିଜୁଳି କାଟ ସମସ୍ୟାକୁ ନେଇ ବିଭାଗର ଅଧିକାରୀ ଓ ସ୍ଥାନୀୟ କର୍ମଚାରୀଙ୍କୁ ଫୋନ କରିଥିଲେ ମଧ୍ୟ ସୁଇଚ ଅଫ ରହିଥିଲା। ପୀଠରେ ସୋମବାର ସହ ଶିବବିବାହ ପାଇଁ ଲଗ୍ନ ଥାଳ ଉଠା ନୀତି ପାଳନ ହେଉଥିବାରୁ ଗତ ୧୦ତାରିଖରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ। ଏପରିକି ସମସ୍ତ ଉତ୍ସବ ଦିନ ନିରବିଛିନ୍ନ ବିଜୁଳି ସେବା ସହ ପିଇବା ପାଣି ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ହେଲେ ଜିଲାପାଳଙ୍କ ନିର୍ଦେଶକୁ ଖାତିର କଲାନି ବିଜୁଳି ବିଭାଗ। ଫଳରେ ହଜାରହଜାର ଭକ୍ତ ମଣିବାବାଙ୍କ ଦର୍ଶନ ପାଇଁ ଗ୍ରୀଷ୍ମର ଡହଡହ ଖରାରେ ସିଜିବା ସହ ଅନ୍ଧାରରେ ଦର୍ଶନ କରିଥିଲେ ମଣିବାବାଙ୍କୁ। ଆଖଣ୍ଡଳମଣିପୀଠ ରାଜ୍ୟର ଏକ ପ୍ରମୁଖ ପର୍ୟ୍ୟଟନସ୍ଥଳ ହୋଇଥିବାରୁ ବିଜୁଳି ବିଭାଗର ମନମୁଖି କାର୍ୟ୍ୟ ଯୋଗୁ ଅନେକ ସମୟରେ ପୀଠ ଅନ୍ଧାକାରମୟ ରହୁଛି। ଏପରି ସମସ୍ୟା ଯଦି ଆଗକୁ ଲାଗି ରହେ ତାହେଲେ ସେବାପୂଜାରେ ଅସହଯୋଗ କରିବେ ବୋଲି ସେବାୟତ ଚେତାବନୀ ଦେଇଛନ୍ତି।

Comments are closed.