ଆସନ୍ତାକାଲିଠୁ ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତି

୨ବର୍ଷର କୋଭିଡ କଟକଣା ପରେ ଗୋପାଳଭକ୍ତ ଆଣିବେ ଜଳଭାର

ଆରଡି: ଆସନ୍ତାକାଲି ମହାବିଶୁବ ସଂକ୍ରାନ୍ତି । କାଲିଠାରୁ ଏକମାସ ଧରି ଆରମ୍ଭ ହେବ ବାବା ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତି । ଏଥିପାଇଁ ପରମ୍ପରା ଅନୁଯାୟୀ ବିଭିନ୍ନ ନଦୀରୁ ଗୋପାଳଭକ୍ତମାନେ ଜଳ ଆଣି ସେବାୟତଙ୍କ ଦ୍ୱାରା ଲାଗି କରିବେ । ବିଗତ ୨ବର୍ଷ ହେବ କୋଭିଡ କଟକଣା ଯୋଗୁ ଗୋପାଳଭକ୍ତଙ୍କ ଜଳଲାଗି ବନ୍ଦ ରହିଥିଲା । ଚଳିତବର୍ଷ କଟକଣାକୁ କୋହଳ କରାଯାଇଥିବାରୁ ବିଭିନ୍ନ ପ୍ରାନ୍ତରରୁ ଭକ୍ତଙ୍କ ସହ ଗୋପାଳଭକ୍ତଙ୍କ ଭିଡ ପରିଲକ୍ଷିତ ହେବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ତାହାସହ ମନ୍ଦିରର ନୀତିକାନ୍ତି ନିମନ୍ତେ ଭୋର ୪ଟା ମଧ୍ୟରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ସକାଳ ୫ଟା୩୦ରୁ ୧୧ଟା ଯାଏଁ ଗୋପାଳଭକ୍ତଙ୍କ ଜଳଲାଗି କରାଯିବ । ପରେ ଅନ୍ୟାନ୍ୟ ନୀତି ସହ ଅପରାହ୍ଣରେ ବଡସିଂହାରବେଶ ଓ ସଂଧ୍ୟାରେ ଷୋଡଶ ଉପଚାରପୂଜା ସହ ଆଳତୀ ସମ୍ପନ୍ନ ହେବ।

Comments are closed.