୫ଦିନ ହେଲା କ୍ଷେତରେ ଭାସୁଛି ସୁନାର ଫସଲ

ଆରଡି: ବାତ୍ୟା ଜୱାଦ ସିନା ଟଳିଗଲା କିନ୍ତୁ ଲଗାଣ ବର୍ଷା ଚାଷୀ କୂଳକୁ ଦେଇଗଲା ଦୁଃଖ। ଦୀର୍ଘ ୫ଦିନ ହେଲା କ୍ଷେତରେ ବର୍ଷାପାଣି ନିଷ୍କାସନ ହେଉନଥିବାରୁ ଆଣ୍ଠୁଏ ଉଚ୍ଚରୁ ପାଣିରେ ଭାସୁଛି ସୁନାର ଫସଲ। ଏପରିକି ଅଧିକାଂଶ କ୍ଷେତରେ ପୂର୍ବରୁ ଜମି ରହିଥିବା ପାଣି ଓ ଏବେ ବର୍ଷା ପାଣିରେ ପଚିବାକୁ ଲାଗିଲାଣି ପାଚିଲା ଧାନ। ବହୁ ଚାଷୀ ଏପରି ଦୁଖଃରେ ଭାଙ୍ଗି ପଡିବା ସହ ଖାଇବା ପିଇବା ଛାଡିଲେଣି ବୋଲି କହନ୍ତି ରିଟ ଦାଶ, ରୁନୁଆ ବିଶ୍ବାଳ ପ୍ରମୁଖ। ସମୁଦ୍ର ଉପକୂଳବର୍ତ୍ତୀ ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଶହଶହ ହେକ୍ଟର କ୍ଷେତରେ ଏବେ ଅମଳ ହେବାକୁ ଥିବା ପାଚିଲା ଧାନ କେଉଁଠି ପଚିଲାଣି ତ ଆଉ କେଉଁଠି ଗଜା ହେଲାଣି। ଚଳିତବର୍ଷ ଭଲ ଫସଲ ହୋଇଥିବାରୁ ଚାଷୀ ମନ ବଢାଇଥିଲା ଋଣ ପରିଷୋଧ କରି ଅନ୍ୟାନ୍ୟ ଖର୍ଚ୍ଚ ମେଣ୍ଟାଇବ ହେଲେ ସେ ଆଶା ଆଶାରେ ରହିଗଲା।

ଏପରି ଚିନ୍ତାରେ ଚାଷୀ ନିଜର ଜୀବନ ଜୀବିକା ପାଇଁ କ୍ଷେତରେ ପାଚିଲା ଧାନ ଛାଣୁଛି। ଆଉ ବିଭିନ ବ୍ୟାଙ୍କରୁ ଆଣିଥିବା ଋଣ କିପରି ପରିଶୋଧ କରିବ ଏବେ ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଅନ୍ୟପଟେ କ୍ଷୟକ୍ଷତିର ଆକଳନ ନିମନ୍ତେ ଆର.ଆଇଙ୍କ ସହ କୃଷିବିଭାଗ ଅଧିକାରୀ ସମସ୍ତ ଅଞ୍ଚଳକୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି।

Comments are closed.