ବାତ୍ୟା ଜୱାଦ ପ୍ରଭାବ: ଛାଡିଲା ବର୍ଷା, ବଢିଲା ଦୁର୍ଦଶା

କ୍ଷେତରେ ଲହଡି ଭାଙ୍ଗୁଥିବା ବର୍ଷାପାଣିରୁ ଅମଳଧାନକୁ ଛାଣୁଛି ଚାଷୀ, ଋଣ ଚନ୍ତାରେ ଚାଷୀକୂଳ

ଆରଡି: ବାତ୍ୟା ଜୱାଦ ସିନା ଚାଲିଗଲା ହେଲେ ଚାଷୀକୂଳକୁ ଦେଇଗଲା ଦୁଃଖ। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁର ଆଦି ପଞ୍ଚାୟତର ଶହଶହ ଏକର ଚାଷଜମିରେ ଏବେ ଆଣ୍ଠୁଏ ଉଚ୍ଚରେ ଲହଡି ଭାଙ୍ଗୁଛି ବର୍ଷା ଓ ଜୁଆରପାଣି। ବର୍ଷା ଛାଡିବା ପରେ ସୋମବାର ଚାଷୀମାନେ ପାଚିଲାଧାନକୁ ଅମଳ ପାଇଁ କ୍ଷେତରୁ ପାଣି ଛାଣି ଉଠାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ଆରଡି, ଶୀତଳପୁର, ପହଣା, ଭୂଇଁପୁର, ନାନ୍ଦପୁର, ସୁନ୍ଦରପୁର, ଖଟୁଆପାଟଣା, ପାରଡିଆ, କୁଳେଇପଦା, ଓଳଗ, ବୋଡକ, ଦୋହରାପାଟଣା ଆଦି ଗାଁରେ। ଏହି ଅଞ୍ଚଳର ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ଶତପ୍ରତିଶତ ଖରିଫ ଓ ରବି ଧାନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଚାଷ ଅମଳ ବେଳକୁ ଯେ ଏପରି ଦୁର୍ବିପାକ ଦେଖାଦେବ କେହି କେବେ ଭାବିନଥିଲେ ବୋଲି ଚାଷୀ ଚୈତନ ବିଶ୍ବାଳ, ସୁଦାମ ସାହୁ, ଅଭି ମଲିକ ପ୍ରମୁଖ ପ୍ରକାଶ କରିଛନ୍ତି। ଗତ ୨ବର୍ଷ ହେଲା ମହାମାରୀ କରୋନା ଯୋଗୁ ବାହାରେ ଚାକିରୀ ଛାଡି ଗାଁରେ ଅଧିକାଂଶ ଲୋକ ରହିବା ସହ ଚାଷ କରିବା ପାଇଁ ମନ ବଳାଇବା ସହ ବିଭିନ୍ନ କିସମର ବିହନ ଆଣିଥିଲେ। ଏହାସହ ବ୍ୟାଙ୍କ ଓ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଋଣ ଆଣି ଚାଷ କରିଥିଲେ। ହେଲେ ଚାଷ ଆରମ୍ଭରୁ ପ୍ରଥମେ ବର୍ଷା ଅଭାବରୁ ଗଜାମରୁଡି ଦେଖାଦେଇଥିବାବେଳେ ପରବର୍ତ୍ତି ସମୟରେ ବାତ୍ୟା ପ୍ରଭାବରେ ଲୁଣାଢେଉ ମାଡି ଆସିବାରୁ ଧାନତଳି ନଷ୍ଟ ହୋଇଗଲା। ଏବେ ବାତ୍ୟାର ଅମଳଧାନ କ୍ଷେତରେ ଭାସିବା , ଯାହାକି ଚାଷୀମାନଙ୍କର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ବାତ୍ୟା ଜୱାଦର ସିନା ପ୍ରଭାବ ରହିଲା ନାହିଁ ହେଲେ ବାଦଲଫଟା ବର୍ଷା ଯୋଗୁ କ୍ଷେତରେ ଅଣ୍ଟାଏ ଉଚ୍ଚର ବର୍ଷାପାଣି ଲହଡି ମାରୁଥିବାରୁ ଅମଳ ହେବାକୁ ପାଚିଲାଧାନ କେଉଁଠି ବୁଡି ରହି ପଚିଲାଣି ତ ଆଉ କେଉଁଠି ଗଜା ହେଲାଣି। ଏପରି ଚିନ୍ତାରେ ଚାଷୀ ନିଜର ଜୀବନ ଜୀବିକା କିପରି ପୋଷଣ କରିବ ଋଣ କିପରି ସୁଜି ମୁଣ୍ଡରେ ହାତ ଦେଇ ବସିଛି।

Comments are closed.