ଏନ.ଏଚ ବିଭାଗର ବିଚିତ୍ର ନୀତି, ୨୦ନଂ ଜାତୀୟ ରାଜପଥକୁ ସୁରକ୍ଷା ଦେବ ବାଉଁଶ ବାଲିବସ୍ତା

ଆରଡି: ଗତ ୪ଦିନ ତଳେ ଭଦ୍ରକ ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଆରଡି ନିକଟସ୍ଥ ବୋଡକ ନିକଟରେ ଆଖଣ୍ଡଳମଣି-ଯାଜପୁର ୨୦ନଂ ଜାତୀୟ ରାଜପଥର ପ୍ରାୟ ୨ଶହ ଫୁଟର ପଥର ପ୍ୟାକିଂ ଲଘୁଚାପ ଜନିତ ଲଗାଣ ବର୍ଷାରେ ନଦୀ ମଧ୍ୟକୁ ଧସିଯାଇଥିଲା। ଫଳରେ ନଦୀକୂଳିଆ ବାସୀ ଆତଙ୍କିତ ହୋଇ ପଡ଼ିବା ସହ ଉଭୟ ପର୍ଯ୍ୟଟନସ୍ଥଳକୁ ଯୋଗେଯାଗ ବିଛିନ୍ନ ହେବାର ଆଶଙ୍କା ଦେଖାଇଥିଲା। ଏପରି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପାଣିକୋଇଲି ଏନ.ଏଚ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରିବା ସହ ସ୍ଥାୟୀ ମରାମତି ପାଇଁ ସ୍ଥାନୀୟ ଲୋକଙ୍କୁ ଆଶୋସନା ଦେଇଥିଲେ। ହେଲେ କାର୍ଯ୍ୟରତ ଠିକାଦାର ଘଟଣାକୁ ଲୁଚାଇବାକୁ ଯାଇ ଉକ୍ତ ସ୍ଥାନରେ ଜରିପାଲ ଘୋଡାଇବାରୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ତିବ୍ର ପ୍ରତିକ୍ରିୟା ଦେଖାଦେବା ପରେ ଧସିଥିବା ସ୍ଥାନରୁ ଜରିପାଲ କଢାଯାଇ ସୋମବାର ବିଭାଗ ପକ୍ଷରୁ କେତେଖଣ୍ଡ ବାଉଁଶ ଓ ବାଲିବସ୍ତା ପକାଯାଇଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି। ଏପରିକି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯେଉଁଠି ପଥରବନ୍ଧ ରହିଲାଣି ସେଠାରେ କିପରି ଭାବେ ବାଉଁଶ ବାଲିବସ୍ତା ଜାତୀୟ ରାଜପଥକୁ ସୁରକ୍ଷା ଦେବ? ତାହାସହ ଠିକାଦାରଙ୍କୁ ଘେରାଉ କରିବା ସହ କାର୍ଯ୍ୟକୁ ବନ୍ଦ କରିଥିଲେ। ଏପରି କାର୍ଯ୍ୟ ବାବଦରେ ଏନଏଚ ବିଭାଗର କନିଷ୍ଠଯନ୍ତ୍ର୍ରୀ ଶୁଭସ୍ମିତା ପାଣିଙ୍କୁ ପଚାରିବାରୁ ଉକ୍ତ ସ୍ଥାନରେ କାର୍ଯ୍ୟ ଜାରି ରହିଛି, ଆଗକୁ ସାମ୍ଭାବ୍ୟ ଲଘୁଚାପ ବର୍ଷା ଥିବାରୁ ଯେପରି ଅନ୍ୟପଥର ଖଣ୍ଡ ନଖସିବ ସେଥିପାଇଁ ଅସ୍ଥାୟୀ ଭାବେ ବାଲିବସ୍ତା ଓ ବାଉଁଶ ଦିଆଯାଇଛି।

Comments are closed.