ବୈଷୟିକ ପରାମର୍ଶ ନିଆଯାଇ ମରାମତି ହେବ ନଦୀବନ୍ଧ

0

ଆରଡି : ଭଦ୍ରକ ଜିଲା ଓଳଗ ପଞ୍ଚାୟତ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ନଦୀର ପ୍ରାୟ ୧ଶହ ଫୁଟ ସୁରକ୍ଷା ବନ୍ଧ ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ନଦୀଗର୍ଭକୁ ଧସିଯିବା ଫଳରେ ୩ଟି ଗାଁର ଲୋକ ଆତଙ୍କିତ ହୋଇ ପଡିଥିଲେ। ଏହି ଘଟଣାର ଅନୁଧ୍ୟାନ ପାଇଁ ଶନିବାର ଯାଜପୁର ଜଳସେଚନ ଡିଭିଜନର କନିଷ୍ଠଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରିବା ସହ ଏନେଇ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ନଦୀପଠାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯିବା ଓ ଦୈନଦିନ ୩୦ ରୁ ୪୦ ଟ୍ରକ୍ ଗାଡି ଯାତାୟତ କରିବା ଦ୍ୱାରା ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଏହାକୁ ବନ୍ଦ କରାଯିବା ଆଦି ନେଇ ଆଲୋଚନା ହୋଇଥିଲା। ହେଲେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି ସ୍ଥାନରେ ବିଭାଗ ପକ୍ଷରୁ ସ୍ଥାୟୀ ମରାମତି କାର୍ଯ୍ୟ ହେଉନଥିବାରୁ ପ୍ରତିବର୍ଷ ବର୍ଷାଋତୁ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ନଦୀବନ୍ଧରେ ବଡବଡ ଫାଟ ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ହଠାତ ନଦୀଗର୍ଭକୁ ସୁରକ୍ଷାବନ୍ଧ ଧସିଯାଉଛି। ଆଗାମୀ ଦିନରେ ଏହି ସୁରକ୍ଷାବନ୍ଧର ଯଦି ସ୍ଥାୟୀ ମରାମତି କରାନଯାଏ ତେବେ ୨୪ ଖଣ୍ଡର ଗାଁ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ଏପରି ସମସ୍ୟା ବାବଦରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଷାଠିବାଙ୍କୁଡା ଠାରେ ବୈତରଣୀ ନଦୀର ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ସିଧାସଳଖ ଭାବେ ନଦୀବନ୍ଧରେ ମାଡ ହୋଇଥାଏ। ଏହାର ସ୍ଥାୟୀ ପ୍ରତିକାର ପାଇଁ ଖୁବଶୀଘ୍ର ବୈଷୟିକ ବିଭାଗର ପରାମର୍ଶ ନିଆଯାଇ ସ୍ଥାୟୀ ମରାମତି କାର୍ଯ୍ୟ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ।

Leave A Reply