ପୁଣି କୂଳ ଲଙ୍ଘିଲା ବୈତରଣୀ; ଧସିଲା ୧ଶହ ଫୁଟର ସୁରକ୍ଷାବନ୍ଧ, ଭୟରେ ନଦୀକୂଳିଆବାସୀ

ଆରଡି : ପୁଣି କୂଳ ଲଙ୍ଘିଲା ବୈତରଣୀ ନଦୀ, ଧସିଲା ଏକଶହ ଫୁଟର ସୁରକ୍ଷାବନ୍ଧ, ଏପରି ସ୍ଥିତି ଦେଖା ଦେଇଛି ଭଦ୍ରକ ଜିଲା ଆରଡି ନିକଟସ୍ଥ ବୋଡକ ଠାରେ। ଗତକିଛିଦିନ ହେବ ଲଘୁଚାପ ଜନିତ ଉପରମୁଣ୍ଡରେ ଲଗାଣ ବର୍ଷା ଦ୍ୱାରା ବୈତରଣୀ ନଦୀ ଉଛୁଳି ପଡ଼ିବା ସହ ଜୁଆର ସମୟରେ କୂଳ ଲଙ୍ଘୁଛି। ଫଳରେ ନଦୀର ସୁରକ୍ଷାବନ୍ଧରୁ ମାଟି ଅତଡା ଖସିବା ସହ ରବିବାର ୧ଶହ ଫୁଟର ନଦୀବନ୍ଧ ନଦୀରେ ଲିନ୍ନ ହୋଇଯାଇଛି। ଯାହାକୁ ନେଇ ନଦୀକୂଳିଆବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଗତକିଛିଦିନ ତଳେ ମୁଆଁ ନିକଟରେ ବୈତରଣୀ ନଦୀର ୨ଶହ ଫୁଟର ନଦୀବନ୍ଧ ଧସି ଯାଇଥିବା ବେଳେ ରବିବାର ଭୋର ସମୟରେ ବୈତରଣୀ ନଦୀର ଉପରମୁଣ୍ଡରୁ ଆସୁଥିବା ବର୍ଷାପାଣି ଓ ଜୁଆର ପାଣି ପ୍ରବାହିତ ହେଉଥିବା ବେଳେ ବୋଡକ ନିକଟସ୍ଥ ଆଖଣ୍ଡଳମଣି-ଯାଜପୁର ମୁଖ୍ୟ ରାସ୍ତାର ଏକ ଖେଳ ପଡ଼ିଆ ନିକଟରେ ପ୍ରାୟ ୧ଶହ ଫୁଟ ନଦୀବନ୍ଧ ନଦୀ ମଧ୍ୟକୁ ଧସି ଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି। ଏପରି ନଦୀବନ୍ଧ ଯଦି ବାରମ୍ବାର ଧସିବ ତାହାଲେ ଆଗାମୀ ଦିନରେ ଆଖଣ୍ଡଳମଣି-ଯାଜପୁର ୨ଟି ପର୍ଯ୍ୟଟନସ୍ଥଳ ମଧ୍ୟରେ ଯୋଗାଯୋଗ ସମ୍ପୁର୍ଣ୍ଣ ଠପ ହୋଇଯିବ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ଏହି ନଦୀ ବନ୍ଧର ସୁଦୃଢୀକରଣ ପାଇଁ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏପରି ବାରମ୍ବାର ନଦୀବନ୍ଧ ଧସୁଥିବା ଅଭିଯୋଗ ହୋଇଛି।

Comments are closed.