ସାମୁଦ୍ରିକ ଲୁଣା ଜୁଆର ପାଇଁ ଉଜୁଡିଗଲା ଶହଶହ ଏକର ଡାଳୁଅ ଧାନ, ଖାଇଗଲେ ସବାଖିଆ ପୋକ

ଆରଡି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଜଳଦେଶ ଭାବେ ପରିଚିତ ନାନ୍ଦପୁର , ଆରଡି, ଆଦି ଅଞ୍ଚଳରେ ବର୍ଷା ଅଭାବରୁ ସାମୁଦ୍ରିକ ଲୁଣା ଜୁଆରପାଣି କ୍ଷେତକୁ ମାଡି ଯିବାରୁ ଶହଶହ ଚାଷୀଙ୍କର ଡାଲୁଅ ଧାନ କ୍ଷତି ଘଟାଇଛି। ଏପରିକି ଲୁଣାପାଣି ସାଙ୍ଗକୁ ସବାଖିଆ ପୋକ ଧାନଗଛରେ ଲାଗିବାରୁ ଏବେ କ୍ଷେତରେ ଅମଳ ହେବାକୁ ଥିବା ଧାନ ବଦଳେ ଅଗାଡି ଲୋଟୁଛି। ଯାହାକୁ ନେଇ ଚାଷୀ କିପରି ଋଣ ପରିଷୋଧ କରିବେ ଓ ପରିବାର ପୋଷଣ କରିବେ ସେଥିପାଇଁ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀମାନଙ୍କର ଉନ୍ନତି ପାଇଁ ସରକାର ଜଳସେଚନ ବ୍ୟବସ୍ଥା ସହିତ ବିଭିନ୍ନ ନଈଯୋର ଓ ମାହାରାରେ ସ୍କୁଇସଗେଟ ନିର୍ମାଣ ପାଇଁ କୋଟିକୋଟି ଟଙ୍କା ବ୍ୟୟ ବରାଦ କରୁଥିଲେ ମଧ୍ୟ ତାହା ଚାଷୀଙ୍କ କାମରେ ଲାଗି ପାରୁନଥିବା ପହଣା ଗାଁର ଚାଷୀ ଶିତାକାନ୍ତ ଦାସ, ବିପ୍ଳବ ଭଞ ପ୍ରମୁଖ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରୁ ବିଭିନ୍ନ ମାହାରା ଓ ନଈଯୋର ଦେଇ ଶହଶହ ଏକର କ୍ଷେତକୁ ପାଣି ମାଡିଥାଏ। ଫଳରେ ବିଭିନ୍ନ ନଈଯୋର ଓ ମାହାରାରେ ମଧୁରଜଳ ଅଟକ ରଖିବା ପାଇଁ ଜଳସେଚନ ବିଭାଗ ଓ ଡ୍ରେନେଜ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ସ୍କୁଇସ ଗେଟ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଅଧାପଇଁତରା ହୋଇ ରହିଥିବାରୁ ଚାଷକାମରେ ଲାଗି ପାରୁନଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଫଳରେ ପ୍ରତିବର୍ଷ ଲୁଣା ଜୁଆରପାଣିରେ ପ୍ରତିବର୍ଷ ଉଜୁଡି ଯାଉଛି ଶହଶହ ଏକର ଧାନ ଫସଲ।

Comments are closed.