କାରଖାନା କ୍ଷତିଗ୍ରସ୍ତ ଅଞ୍ଚଳର ବିପର୍ଯ୍ୟସ୍ତ ରାସ୍ତାଘାଟ

ଶିଳ୍ପାୟନ ଓ ବିକାଶର ବିକଳ ଚିତ୍ର

ରେଙ୍ଗାଲି :  ଶିଳ୍ପାୟନ ପ୍ରକ୍ରିୟାରେ କଳକାରଖନା ପ୍ରତିଷ୍ଠା ହେଲେ ଅଞ୍ଚଳର ପାରିପାରିର୍ଶ୍ବିକ ଉନ୍ନୟନ ହେବ ଏବଂ ମୌଳିକ ଭିତ୍ତିଭୁମିର ବିକାଶ ଦିଗରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି କଳକାରଖନା ପ୍ରତିଷ୍ଠା ସମୟରେ କମ୍ପାନୀ ଏବଂ ପ୍ରଶାସନ ତଥା ସରକାର ଦେଇଥିବା ପ୍ରତିଶ୍ରୁତି ଲଲିପପ୍ ପାଲଟି ଯାଇଛି। କଳକାରଖାନା ପ୍ରତିଷ୍ଠା ହେଲା ପରେ ଏଥି ଯୋଗୁଁ ପ୍ରତ୍ୟକ୍ଷ ଭାବରେ କ୍ଷତିଗ୍ରସ୍ତ, ବିସ୍ଥାପିତ ଓ ପ୍ରଭାବିତ ହେଉଥିବା ଜନସାଧାରଣଙ୍କ ମୌଳିକ ସମସ୍ୟାର ସମଧାନ ଦିଗରେ କମ୍ପାନୀ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି। କଳକାରଖାନ ପ୍ରତିଷ୍ଠା ହେବାର ଦେଢରୁ ଦୁଇ ଦଶନ୍ଧି ବିତିଗଲା ପରେ ବି ପ୍ରତିଷ୍ଠା ସମୟରେ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ । ଲୋକେ ମହରଗରୁ ଯାଇ କାନ୍ତାରରେ ପଡିଲା ଭଲି ଅବସ୍ଥାରେ ଅଛନ୍ତି । ଅନେକ କ୍ଷତିଗ୍ରସ୍ତ ଲୋକେ କ୍ଷତିପୂରଣ ତ ପାଇ ନାହାନ୍ତି ବରଂ ପୂର୍ବାପେକ୍ଷା ଅଧିକ ସମସ୍ୟାରେ ଘାଣ୍ଟି ଚକଟି ହେଉଛନ୍ତି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଲପଙ୍ଗା ଅଞ୍ଚଳରେ ପ୍ରତିଷ୍ଠିତ ଆଦିତ୍ୟ ଆଲୁମିନା କମ୍ପାନୀ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର ବିପର୍ଯ୍ୟସ୍ତ ରାସ୍ତାଘାଟ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ଅଞ୍ଚଳବାସୀଙ୍କ ଗମନାଗମନ ପାଇଁ ଉପଯୁକ୍ତ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ଏହି କମ୍ପାନୀ ଗମନାଗମନର ପୂର୍ବ ସ୍ଥିତିକୁ ମଧ୍ୟ ଧ୍ୱଂସ କରିଦେଇଛି। ଘିଚାମୁରା ପଞ୍ଚାୟତ ଅଞ୍ଚଳରୁ ଗୁମକାରମା ଦେଇ ଲପଙ୍ଗାକୁ ସଂଯୋଗ କରୁଥିବା ରସ୍ତା ଏକ ଦୃଷ୍ଟାନ୍ତ। ନିଜରସଂଖ୍ୟାଧିକ ଭାରୀଯାନ ଚଳାଚଳ କରୁଥିବା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାର ରକ୍ଷଣାବେକ୍ଷଣ କମ୍ପାନୀର ମୌଳିକ ଦାୟିତ୍ୱ ହୋଇଥିଲେ ମଧ୍ୟ କମ୍ପାନୀ ଏହାକୁ ଭୁଲି ଯାଇଛି ବୋଲି ସଚେତତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ଅଞ୍ଚଳର ଜମି ଜଙ୍ଗଲ, ପାଣିରେ ପରିଚାଳିତ ଜନସାଧରାଣଙ୍କ ଯାତାୟାତ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଉ ନାହିଁ।

ଘିଚାମୁରା ପଞ୍ଚାୟତର ଗୌରଡିହି, ବେଉଁରା, ଘିଚାମୁରା, ବିଶଡିହି,ଡେର୍ବା ଆଦି ଅନେକ ଗ୍ରାମରୁ ଲପଙ୍ଗାକୁ ଯିବା ପାଇଁ ଥିବା ରାସ୍ତାରେ କମ୍ପାନୀର ଭାରୀ ମାଲବାହୀ ଯାନ ଅହରହ ଚଳାଚଳ କରୁଛି । ଏଥିଯୋଗୁଁ ରାସ୍ତା ଅସଂଖ୍ୟ ଖାଲଖମାରେ ପରିପୂର୍ଣ୍ଣ ହୋଇ ପଡିଛି । ସଂକୀର୍ଣ୍ଣ ଓ ଦୁର୍ଗମ ରାସ୍ତାରେ ଅହରହ ଭାରୀ ମାଲବାହୀ ଯାନ ଚଲାଚଳ କରିବା ଫଳରେ ପ୍ରଦୂଷଣ ସମସ୍ୟା ଉତ୍କଟ ହୋଇ ଜନସାଧାରଣ ଯାତାୟାତ କରିବା ଅସମ୍ଭବ ହୋଇ ପଡୁଛି । ଏହି ରାସ୍ତାକୁ ଜନସାଧାରଣଙ୍କ ଗମନାଗମନ ଉପଯୋଗୀ କରିବାକୁ କମ୍ପାନୀ ଏବଂ ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯାଇଛି । ଏଥିପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ଥର ଆନ୍ଦୋଳନ ମଧ୍ୟ ହୋଇଛି । କିନ୍ତୁ କୌଣସି ସୁଫଳ ମିଲୁନାହିଁ । ଆନ୍ଦୋଳନ ସମୟରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ହୋଇ ଥିବା ଆଲୋଚନା ସମୟରେ ଏଥିପାଇଁ କମ୍ପାନୀ ଦେଇଥିବା ଲିଖିତ ପ୍ରତିଶ୍ରୁତି ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ। ଏହି ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ ଲପଙ୍ଗାକୁ ଯିବାକୁ ହେଲେ ଘିଚାମୁରା ପଞ୍ଚାୟତବାସୀଙ୍କୁ ୧୦ କିଲୋମିଟର ପରିବର୍ତ୍ତେ ୧୪/୧୫ କିଲୋମିଟର ଅତିକ୍ରମ କରିବାକୁ ପଡୁଛି। ରେଙ୍ଗାଲି ବ୍ଳକ୍ ସଦର ମହକୁମା ଏବଂ ଜିଲ୍ଲା ସଦର ମହକୁମା ତଥା ଅନ୍ୟ ଗୁରୁତ୍ୱପୂର୍ଣ ଅଞ୍ଚଳକୁ ଯିବା ପାଇଁ ଲୋକେ ଏହି ରସ୍ତା ଉପରେ ନିର୍ଭର କରିଥାନ୍ତି ।
ଘିଚାମୁରା ଅଞ୍ଚଳରୁ ଲପଙ୍ଗାକୁ ସଂଯୋଗ କରୁଥିବା ରାସ୍ତା ବ୍ୟତୀତ ଡର୍ରୋପାଣିରୁ ତିଲେଇମାଲ, ବମାଲୋଇ, ଶରଧାପାଲି ଆଦି ଗ୍ରାମ ଦେଇ ଲପଙ୍ଗାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ମଧ୍ୟ ତଦ୍ରୁପ । ଏହି ରାସ୍ତା କମ୍ପାନୀ ପକ୍ଷରୁ ଅନେକ ବର୍ଷ ପୂର୍ବେ କଂକ୍ରିଟ୍ କରାଯାଇଥିଲା । ତେବେ କାମ ସରିଯିବା ପରେ ଏହାର ରକ୍ଷଣାବେକ୍ଷଣ ପ୍ରତି ଆଦୌ ଗୁରୁତ୍ୱ ଦିଆ ନଯିବା ଫଳରେ ରାସ୍ତାର ଅଧିକାଂଶ ସ୍ଥାନରୁ ସିମେଣ୍ଟ ଉଠି ଯାଇ ଚିପ୍ସ ରାସ୍ତା ଉପରେ ଗଡୁଛି । ବିଭିନ୍ନ ସ୍ଥାନ ରାସ୍ତା ଫାଟି ଫାଳ ହୋଇଯାଥିବା ବେଳେ ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇ ଯାତାୟାତରେ ସମସ୍ୟା ହେଉଛି । ଏହାର ମରାମତି ପାଇଁ କମ୍ପାନୀ ଆଦୌ ଗୁରୁତ୍ୱ ଦେଉ ନାହିଁ। ଏହି ରାସ୍ତା ଉପରେ ଅଞ୍ଚଳର ୩୦/୪୦ ଟି ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ଆଦିତ୍ୟ  ଆଲୁମିନା ସହ ଅନ୍ୟ ଶିଳ୍ପାନୁଷ୍ଠାନରେ କାମ କରୁଥିବା ଶ୍ରମିକ କର୍ମଚାରୀ ଏହି ରାସ୍ତା ଦେଇ ନିୟମିତ ଯାତାୟାତ କରିଥାନ୍ତି । ଏହା ବ୍ୟତୀତ ଲୋକେ ଏହି ରାସ୍ତାରେ ଲପଙ୍ଗା ଛକକୁ ଯାଇ ସେଠାରୁ ରେଙ୍ଗାଲି,ସମ୍ବଲପୁର,ଝାରସୁଗୁଡା,ସୁନ୍ଦରଗଡ, ବେଲପାହାଡ ଆଦି ଗୁରୁତ୍ୱପୂର୍ଣ ସ୍ଥାନକୁ ଯାଇଥାନ୍ତି।
ଘିଚାମୁରା-ଲପଙ୍ଗା ଏବଂ ଢର୍ରୋପାଣି-ଲପଙ୍ଗା ଉଭୟ ରାସ୍ତା ଜନସାଧାରଣଙ୍କ ଗମନାଗମନ ପାଇଁ ଅତିଗୁରୁତ୍ୱପୂର୍ଣ ହୋଇଥିବା ବେଳେ ଦୀର୍ଘ ବର୍ଷ ହେଲା ଅପନ୍ତରା ଅବସ୍ଥାରେ ପଡିରହିଛି । କଳକାରଖାନା ପ୍ରତିଷ୍ଠା ପରେ ସଂପୃକ୍ତ ଅଞ୍ଚଳର ରାସ୍ତାଘାଟର ରକ୍ଷଣାବେକ୍ଷଣ କମ୍ପାନୀର ନୈତିକ ଦାୟିତ୍ୱ ହୋଇଥିଲେ ମଧ୍ୟ କମ୍ପାନୀ ଉଦାସୀନ ରହୁଛି । ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।ଯେତେଥର ଆନ୍ଦୋଳନ ହେଲେ ସେତେଥର ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇ ଦିଆଯାଉଛି । ଶିଳ୍ପାୟନ ଜନିତ ବିକାଶର ଏହା ଅସଲ ଓ ବିକଳ ସ୍ୱରୂପ କି ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

Comments are closed.