ଆରଡି ଅଞ୍ଚଳରେ ବୈତରଣୀରେ ବଢୁଛି ବନ୍ୟାଜଳ

ବୋଡକ ତଳସାହିରେ ପଶିଲା ବନ୍ୟାପାଣି, ୨୫ରୁ ଅଧିକ ଘର ଜଳବନ୍ଦୀ

ଆରଡି :  ଲଘୁଚାପ ଜନିତ ଉପରମୁଣ୍ଡରେ ଲଗାଣବର୍ଷା ଯୋଗୁ ବୈତରଣୀନଦୀରେ ଆସିଥିଲା ୨ୟ ବନ୍ୟାଜଳ। ଏବେ ଉପରମୁଣ୍ଡରେ ବନ୍ୟାଜଳ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ତଳମୁଣ୍ଡରେ ଅର୍ଥାତ ଭଦ୍ରକ ଜିଲାର ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଆଦି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବିଭିନ୍ନ ଏସକେପ ଓ ମାହାରା ଦେଇ ବନ୍ୟାଜଳ ଜନବସତି ଆଡକୁ ମାଡିବାରେ ଲାଗିଛି । ବୁଧବାର ସନ୍ଧ୍ୟା ସୁଧା ବୈତରଣୀନଦୀର ବନ୍ୟାଜଳ ବୃଦ୍ଧି ପାଇବା ଫଳରେ କୂଳ ଲଂଘି ଓଳଗ ପଞ୍ଚାୟତର ବୋଡକ ତଳସାହିରେ ବନ୍ୟାଜଳ ପ୍ରବେଶ କରିବାରୁ ୨୫ରୁ ଅଧିକ ଘର ଏବେ ଜଳବନ୍ଦୀ ହୋଇ ରହିଛି । ଫଳରେ ବସବାସ କରୁଥିବା ଲୋକମାନେ ଅଣ୍ଟାଏ ପାଣିରେ ପଶି ଯାତାୟତ କରୁଛନ୍ତି । ବିଶେଷକରି ଅନେକ ସ୍ଥାନରେ ନଳକୂପ ବୁଡି ଯାଇଥିବାରୁ ପିଇବା ପାଣିର ସମସ୍ୟା ଦେଖାଦେଇଥିବା ବେଳେ ଅଧିକ ସଂଖ୍ୟକ ସରିସୃପ ବନ୍ୟଜଳରେ ସନ୍ତରଣ କରୁଥିବାରୁ ବନ୍ୟାା‌ଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି।

Comments are closed.