ବନ୍ୟା ପରିସ୍ଥିତି ଗମ୍ଭୀର, ପାଣି ଘେରରେ ଶତାଧିକ ଘର

ତଳିଆ ଅଞ୍ଚଳରେ ୨ଦିନ ହେଲା ଉଛୁଳି ରହିଛି ବୈତରଣୀ ଓ ସାଳନ୍ଦୀ
ଉଜୁଡିବ ରୁଆ ଧାନତଳି, ଚିନ୍ତାରେ ଚାଷୀ
ଆଖଣ୍ଡଳମଣିଙ୍କ ଦକ୍ଷିଣଦ୍ୱାର ସମୁଖରେ ଲହଡି ଭାଙ୍ଗୁଛି ବନ୍ୟାପାଣି

ଆରଡି: ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ସୁନ୍ଦରପୁ, ଓଳଗ ଆଦି ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀ ଗତ ୨ଦିନ ହେବା ଉଛୁଳା ରହିଥିବାରୁ ବିଭିନ୍ନ ଏସକେପ ଓ ମାହାରା ଦେଇ ବନ୍ୟାଜଳ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଏପରିକି ଆରଡି ପଞ୍ଚାୟତର ମୁଆଁ, ସିଙ୍ଗିପୁର, ବାତୋଳ, ସନ୍ତରା, ଶୀତଳପୁର ଗାଁର ତଳିଆ ଅଞ୍ଚଳରେ ବନ୍ୟାପାଣି ମାଡି ଯାଇଥିବାରୁ ବହୁ ଘର ଜଳବନ୍ଦି ହୋଇ ରହିଛି। ଫଳରେ ଏ ସାହିରୁ ସେ ସାହିକୁ ଲୋକମାନେ ବାଉଁଶ ଭେଳାରେ ଯାତାୟତ କରିବା ସହିତ ପାନୀୟ ଜଳ ଓ ନିତ୍ୟ ବ୍ୟବହାର ଜିନିଷପତ୍ର ନେବା ଆଣିବା କରୁଛନ୍ତି।

ସେହିପରି ବୋଡକ, ସାଟିବାଙ୍କୁଡା, ପାରଡିଆ, ପାଲଟପୁର, କୋଇଲିଖା, ଭୂଇଁପୁର ଆସି ଗାଁର ତଳିଆ ଅଞ୍ଚଳରେ ପାଣି ମାଡି ଯିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦଶା ଭୋଗ କରୁଛନ୍ତି। ବିଶେଷକରି ଚଳିତବର୍ଷ ଚାଷ ଆରମଯବରୁ ମରୁଡି ଦେଖା ଦେଇଥିବାରୁ ବିଳମ୍ବରେ ହୋଇଥିବା ରୁଆ ଧାନତଳି ଚଳିତ ବନ୍ୟାପାଣିରେ ନଷ୍ଟ ହେବ ବୋଲି ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ସେପଟେ ଆରଡି ନିକଟସ୍ଥ ଡିଅସାହିଛକ ନିକଟରେ ଆରଡି-ମତୋ ରାସ୍ତାରେ ଗତ ୩ଦିନ ହେଲା ବନ୍ୟାପାଣି ପ୍ରବାହିତ ହେଉଥିବା ବେଳେ ଚାନ୍ଦାବଲି-ଆରଡି ରାସ୍ତାର ମୁଆଁ ଘୋଷରା ନିକଟରେ ଶନିବାର ବନ୍ୟାପାଣି ପ୍ରବାହିତ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Comments are closed.