କରୋନା ପାଇଁ ବୋଲବମଙ୍କୁ ଜଳଲାଗି ମନା; ଆଖଣ୍ଡଳମଣି ପୀଠରେ ୧୪୪ଧାରା ଜାରି

ଆରଡି: ଆସନ୍ତା କାଲିଠୁ ଆରମ୍ଭ ହେଉଛି ଚଳିତବର୍ଷ ଶ୍ରାବଣୀଯାତ୍ରା। ଏହି ଅବସରରେ ବିଭିନ୍ନ ଶୈବକ୍ଷେତ୍ର ହୋଇ ଉଠିଥାନ୍ତା ଉତ୍ସବମୁଖର। ହେଲେ କରୋନା ନାମକ ମହାମାରୀ ପାଇଁ ଦୀର୍ଘ ୩ ମାସରୁ ଉର୍ଦ୍ଧ ହେବ କଟକଣା ଜାରି ରହିଥିବାରୁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ତାହାସହ ଯେପରି କୋଣସି ସ୍ଥାନରେ ବହୁ ସଂଖ୍ୟକ ଲୋକଙ୍କର ସମାଗମ ନହେବ ସେଥିପାଇଁ କଡା ଅଙ୍କୁଶ ଲଗାଇଛନ୍ତି ରାଜ୍ୟ ସରକାର।ଏପରିକି ଚଳିତ ବର୍ଷ ଶ୍ରାବଣୀଯାତ୍ରା ବୋଲବମ ବା କାଉଡିଆଭକ୍ତମାନଙ୍କର ଜଳଲାଗି ଉପରେ ରାଜ୍ୟ ସରକାର ରୋକ ଲଗାଇଥିବା ବେଳେ କୋଣସି ଜଳ ଉତ୍ସରୁ ଯେପରି ଭକ୍ତମାନେ ଜଳଲାଗି ନିମନ୍ତେ ଜଳ ନଉଠାଇବେ ସେଥିପାଇଁ କଟକଣା ଜାରି କରାଯାଇଛି। ପୂର୍ଣ୍ଣିମା ତିଥି ଅନୁଯାୟୀ ଆଜି ସୋମବାର ପ୍ରଥମପାଳି ହୋଇଥିବାରୁ ଆରଡିପୀଠ ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ପରିସରରେ ୧୪୪ଧାରା ଜାରି କରିଛନ୍ତି ଭଦ୍ରକ ଜିଲା ପ୍ରଶାସନ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଚିଠି ନଂ ୯୦୭୦ ଏକ ସ୍ୱତନ୍ତ୍ର ପତ୍ର ମନ୍ଦିର ପ୍ରଶାସନକୁ ପ୍ରେରଣ କରାଯାଇଛି। ଏପରିକି ମନ୍ଦିର ପରିସର ମଧ୍ୟରେ ଅଧିକ ସଂଖ୍ୟକ ସେବାକାରୀ ନରହିବା, ନୀତିକାନ୍ତି ସମୟରେ ସୀମିତ ସେବାୟତ ମାକ୍ସ ପରିଧ୍ୟାନ କରିବା ସହ ସାମାଜିକ ଦୂରତା ରକ୍ଷାକରି ସମସ୍ତ ସେବାପୂଜା ସମାପନ କରିବା ପାଇଁ ପ୍ରଶାସନ ପକ୍ଷରୁ ନଟକା ଜାରି କରାଯାଇଛି। ତାହାସହ ପୀଠରେ ଥିବା ସମସ୍ତ ନଦୀଘାଟ ଓ ପୁଷ୍କରିଣୀକୁ ପରିଧିକୁ ମଧ୍ୟ ୧୪୪ଧାରା ଜାରି କରାଯାଇଥିବା ଚିଠିରେ ଉଲେଖ୍ୟ ରହିଛି। ସେହିପରି ପୀଠକୁ ସଂଯୋଗ କରୁଥିବା ସମସ୍ତ ଯାତାୟତ ପଥରେ କୋଣସି ବୋଲବମ/କାଉଡିଆଭକ୍ତ ଜଳଭାର ଧରି ନଆସିବା ଉପରେ କଟକଣା ଜାରି କରାଯାଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ଶ୍ରଦ୍ଧାଳୁମାନେ କୋଭିଡ-୧୯କୁ ମାନି ଘରେ ରହି ମଣିବାବଙ୍କ ପୂଜାର୍ଚ୍ଚନା କରିବା ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.