୧୪ରୁ ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତି

ଆରଡି : ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଲମଣିଙ୍କ ମନ୍ଦିରରେ ଆସନ୍ତା ୧୪ ତାରିଖ ଅର୍ଥାତ ପବିତ୍ର ମହା ବିଷୁବ ସଂକ୍ରାନ୍ତି ଠାରୁ ଏକମାସ ବ୍ୟାପି ଶୀତଳ ଉପଚାର ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶହଶହ ବର୍ଷର ପରମ୍ପରା ଅନୁଯାୟୀ ଗୋପାଳ ଭକ୍ତମାନେ ଜଳ ଆଣି ସେବାୟତଙ୍କ ଦ୍ୱାରା ଲାଗି କରିବାର ବ୍ୟବସ୍ଥା ରହିଛି। ତାହାସହ ଦୂରଦୂରାନ୍ତରରୁ ତଥା ଭଦ୍ରକ ଜିଲା ସମେତ ପୀଠରେ ପଡୋଶୀ ଜିଲାମାନଙ୍କରୁ ହଜାର-ହଜାର ଗୋପାଳ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ, ସେବାୟତ ଓ ସ୍ଥାନୀୟ ଆରଡି ଫାଣ୍ଡି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମନ୍ଦିର ପକ୍ଷରୁ ପ୍ରକାଶ ପାଇଛି। ବିଶେଷକରି ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ୨ଟି ପିତଳ ଗରା ଦ୍ୱାରା ଜଳଭାର ନେଇ ଆସିବାପରେ ଶିବଗଙ୍ଗା ପୁଷ୍କରିଣୀର ସଦର ଘାଟ ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ। ସେଠାରେ ଥିବା ସେବାୟତଙ୍କ ଦ୍ୱାରା ଜଳ ଲାଗି କରିବା ପରେ ଜଗମୋହନ ଦେଇ ପ୍ରସ୍ଥାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯିବା ସହ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ଅନ୍ୟଏକ ଧାଡିର ବ୍ୟବସ୍ଥା କରାଯିବ।

ସେହିପରି ଜଳଭାର ନେଇ ଆସୁଥିବା ଗୋପାଳ ଭକ୍ତମାନେ କେବଳ ଧୋତି ଗାମୁଛା ବ୍ୟତୀତ ଅନ୍ୟ କୈାଣସି ବସ୍ତ୍ର ପରିଧାନ କରି ଜଳଭାର ନେଇ ଆସିବେ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ନିୟମ ଜାରି କରାଯାଇଥିବା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରକାଶ କରିଛନ୍ତି। ମଣିବାବାଙ୍କର ଦୈନଦିନ ନୀତିକାନ୍ତି ଅନୁଯାୟୀ ସମସ୍ତ ସକାଳ ନୀତିକାନ୍ତି ସକାଳ ୫ଟା ସୁଧା ସରିବା ପରେ ମଣିବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇ ସାଢେ ପାଞ୍ଚଟାରେ ଜଳଲାଗି ନୀତି ଅର୍ଥାତ ଶୀତଳ ଉପଚାର ନୀତି ଅନୁଷ୍ଠିତ ହେବ ବୋଲି ସେବାୟତମାନଙ୍କ ପକ୍ଷରୁ ପ୍ରକାଶ ପାଇଛି। ତାହାସହ ସକାଳ ୯ଟାରେ ପହଡଖିଆ ଅନ୍ନନୀତି, ଦିବା ୧ଟାରେ ବଡନୀତିଭୋଗ ଅନୁଷ୍ଠିତ ହେବ ବୋଲି ମଧ୍ୟ ସେବାୟତମାନେ ପ୍ରକାଶ କରିଛନ୍ତି। ମଧ୍ୟାହ୍ନ ଧୂପ ଓ ଅବକାଶ(ଶୟନ) ନୀତି ପରେ ମହାବିଷୁବ ସଂକ୍ରାନ୍ତି ଅବସରରେ ମଣିବାବାଙ୍କୁ ପଣାଭୋଗ ଲାଗି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ପରେ ବଡସିଂହାର ବେଶ, ସନ୍ଧ୍ୟାପୂଜା ଆଦି ନୀତି ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ପ୍ରକାଶ କରିଥିଲେ।

Comments are closed.