ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ଚୂଡାନ୍ତ ହେଲା ନୀତିକାନ୍ତି

ଆରଡି : ଭଦ୍ରକ ଜିଲା ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ଆସନ୍ତା ଶୁକ୍ଳପକ୍ଷ ପଞ୍ଚମୀ ତିଥି ଅର୍ଥାତ ଜୁନ ୭ରେ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ମନ୍ଦିର ସେବାୟତଙ୍କ ପକ୍ଷରୁ ସମସ୍ତ ନୀତିକାନ୍ତି ଚୂଡାନ୍ତ ହୋଇଛି । ଆସନ୍ତା ୧୮ ଶନିବାର ଚନ୍ଦନ ପୂର୍ଣ୍ଣିମା ଦିନ ବିବାହ ଉତ୍ସବ ନିମନ୍ତେ ଶୁଭଲଗ୍ନ କାର୍ଯ୍ୟ ଅନୁଷ୍ଠିତ ହେବାସହ ଜୁନ ୭ରେ ଦେବଦମ୍ପତ୍ତିଙ୍କ ପାଣିଗ୍ରହଣ ନୀତି ଅନୁଷ୍ଠିତ ହେବ। ତାହାସହ ଜୁନ ୬ରେ ମଙ୍ଗଳକୃତ୍ୟ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଚଳିତବର୍ଷ ବରପିତା ଭାବେ ବାଲେଶ୍ୱରର କାର୍ତ୍ତିକ ଚନ୍ଦ୍ର ବେହେରାଙ୍କ ପୁରହିତ ଶୁସାନ୍ତ ପାଢୀ କାର୍ଯ୍ୟ ତୁଲାଉଥିବା ବେଳେ କନ୍ୟାପିତା ଭାବେ ଗଞ୍ଜାମ ଜିଲା ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶଙ୍କ ପୁରହିତ ଚନ୍ଦ୍ରମଣୀ ପାଢୀ କାର୍ଯ୍ୟ ତୁଲାଇବେ। ଏହି ବିବାହ ଉତ୍ସବ ସମ୍ପୂର୍ଣ୍ଣ ଭାବେ ଲୋକାଚାର ଓ ବୈଦିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ସେହିପରି ଲୋକାଚାରରେ ଆସନ୍ତା ୧୮ରେ ବରପିତା ଜ୍ଞାତିକୁଟୁମ୍ବଙ୍କୁ ସାଥିରେ ଧରି ମଣିବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଏକ ବଣାଢ୍ୟ ଶୋଭାଯାତ୍ରାରେ କନ୍ୟା ପିତାଙ୍କ ଘରେ ଲଗ୍ନଧରା କାର୍ଯ୍ୟ ତୁଲାଇବା ପାଇଁ ଚୂଡାନ୍ତ ହୋଇଛି। ଏହିଦିନ କନ୍ୟାପିତାଙ୍କ ପକ୍ଷରୁ ବରପକ୍ଷଙ୍କୁ ଆପାୟିତ କରାଯିବା ସହ ବୈଦିକ ରୀତିନୀତି ଅନୁ୍‍ଯାୟୀ ଲଗ୍ନଧରା କାର୍ଯ୍ୟ କରାଯିବ। ତାହା ସହିତ ବରପିତାଙ୍କୁ କନ୍ୟାପିତା ଯୈାତୁକ ପ୍ରଦାନ କରିବାର ବିଧିବିଧାନ ରହିଛି। ଅନ୍ୟପଟେ ମନ୍ଦିର ପ୍ରସାସନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ବାଦ୍ୟ ଓ ନୃତ୍ୟଶିଳ୍ପିଙ୍କୁ ଆଗମନ ନିମନ୍ତେ ବଇନା ଦେବା ଆରମ୍ଭ ହୋଇଥିବା ମନ୍ଦିର ସହପରିଚାଳକ ସୁଧାକର ବିଶ୍ୱାଳ ପ୍ରକାଶ କରିଛନ୍ତି।

Comments are closed.