ଆଖଣ୍ଡଳମଣିଙ୍କ ଦୀପାବଳୀ ନୀତିକାନ୍ତି ଚୂଡାନ୍ତ

ରାତ୍ର ୯ଟାରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ

ଆରଡି: ଆସନ୍ତା ରବିବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପାଳିତ ହେବ ଦୀପାବଳୀ ଉତ୍ସବ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଚୂଡାନ୍ତ ହୋଇଛି ନୀତିକାନ୍ତି। ଦୀପାବଳୀ ଦିନ ଦିନ ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମନ୍ଦିର ଶୋଧନ, ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି କରାଯିବା ସହିତ ମଣିବାବାଙ୍କୁ ନବବସ୍ତ୍ର ଓ ଚନ୍ଦନ ,ଫୁଲ. ବେଲପତ୍ରରେ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯିବ। ପରେ ସକାଳ ୯ଟାରେ ପଅଡଖିଆ ନୀତିଭୋଗ, ଦିବା ୧ଟାରେ ଦୀପାବଳୀ ନୀତିକାନ୍ତି ନିମନ୍ତେ ମଣିବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇ ବଡନୀତଭୋଗ ଲାଗି କରାଯିବ। ଏପରିକି ୧ଘଣ୍ଟା ଶୟନ(ଅବକାଶ) ନୀତି କରାଯାଇ ଅପରାହ୍ନ ୪.୩୦ ରେ ବଡସିଂହାର ବେଶରେ ସଜ୍ଜିତ କରାଯିବ। ସଂଧ୍ୟାରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯିବା ସହିତ ସେବାୟତମାନଙ୍କ ପକ୍ଷରୁ ମନ୍ଦିର ଓ ପାର୍ଶ୍ବଦେବାଦେବୀଙ୍କ ମନ୍ଦିରକୁ ତୈଳଦୀପ ଦ୍ୱାରା ସଜ୍ଜିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାତ୍ର ୮ଟାରେ ସଂଧ୍ୟାପୂଜା ସରିବା ପରେ ପାଳିଆ ସେବାୟତ ଓ ମନ୍ଦିରର ସମସ୍ତ ସେବାୟତଙ୍କ ପକ୍ଷରୁ ମହାଦୀପ ପ୍ରସ୍ତୁତ କରାଯାଇ ବିଶ୍ୱ କଲ୍ୟାଣ ଉଦେଶ୍ୟରେ ମଣିବାବାଙ୍କ ନିକଟରେ ଗୁପ୍ତ ଷୋଡଶ ସହ ମହାଦୀପରେ ଅଗ୍ନ ସଂଯୋଗ କରାଯାଇ ମନ୍ଦିର ବେଢା ପ୍ରଦକ୍ଷଣ ପରେ ରାତ୍ର ୯ଟାରେ ମହାଦୀପ ମନ୍ଦିର ଚୂଡାରେ ସ୍ଥାପନ କରାଯିବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ନିମନ୍ତେ ମନ୍ଦିର ଭିତରେ ଓ ବାହରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଆରଡି ପୁଲିସ ପକ୍ଷରୁ ପ୍ରକାଶ ପାଇଛି।

Comments are closed.