ଶ୍ରାବଣରେ ଧାନକ୍ଷେତ ଫାଟି ଆଁ

ବର୍ଷା ନହେଲେ ଗଜା ମରୁଡି ଆଶଙ୍କା!

ଆରଡି : କଥାରେ ଅଛି ବର୍ଷର ଆଷାଢ-ଶ୍ରାବଣ ମେଘ ବରଷେ ଘନଘନ, ହେଲେ ଆଷାଢ ଯାଇ ଶ୍ରାବଣ ହେଲାଣି ବର୍ଷାର ଦେଖା ନାହିଁ। ଯାହାକୁ ନେଇ ଏବେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ। ଏହି ଶ୍ରାବଣମାସରେ ଧାନତଳି ରୋପଣ ହେବା ସହ ଚାଷକାର୍ଯ୍ୟ ଆଗେଇବା କଥା ହେଲେ ଚାଷ ପ୍ରାରମ୍ଭରୁ ଅର୍ଥାତ ବୈଶାଖମାସରେ ହଳ କରି ଚାଷୀ ବିହନ ପକାଇଲା ବେଳକୁ ଢୋ-ଢୋ ବର୍ଷା ବିଗାଡିଥିଲା ଧାନ ତଳି ପକାଇବାରେ। ଏବେ ବର୍ଷା ନଥିବାରୁ ଧାନତଳି ପକାଇବା ଓ ରୋପଣ କରିବା ସମ୍ଭବ ନୁହେଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ, ତେନ୍ତୁଲିଡିହ, ଭୂଇଁବୃତ୍ତି ଆଦି ପଞ୍ଚାୟତରେ। ଏହି ପଞ୍ଚାୟତ ଗୁଡିକରେ ହଜାର-ହଜାର ଚାଷୀ ସାରଦ ଚାଷ ନିମନ୍ତେ ହଳ କରି ଧାନତଳି ପକାଇଥିଲେ ମଧ୍ୟ ବର୍ଷା ଅଭାବରୁ ଧାନବିଲ ଫାଟି ଆଁ କଲାଣି , ତାହାସହ ଧାନତଳି ନଷ୍ଟ ହେବା ସହ ଗଜା ମରୁଡି ହେବାକୁ ବସିଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ବିଶେଷକରି ଏହି ଅଞ୍ଚଳର ଚାଷୀମାନେ ନଈ ଜୁଆରପାଣି ଓ ବର୍ଷା ଉପରେ ନିର୍ଭର କରିଥାନ୍ତି। ହେଲେ ଦୀର୍ଘ ୨ମାସ ହେବ ଆବଶ୍ୟକତା ଠାରୁ କମ ବୃଷ୍ଟିପାତ ହୋଇଥିବାରୁ ନଦୀର ଜୁଆର କମ୍‍ ଆସୁଥିବାରୁ ତାହା ଚାଷଜମିକୁ ଆବଶ୍ୟକତା ପାଣି ଯୋଗାଇ ପାରୁନାହିଁ। ଫଳରେ କେତେକ ଚାଷୀ ଧାରଉଧାର କରି ମଟର ଚାଳିତ ପମ୍ପ ଦ୍ୱାରା ଧାନବିଲକୁ ପାଣି ମଡାଉଥିବାବେଳେ ଆଉ କେତେକ ଚାଷୀ ଅର୍ଥାଭାବରୁ ଯନ୍ତ ସାହାର୍ଯ୍ୟରେ ଧାନବିଲକୁ ପାଣି ମଡାଉଥିବା ଦେଖିବାକୁ ମିଳିଛି। ଏପରିକି ଚାଷୀମାନଙ୍କ କହିବା ଅନୁଯାୟୀ, ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଯଦି ବର୍ଷା ନହୁଏ ତାହାଲେ ଗଜା ମରୁଡି ହେବାର ସମ୍ଭାବନା ରହିଛି ବୋଲି ଚାଷୀ ଶିବଚରଣ ଖଟୁଆ, ହାଉଡି ମଲିକ, ଅକ୍ଷୟ ମଲିକ, ଉଗ୍ରେସନ ବିଶ୍ୱାଳ, ରୁନୁଆ ବିଶ୍ୱାଳ ପ୍ରମୁଖ ପ୍ରକାଶ କରିଛନ୍ତି।

Comments are closed.