ନୂଆ ରୂପରେ ଝଲସିବ ଆରଡିପୀଠ ପାନ୍ଥନିବାସ

ଆରଡି : ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ପାନ୍ଥନିବାସ ଦୀର୍ଘବର୍ଷ ହେବ ମରାମତି ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ରହିବା ସହିତ ବର୍ଷାଦିନେ ଛାତରୁ ପାଣି ଗଳିବା ସହିତ ବିଦ୍ୟୁତ ଓ ପାନୀୟଜଳ ବ୍ୟବସ୍ଥା ମଧ୍ୟ ସମ୍ପୁର୍ଣ୍ଣ ଭାବେ ଠପ ହୋଇଯାଇଥିଲା। ଏହାର ପୁନରୁଉଦ୍ଧାର ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଏବେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ପାନ୍ଥନିବାସ ନିର୍ମାଣ ପାଇଁ  ଏକ ଚୂଡାନ୍ତ ବ୍ଲୁପ୍ରଣ୍ଟି ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ,  ମଣିବାବାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଦୈନଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର-ହଜାର ପର୍ଯ୍ୟଟକ ଆସିଥାନ୍ତି। ଏପରିକି ପର୍ଯ୍ୟଟକମାନଙ୍କ ରହଣୀ ନିମନ୍ତେ ୧୯୮୪ ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ଯୁଗଳ କିଶୋର ପଟନାୟକଙ୍କ ଦ୍ୱାରା ୧୦କୋଠରୀ ବିଶିଷ୍ଠ ପାନ୍ଥନିବାସ ନିର୍ମାଣ ହୋଇଥିଲା। ତାହାସହ ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ରକ୍ଷଣାବେକ୍ଷଣା ଓ ପରିଚାଳନା ନିମନ୍ତେ  ପର୍ଯ୍ୟଟନ ବିଭାଗର ବହୁ ଅଧିକାରୀ ନିୟୋଜିତ ରହିଥିଲେ।।  ହେଲେ ବିଗତ ୧୫ବର୍ଷରୁ ଉର୍ଦ୍ଧ ହେବ ରାଜ୍ୟ ପର୍ଯ୍ୟଟନ ବିଭାଗର ଅଣଦେଖା ଯୋଗୁ ଉକ୍ତ ପାନ୍ଥନିବାସ ଜରାଜୀର୍ଣ୍ଣ ଅବସ୍ଥାରେ ରହିବା ସହିତ ମରାମତି ଅଭାବରୁ କୋଠରୀଗୁଡିକ ଛାତରୁ ପାଣି ଝରିବା ସହ କବାଟ ଝରକା ଆଦି ଭାଙ୍ଗି ପଡିଥିଲା। ଏ ସର୍ମ୍ପକରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇବା ପରେ ଚାନ୍ଦବାଲିର ତତ୍କାଳୀନ ବିଧାୟକ ବ୍ୟୋମକେଶ ରାୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବା ପରେ ଏବେ ୩ମହଲା ବିଶିଷ୍ଟ ପାନ୍ଥନିବାସ ନିମାର୍ଣ ହେବ ବୋଲି ବିଧାୟକ ଶ୍ରୀ ରାୟଙ୍କ ପକ୍ଷରୁ ସୂଚନା ମିଳିଛି। ଏପରିକି ନୂତନ ପାନ୍ଥନିବାସ ନିର୍ମାଣ ପାଇଁ ପ୍ରାୟ ୨କୋଟି ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳ କରାଯିବା ସହିତ ଅତ୍ୟାଧୁନିକ ଭାବେ ନିର୍ମାଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ଲୁପ୍ରଣ୍ଟି ଚୂଡାନ୍ତ ହୋଇଛି।

Comments are closed.