୨୦୫୦ ବେଳକୁ ସମୁଦ୍ରରେ ଲୀନ ହେବ ମୁମ୍ବଇ ସହର

ୱାଶିଂଟନ : ସମୁଦ୍ରର ଜଳପତ୍ତନ ବୃଦ୍ଧି କାରଣରୁ ୨୦୫୦ ବେଳକୁ ମୁମ୍ବଇ ସମେତ ବିଶ୍ବର ବଡବଡ ଉପକୂଳ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ। ମଙ୍ଗଳବାର ପ୍ରକାଶିତ ଏକ ଗବେଷଣାତ୍ମକ ସନ୍ଦର୍ଭରେ ଏପରି ପୂର୍ବାନୁମାନ କରାଯାଇଛି। ଉପଗ୍ରହ ତଥ୍ୟ ଆଧାରରେ ନ୍ୟୁଜର୍ସିର ଏକ ବିଜ୍ଞାନଭିତ୍ତିକ ସଂଗଠନ ଏହାର ସନ୍ଦର୍ଭରେ ଉଲ୍ଲେଖ କରିଛି ଯେ ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇବ। ଫଳରେ ୨୦୫୦ ବେଳକୁ ମୁମ୍ବଇ ସହର ସମୁଦ୍ର ପତ୍ତନର ତଳେ ରହିଯିବ। କେବଳ ମୁମ୍ବଇ; ନୁହେଁ ବିଶ୍ବର ଅନେକ ଉପକୂଳ ସହର ସମୁଦ୍ର ମଧ୍ୟରେ ଲୀନ ହୋଇଯିବ। ଏହାଦ୍ବାରା ୧୫କୋଟି ଲୋକ ପ୍ରଭାବିତ ହେବ। ଏହି ସହର ମଧ୍ୟରେ ରହିଛି ଦକ୍ଷିଣ ଭିଏତନାମର ହୋ ଚି ମିନ୍‌, ବ୍ୟାଙ୍କକକ୍‌, ସାଙ୍ଘାଇ, ଇରାକର ବସରା, ଭଳି କେତେକ ପ୍ରମୁଖ ସହର। ପୂର୍ବ ଆକଳନ ଅନୁଯାୟୀ ଅଧିକ ତିନିଗୁଣ ଲୋକ ସମୁଦ୍ର ଜଳପତ୍ତନ ବୃଦ୍ଧି ଦ୍ବାରା ପ୍ରଭାବିତ ହେବେ। ବିଶ୍ବ ତାପମାତ୍ରା ବୃଦ୍ଧି ଯୋଗୁଁ ଅନେକସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ଯଦ୍ଦ୍ବାରା କୃଷକମାନେ ଚାଷକାର୍ଯ୍ୟ ପରିବର୍ତ୍ତେ ସହରରେ ଅନ୍ୟାନ୍ୟ କାମଧନ୍ଦା କରିବାକୁ ପସନ୍ଦ କରିବେ। ତେଣୁ ବର୍ତ୍ତମାନ ସମୟରେ ଉପକୂଳ ସହର ଲୋକଙ୍କୁ ଆଭ୍ୟନ୍ତରୀଣ ଅଞ୍ଚଳ ଲୋକଙ୍କ ପାଇଁ ବାସସ୍ଥାନର ବ୍ୟବସ୍ଥା କରାଯିବା ଦରକାର। ନଚେତ୍‌ ଦେଶାଟନ ଭଳି ବଡ଼ ସମସ୍ୟା ବିଶ୍ବରେ ସୃଷ୍ଟି ହେବ ବୋଲି ଉକ୍ତ ସନ୍ଦର୍ଭରେ ଉଲ୍ଲେଖ କରାଯାଇଛି।

Comments are closed.