ଆଇନ ପ୍ରତ୍ୟାହାର ଦାବିରେ କୃଷକ ନେତାଙ୍କ ଆଭିମୁଖ୍ୟ କ‌େ‌ଠାର, ୧୪ରେ ଅନଶନ

ନୂଆଦିଲ୍ଲୀ: ଦୀର୍ଘ ଦୁଇ ସପ୍ତାହ ଧରି (୧୭ଦିନ) ଆନ୍ଦୋଳନ ଚଳାଇଥିବା କୃଷକ ୟୁନିୟନଗୁଡ଼ିକ ସରକାରଙ୍କ ବିରୋଧରେ ନିଜର ଆଭିମୁଖ୍ୟ ଆହୁରି କଠୋର କରିଛନ୍ତି। କୃଷି ଆଇନ ପ୍ରତ୍ୟାହାର ନ ହେଲେ ଆସନ୍ତା ୧୪ ତାରିଖରେ ପ୍ରସ୍ତାବିତ ଦେଶବ୍ୟାପୀ ଧର୍ମଘଟବେଳେ କୃଷକନେତାମାନେ ସିଙ୍ଘୁ ସୀମାରେ ସକାଳ ୮ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବେ ବୋଲି କୃଷକ ନେତାମାନେ ଚେତାବନୀ ଦେଇଛନ୍ତି। ଆନ୍ଦୋଳନକୁ ଅଧିକ ବ୍ୟାପକ କରିବା ପାଇଁ କୃଷକ ନେତାମାନେ ରବିବାର (୧୩ ତାରିଖ​) ଦିଲ୍ଲୀ-ସାହାଜାନପୁର ରାଜପଥ ଅବରୋଧ କରିବାକୁ ଆହ୍ବାନ ଦେଇଛନ୍ତି। ଏହି ରାଜପଥ ଦେଇ ସେମାନେ ଟ୍ରାକ୍ଟରରେ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରା କରିବେ। ଶନିବାର ସେମାନେ ଦିଲ୍ଲୀ-ଜୟପୁର ରାଜପଥରେ ଥିବା ଟୋଲ୍‌ପ୍ଲାଜାରେ ବିଭିନ୍ନ ଗାଡ଼ିକୁ ମାଗଣା ଯାତ୍ରା ପାଇଁ ଛାଡ଼ି ଦେଇଛନ୍ତି। ଏତଦ୍‌ବ୍ୟତୀତ ସେମାନେ ଶ୍ରମିକ ଓ ମହିଳାଙ୍କୁ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି। କୃଷକ ନେତା କମଲ ପ୍ରୀତ୍‌ ସିଂହ ପାନୁ କହିଛନ୍ତି ଯେ ତିନି କୃଷି ଆଇନର ପ୍ରତ୍ୟାହାର ସେମାନଙ୍କର ପ୍ରମୁଖ ଦାବି। ଏହା ଉପରେ କୌଣସି ସଂଶୋଧନ ଗ୍ରହଣଯୋଗ୍ୟ ନୁହେଁ। ସରକାର ଏହି ଦାବି ପୂରଣ ସମ୍ପର୍କରେ ପୁନର୍ବାର ଆଲୋଚନା ପାଇଁ ଆମକୁ ଡାକିପାରନ୍ତି। ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ। ସରକାର ଆନ୍ଦୋଳନକାରୀଙ୍କୁ ଉସୁକାଉଛନ୍ତି ଏବଂ ସେମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ପାନୁ ଅଭିଯୋଗ କରିଛନ୍ତି। ଅନ୍ୟତମ କୃଷକ ନେତା ଗୁରନାମ ସିଂହ କହିଛନ୍ତି ଯେ ସରକାର ୧୯ତାରିଖ ସୁଦ୍ଧା ଆଇନ ପ୍ରତ୍ୟାହାର ନ କଲେ ସେହିଦିନ ଗୁରୁ ତେଗ୍‌ ବାହାଦୁରଙ୍କ ସହିଦ ଦିବସ ଅବସରରେ କୃଷକମାନେ ଅନିର୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିବେ।

ଅନ୍ୟପକ୍ଷରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଶନିବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଛନ୍ତି। ପରେ ସେ କହିଛନ୍ତି ଯେ କୃଷକମାନଙ୍କ ପ୍ରତିନିଧି ଭାବେ କୃଷକଙ୍କ ଅଧିକାରର ସୁରକ୍ଷା ତାଙ୍କର ପ୍ରମୁଖ ଦାୟିତ୍ବ। କୃଷକଙ୍କ ସ୍ବାର୍ଥରକ୍ଷା ପ୍ରସଙ୍ଗରେ ସେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଅପରପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚିଲା ସୀମାରେ କୃଷକମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ଶାସକ ଦଳ ବିଜେପି ପକ୍ଷରୁ ବିଭିନ୍ନ ପ୍ରମୁଖ ସ୍ଥାନରେ ୧୦୦ରୁ ଅଧିକ ସାମ୍ବାଦିକ ସମ୍ମିଳନୀ ଓ ୭୦୦ଜିଲାରେ ୭୦୦ କୃଷକ ସମ୍ମିଳନୀ ଆୟୋଜନ ମାଧ୍ୟମରେ କୃଷି ଆଇନର ସୁଫଳ ସମ୍ପର୍କରେ ଲୋକଙ୍କୁ ଅବଗତ କରିବ ବୋଲି ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ କୃଷି ଆଇନର ସୁଫଳ ସମ୍ପର୍କରେ ଅନ୍ୟୂନ ୨୫ଥର କୃଷକଙ୍କୁ ବୁଝାଇ ସାରିଲେଣି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

କୃଷକଙ୍କ ଆନ୍ଦୋଳନସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ ଶନିବାର ଅଧିକ ଦୃଢ଼ ଓ ବ୍ୟାପକ କରାଯାଇଛି। ଦିଲ୍ଲୀ ସୀମାରେ ପ୍ରାୟ ୫୦୦୦ରୁ ଅଧିକ ବନ୍ଧୁକଧାରୀ ପୁଲିସ ମୁତୟନ କରାଯାଇଛି। ଗୁଡ଼ଗାଓଁ ନିକଟରେ ୧୦୦୦ ଓ ଫରିଦାବାଦ ନିକଟରେ ୩୫୦୦ରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି। ପଞ୍ଜାବରୁ ଅଧିକ କୃଷକ ଆନ୍ଦୋଳନ ପାଇଁ ଆସୁଥିବାରୁ ଏବଂ କୃଷକମାନେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଘୋଷଣା କରିଥିବାରୁ ଦିଲ୍ଲୀ ସଂଲଗ୍ନ ହରିୟାଣା ସୀମାରେ ପୁଲିସ ସୁରକ୍ଷା ବୃଦ୍ଧି କରାଯାଇଛି।

ପରପକ୍ଷରେ ଦିଲ୍ଲୀ ସୀମାନ୍ତରୁ ଆନ୍ଦୋଳନରତ କୃଷକଙ୍କୁ ହଟାଇବା ପାଇଁ ନିର୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତା ୧୬ରେ କରାଯିବ। ପ୍ରଧାନ ବିଚାରପତି ଏସ୍‌.ଏ ବୋବ‌େଡଙ୍କ ନେତୃତ୍ବାଧୀନ ପୀଠ ଏହାର ଶୁଣାଣି କରିବେ। କ​‌​‌ରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଦିଲ୍ଲୀର ଆଇନ ଛାତ୍ର ଋଷଭ ଶର୍ମା ଏହି ଆବେଦନ କରିଥିଲେ। ଆନ୍ଦୋଳନକୁ ଅନ୍ୟତ୍ର ହଟାଇବା ପାଇଁ ମଧ୍ୟ ସେ ନିବେଦନ କରିଥିଲେ। ଶୁକ୍ରବାର ଭାରତୀୟ କିଷାନ ୟୁନିୟନ(ଭାନୁ) ପକ୍ଷରୁ ତିନି ଆଇନ ବିରୋଧରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି।
୧୪ରେ…

Comments are closed.