ଦାୟିତ୍ୱହୀନତା ଯୋଗୁଁ ପରୀକ୍ଷା ଦେଇପାରିଲେନି ଆବେଦନକାରୀ: ଖାଉଟି ଅଦାଲତରେ ପୋଷ୍ଟ ମାଷ୍ଟର ଦଣ୍ଡିତ

ଦେବଗଡ଼: ସେବା ପ୍ରଦାନରେ ଅବହେଳା ପ୍ରଦର୍ଶନ ଯୋଗୁଁ ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ କରଲଗା ଶାଖା ପୋଷ୍ଟ ମାଷ୍ଟର ଜିଲା ଖାଉଟି ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାମଲାରେ ଅଦାଲତ ସମୁଦାୟ ୩୨ହଜାର ଟଙ୍କାର ଅର୍ଥଦଣ୍ଡରେ ପୋଷ୍ଟ ମାଷ୍ଟରଙ୍କୁ ଦଣ୍ଡିତ କରିଥିବା ଜଣାଯାଇଛି ।

ଜିଲା ଖାଉଟି ଅଦାଲତ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କରଲଗା ଗ୍ରାମର ହୃଷିକେଶ ନାୟକ ନୟାଗଡ ଜିଲା ଜଜଙ୍କ କାର୍ୟ୍ୟାଳୟର ଜୁନିୟର ଟାଇପିଷ୍ଟ ପଦ ନିମନ୍ତେ ଆବେଦନ କରିଥିଲେ । ଲିଖିତ ପରୀକ୍ଷା ନିମନ୍ତେ ଏହି ବର୍ଷ ଜାନୁୟାରୀ ମାସ ୫ ତାରିଖ ଦିବସ ଧାର୍ୟ୍ୟ କରାଯାଇଥିଲେ ହେଁ ତାଙ୍କ ନିକଟକୁ ଆଡମିଟ କାର୍ଡ ନ ଆସିବାରୁ ବାରମ୍ବାର ପୋଷ୍ଟ ଅଫିସକୁ ଯାଇ ତାଙ୍କ ନାମରେ କୌଣସି ଚିଠି କି କାଗଜପତ୍ର ଆସିଛି କି ବୋଲି ପଚାରି ବୁଝିଥିଲେ । ହେଲେ ଡାକମାଷ୍ଟର କିଛି ଆସିନାହିଁ ବୋଲି ଦାୟିତ୍ବହୀନ ଭାବେ ଉତ୍ତର ଦେଇଥିଲେ । କିନ୍ତୁ ପରୀକ୍ଷାର ପରବର୍ତ୍ତି ଦିନ ୬ ତାରିଖ ତାଙ୍କ ନିକଟକୁ ଆଡମିଟ କାର୍ଡ ପହଞ୍ଚିଥିଲା । ଫଳରେ ଶ୍ରୀ ନାୟକ ପରୀକ୍ଷା ଦେବାକୁ ବଞ୍ଚିତ ହୋଇଥିଲେ ।

ତେବେ ଗୁରୁତ୍ୱପୂର୍ଣ୍ଣ ଓ କୌତୁହଳ ପୁର୍ଣ୍ଣ ବିଷୟ ଏହା ଯେ, ଡାକ ଯୋଗେ ଆସିଥିବା ଉପରୋକ୍ତ ଆଡମିଟ କାର୍ଡ ଟିକୁ କରଲଗା ବ୍ରାଞ୍ଚ ପୋଷ୍ଟମାଷ୍ଟରଙ୍କ ସ୍ୱାମୀ ନେଇ ଶ୍ରୀ ନାୟକଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ନାୟକ ପଚରାଉଚରା କରିବା ବେଳେ ନୟାଗଡ ଜଜସିପ୍ ପକ୍ଷରୁ ୨୦୧୯ ଡିସେମ୍ବର ୧୬ ତାରିଖରେ ଉପରୋକ୍ତ ଆଡମିଟ କାର୍ଡ ପଠାଯାଇଥିବା ଜାଣିବାକୁ ପାଇଥିଲେ । ଫଳରେ ଡାକ ବିଭାଗର ଦାୟିତ୍ୱହୀନତାକୁ ନେଇ ଦେବଗଡ ଜିଲା ଖାଉଟି ଅଦାଲତର ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ଖାଉଟି ଅଦାଲତ କେଶ ନମ୍ବର ୬/୨୦୨୦ରେ ଏକ ମାମଲା ରୁଜୁ କରି ଅପରପକ୍ଷକୁ ନୋଟିସ ଜାରି କରିଥିଲେ । ଏହାର ଉତ୍ତରରେ ଡାକ ବିଭାଗ ନିଜର ପକ୍ଷ ଉପସ୍ଥାପନ କରି ଉକ୍ତ ଆଡମିଟ କାର୍ଡଟି ୨୦୧୯ ଡିସେମ୍ବର ୨୦ ତାରିଖରେ ରିଆମାଳ ଡାକଘରେ ପହଞ୍ଚିଥିଲା ଓ ସେହିଦିନ ହିଁ ଉକ୍ତ ଆଡମିଟ କାର୍ଡକୁ କରଲଗା ଶାଖାକୁ ପଠାଯାଇଥିଲା ବୋଲି ଉତ୍ତର ଦିଆଯାଇଥିଲା । ହେଲେ ପୋଷ୍ଟମାଷ୍ଟର ଉକ୍ତ ଆଡମିଟ କାର୍ଡକୁ ଭୁଲ ବଶତଃ ଡେଲିଭେରି ସ୍ଥାନରେ ନ ରଖି ଡିପୋଜିଟ ସ୍ଥାନରେ ରଖିଦେଇଥିଲେ । ଫଳରେ ଏହା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆବେଦନକାରୀଙ୍କୁ ମିଳି ନ ଥିଲା । ଜିଲା ଖାଉଟି ଅଦାଲତର ସଭାପତି ଦୀପକ କୁମାର ମହାପାତ୍ର, ସଦସ୍ୟା ଆରତୀ ଦାସ ଓ ଜୟନ୍ତୀ ପ୍ରଧାନ ମିଳିତ ଭାବେ ଉକ୍ତ ମାମଲାର ବିଚାର କରି କରଲଗା ପୋଷ୍ଟ ମାଷ୍ଟରଙ୍କୁ ସେବା ପ୍ରଦାନରେ ଅବହେଳା ଓ ଦାୟିତ୍ୱହୀନତା ପାଇଁ ଅର୍ଥ ଦଣ୍ଡରେ ଦଣ୍ଡିତ କରିବା ସହ ମାନସିକ ଅଶାନ୍ତି ଓ ଦୁଶ୍ଚିନ୍ତା ନିମନ୍ତେ କ୍ଷତିପୂରଣ ବାବଦକୁ ୩୦ ହଜାର ଟଙ୍କା ଓ ମୋକଦ୍ଦମା ପରିଚାଳନା ବାବଦକୁ ୨ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଶ୍ରୀ ନାୟକଙ୍କୁ ଆଗାମୀ ଏକମାସ ମଧ୍ୟରେ ଏହି ଅର୍ଥ ପ୍ରଦାନ ପାଇଁ ଜିଲା ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

 

Comments are closed.