ସ୍ବତନ୍ତ୍ର ଓଜେଇଇ କରିବାକୁ ଉଚ୍ଚ ନ୍ୟାୟାଳୟ​‌ରେ ମାମଲା

ଇଞ୍ଜିନିୟରିଂ କଲେଜରେ ସ୍ଥାନ ପୂରଣ ନେଇ ଅନିଶ୍ଚିତତା

ଚଳିତ ବର୍ଷ ବେସରକାରୀ କଲେଜରେ ୫୦୦ ସ୍ଥାନ ବୃଦ୍ଧି,  ସରକାରୀ କଲେଜରୁ କମିଲା ଶହେ ସ୍ଥାନ
ଖାଲି ପଡ଼ିପାରେ ୧୬ ହଜାର ସ୍ଥାନ,  ୧୫% ସଂରକ୍ଷଣରେ ଉପକୃତ ହେଲେ ବିଦ୍ୟାର୍ଥୀ

ଭୁବନେଶ୍ବର : ଇଞ୍ଜିନିୟରିଂ ପାଠ ପଢିବା ପାଇଁ ଆଉ ପୂର୍ବପରି ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ (କଲେଜ)ଗୁଡିକରେ ସିଟ୍‌(ସ୍ଥାନ)ଖାଲି ପଡୁଛି; କିନ୍ତୁ ସରକାରୀ ଇଞ୍ଜିନିୟରିଂ କଲେଜରେ ସ୍ଥାନ ପୂରଣ ହେଉଛି। ବର୍ଷକୁ ବର୍ଷ କମ ସଂଖ୍ୟକ ଛାତ୍ରଛାତ୍ରୀ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ)ମୁଖ୍ୟ ଏବଂ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ଦେଉଛନ୍ତି। ଚଳିତ ବର୍ଷ ଆବଶ୍ୟକ ସ୍ଥାନଠାରୁ କମ ରାଙ୍କଧାରୀ ବିଦ୍ୟାର୍ଥୀ କାଉନସେଲିଂରେ ଅଂଶଗ୍ରହଣ କରିବାକୁ ଥିବାରୁ ସ୍ଥାନ ଖାଲି ପଡିବାର ଯଥେଷ୍ଟ ସମ୍ଭାବନା ରହିଛି। ସ୍ଥାନ ପୂରଣ ପାଇଁ ଆଉଥରେ ସ୍ବତନ୍ତ୍ର ଓଜେଇଇ କରିବା ନିମନ୍ତେ ଓଡ଼ିଶା ବେସରକାରୀ ଇଞ୍ଜିନିୟରିଂ କଲେଜ ସଂଘ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛି। ୨୦୦୦ରୁ ୨୦୧୦ ମସିହା ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଇଞ୍ଜିନିୟରିଂରେ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ। ୨୦୧୦ମସିହା ପରଠାରୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀ ବିମୁଖ ହେଲେ। ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ଚାକିରି ନପାଇବାରୁ ଇଞ୍ଜିନିୟରିଂ ପଢିବାକୁ ଆଗ୍ରହ କମିଲା। ଫଳରେ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଏବେ ସ୍ଥାନ ଖାଲି ପଡୁଛି।
ଶିକ୍ଷାବର୍ଷ ୨୦୨୧-୨୦୨୨ରେ ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ କଲେଜରେ ମୋଟ ୩୪ ହଜାର ୧୨୫ଟି ସ୍ଥାନ ରହିଛି। ସରକାରୀ ଇଞ୍ଜିନିୟରିଂ କଲେଜରେ ୩ ହଜାର ୯୦୦ଟି ସ୍ଥାନ ଥିବାବେଳେ ଟିୟୁସନ ଫି ଛାଡ ବ୍ୟବସ୍ଥାରେ ୧୯୫ ସ୍ଥାନ ରହିଛି। ତେଣୁ ସରକାରୀ ଇଞ୍ଜିନିୟରିଂ କଲେଜରେ ମୋଟ ୪୦୯୫ ସ୍ଥାନରେ ଛାତ୍ରଛାତ୍ରୀ ନାମଲେଖାଇବେ। ବେସରକାରୀ ଇଞ୍ଜିନିୟରିଂ କଲେଜରେ ୨୮ ହଜାର ୬୦୦ ସ୍ଥାନ ଥିବାବେଳେ ଟିୟୁସନ ଫି ଛାଡ ବ୍ୟବସ୍ଥାରେ ୧୪୩୦ ସ୍ଥାନ ରହିଛି। ଏହି ହିସାବରେ ବେସରକାରୀ ଇଞ୍ଜିନୟରିଂ କଲେଜ ଗୁଡିକରେ ମୋଟ ୩୦ ହଜାର ୩୦ଟି ସ୍ଥାନ ରହିଛି। ଏବର୍ଷ ବେସରକାରୀ ଇଞ୍ଜିନିୟରିଂ କଲେଜରେ ୫୦୦ ସ୍ଥାନ ବୃଦ୍ଧି ପାଇଛି; କିନ୍ତୁ ସରକାରୀ ଇଞ୍ଜିନିୟରିଂ କଲେଜରେ ୧୦୦ ସ୍ଥାନ କମିଛି। ଚଳିତ ବର୍ଷ ଜେଇଇ ମୁଖ୍ୟ ପରୀକ୍ଷା ଦେଇ ରାଙ୍କ ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୧ ହଜାର ୭୦୦ ବିଦ୍ୟାର୍ଥୀଙ୍କୁ ନିଆଯାଇ ଥିବାବେଳେ ଓଜେଇଇରୁ ପ୍ରାୟ ୬ ହଜାର ୯୦୦ ଛାତ୍ରଛାତ୍ରୀଙ୍କୁ ନିଆଯାଇଛି। ଉଭୟ ପ୍ରବେଶିକାରୁ ମୋଟ ୧୮ ହଜାର ୬୦୦ ଛାତ୍ରଛାତ୍ରୀ କାଉନସେଲିଂରେ ଭାଗ ନେବେ। ନାମଲେଖା ନିମନ୍ତେ ପ୍ରଥମ ପର୍ଯ୍ୟାୟ ସ୍ଥାନ ଆବଣ୍ଟନ ତାଲିକା ପ୍ରକାଶ ପାଇଛି। ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ନାମଲେଖାଇବା ପାଇଁ ମନୋନୀତ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ସ୍ଥାନ ଆବଣ୍ଟନ ତାଲିକା ଆସନ୍ତାକାଲି(ଶନିବାର) ପ୍ରକାଶ ପାଇବାକୁ ଥିବାବେଳେ ୨୬ରେ ଶେଷ ପର୍ଯ୍ୟାୟ ସ୍ଥାନ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ଶିକ୍ଷା ବର୍ଷ ୨୦୨୦-୨୦୨୧ରେ ସରକାରୀ କଲେଜରେ ୪ ହଜାର ସ୍ଥାନ ଏବଂ ବେସରକାରୀ କଲେଜରେ ୨୮ ହଜାର ୧୦୦ଟି ସ୍ଥାନ ଥିଲା। ଶିକ୍ଷା ବର୍ଷ ୨୦୧୯-୨୦୨୦ରେ ସରକାରୀ କଲେଜରେ ୪୦୫୦ ସ୍ଥାନ ଏବଂ ବେସରକାରୀ କଲେଜରେ ୨୮ ହଜାର ୬ଶହ ସ୍ଥାନ ଥିଲା।
ରାଜ୍ୟ ସରକାର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀଙ୍କ ପାଇଁ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିଛନ୍ତି। ସାଧାରଣ ବର୍ଗ, ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ଥିବା ମୋଟ ସ୍ଥାନ ଉପରେ ୧୫ ପ୍ରତିଶତ ବିଦ୍ୟାର୍ଥୀ ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ବାରା ନାମଲେଖାଇବେ। ଏନେଇ ଓଡ଼ିଶା ବେସରକାରୀ ଇଞ୍ଜିନୟରିଂ କଲେଜ ସଂଘର ସାଧାରଣ ସମ୍ପାଦକ ବିନୋଦ ଦାଶ କହିଛନ୍ତି, ଚଳିତ ବର୍ଷ ଜେଇଇ ମୁଖ୍ୟ ଏବଂ ଓଜେଇଇରୁ ପ୍ରାୟ ୧୮ ହଜାର ରାଙ୍କଧାରୀଙ୍କୁ ନିଆଯାଇଛି; କିନ୍ତୁ କଲେଜ ଗୁଡିକରେ ରହିଥିବା ସ୍ଥାନଠାରୁ ବହୁତ କମ ପିଲା କାଉନସେଲିଂରେ ରହିଛନ୍ତି। ନିୟମ କହୁଛି ସ୍ଥାନ ଖାଲି ପଡିଲେ ପୁଣି ସ୍ବତନ୍ତ୍ର ଓଜେଇଇ ଜରିଆରେ ସ୍ଥାନ ପୂରଣ କରାଯାଇ ପାରିବ। ଏହାକୁ ନେଇ ସଂଘ ସ୍ବତନ୍ତ୍ର ଓଜେଇଇ କରିବାକୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗକୁ ଚିଠି ଲେଖିଥିଲା, ହେଲେ ବିଭାଗ ଶୁଣିଲା ନାହିଁ। ବାଧ୍ୟ ହୋଇ ସଂଘ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛି। ଉଚ୍ଚ ନ୍ୟାୟାଳୟ ୨୪ ତାରିଖ ସୁଦ୍ଧା ପକ୍ଷ ରଖିବାକୁ ଓଜେଇଇକୁ ନିର୍ଦେଶ ଦେଇଛନ୍ତି।

Comments are closed.