ଗଞ୍ଜାମରେ କାଶ୍ମୀର ସେଓ

ନିଜସ୍ବ ଉଦ୍ୟମରେ ୨ ଏକର ଜମିରେ ଚାଷ କରିଛନ୍ତି ରଞ୍ଜନ, ଜାନୁଆରୀ ପହିଲାରୁ ବଜାର

ବ୍ରହ୍ମପୁର : ଗଞ୍ଜାମରେ ଫଳିଛି କାଶ୍ମୀର ସେଓ (ଆପଲ) । ରମ୍ଭା ନିକଟସ୍ଥ ଆର. ବାହାଡାପଲ୍ଲୀ ଗ୍ରାମର ଚାଷୀ ବି. ରଞ୍ଜନ ପ୍ରଧାନ ଓ ତାଙ୍କ ପରିବାର ନିଜସ୍ବ ଉଦ୍ୟମରେ ୨ ଏକର ଜମିରେ ସେଓ ଚାଷ କରିଛନ୍ତି । ଆସନ୍ତା ମାସ ପହିଲାରେ ଫଳ ଅମଳ ଓ ବିକ୍ରି ପାଇଁ ବଜାରରେ ଉପଲବ୍ଧ ହେବ। ଗଞ୍ଜାମର ଜଳବାୟୁରେ ଆତ ଫଳାଇ ରଞ୍ଜନ ଓ ତାଙ୍କ ପରିବାର ଓଡ଼ିଶା ଉଦ୍ୟାନ ଚାଷରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛନ୍ତି। ପୂର୍ବରୁ ବିଭିନ୍ନ ପ୍ରକାର ଚାଷ ସହ ଜଡିତ ରଞ୍ଜନଙ୍କ ପରିବାର ସଦସ୍ୟ କିଛି ନୂଆ କରିବାର ଲକ୍ଷ୍ୟ ନେଇ ଆତ ଚାଷ କରିବାକୁ ଗତବର୍ଷ ଯୋଜନା କରିଥିଲେ। ରଞ୍ଜନ ଜଣେ ପୁଲିସ କର୍ମଚାରୀ ହୋଇଥିଲେ ହେଁ ଚାଷ ହେଉଛି ତାଙ୍କର ନିଶା। ସେହିକ୍ରମରେ ଗତବର୍ଷ ଜାନୁଆରୀରେ ରଞ୍ଜନ ନିଜ ଉଦ୍ୟମରେ ଥାଇଲାଣ୍ଡ ସୀମାନ୍ତ ଅଞ୍ଚଳରୁ ‘ରେଡ କାଶ୍ମୀର ଆପଲ୍ ବେରି’ କିସମ ଆଣି ନିଜର ୨ ଏକର ଜମିରେ ଚାଷ ଆରମ୍ଭ କରିଥିଲେ। ତାଙ୍କ ବଗିଚାରେ ୬୦୦ ଗଛ ଲାଗିଛି । ଆଜି ସୁଦ୍ଧା ସେ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ପ୍ରଥମ ବର୍ଷରୁ ହିଁ ଗୋଟିଏ ଗଛ ପାଖାପାଖି ୧୦ କେଜି ଫଳ ଦେବ ବୋଲି ସେ ଆଶା ରଖିଛନ୍ତି । ସେହିପରି ଗୋଟିଏ ଗଛ ୫ ରୁ ୧୦ ବର୍ଷ ବଞ୍ଚିବ । ଏହି ଫଳଗୁଡ଼ିକର ଆକାର ମଧ୍ୟମ ଧରଣର ଓ ସ୍ବାଦିଷ୍ଟ ରହିବ। ଓଡ଼ିଶାରେ କାଶ୍ମୀର ଭଳି ଜଳବାୟୁ ନଥିଲେ ମଧ୍ୟ ନଭେମ୍ବର ବେଳକୁ ଯେଭଳି ଥଣ୍ଡା ଅନୁଭୂତ ହୁଏ ସେଥିରେ ଏହି କିସମର ଫଳ ଫଳି ପାରୁଥିବା ସେ କହିଛନ୍ତି। ଏହି ଚାଷ ପାଇଁ ଗଛ ଓ ବଗିଚାର ଯତ୍ନ ହଉଛି ବଡ କଥା। ଆପଲ୍ ବଗିଚାରେ ପ୍ରଥମତଃ ଘାସ ରହିବା ଉଚିତ ନୁହଁ। ସେହିପରି ଖରାଦିନେ ଗଛରେ ଆବଶ୍ୟକୀୟ ପାଣି ଏବଂ ସମୟ ଅନୁସାରେ ଔଷଧ ​‌ସିଞ୍ଚନ କରିବାକୁ ପଡ଼ିଥାଏ ବୋଲି ରଞ୍ଜନ କହିଛନ୍ତି। ଚାଷ କାର୍ଯ୍ୟରେ ତାଙ୍କ ମାଆ ଶଶି ଓ ଭାଇ ରବି ପ୍ରଧାନ ସହଯୋଗ କରୁଛନ୍ତି। ଓଡ଼ିଶା ଉଦ୍ୟାନ ବିଭାଗରେ ଆପଲ ଚାଷ ପାଇଁ କୌଣସି ସହାୟତା କିମ୍ବା ପରାମର୍ଶର ସୁବିଧା ନଥିବାରୁ ରଞ୍ଜନ ନିଜ ଉଦ୍ୟମରେ ହିଁ ଆପଲ ଚାଷ ପ୍ରଣାଳୀ ତଦାରଖ କରୁଛନ୍ତି। ପ୍ରଥମବର୍ଷ ତାଙ୍କ ବଗିଚାରେ ଲାଗିଥିବା ପ୍ରାୟ ସମସ୍ତ ଗଛରେ ଭଲ ଫଳ ଧରିଛି। କିଛି ଗଛରେ ଫଳ ପାଚି ସାରିଛି। ଜାନୁଆରୀ ପହିଲା ବେଳକୁ ସବୁ ଗଛରୁ ଫଳ ଅମଳ ହେବ। ଏହା ପୂର୍ବରୁ ସେ ରମ୍ଭା ଓ ଗଞ୍ଜାମ ଅଞ୍ଚଳର ବ୍ୟବସାୟୀଙ୍କୁ ନିଜ ଫଳର ନମୁନା ଦେଇ ସାରିଛନ୍ତି। ଯାହା ସେହି ଅଞ୍ଚଳର ବ୍ୟବସାୟୀଙ୍କ ଦ୍ବାରା ଗ୍ରହଣୀୟ ହୋଇ ଏହାର ସ୍ବାଦ ପ୍ରଶଂସନୀୟ ହୋଇଛି ବୋଲି ରଞ୍ଜନ କହିଛନ୍ତି। ଅମଳ ହେବା ପରେ ଫଳକୁ ବ୍ରହ୍ମପୁର ବଜାରକୁ ଛାଡିବାକୁ ଯୋଜନା କରିଛନ୍ତି। ଏଥିପାଇଁ ବ୍ରହ୍ମପୁର ସହରର ଆପଲ୍ ବ୍ୟବସାୟୀଙ୍କ ସହ ଯୋଗାଯୋଗ ଆରମ୍ଭ କରି ଦେଇଛନ୍ତି। ଓଡ଼ିଶାରେ ଆପଲ୍ ଚାଷ ପାଇଁ ସରକାରୀସ୍ତରରେ ପରାମର୍ଶ ଓ ସହାୟତା ଯୋଗାଇଦେଲେ ଅନେକ ଚାଷୀ ଆଗକୁ ଆସନ୍ତେ ଓ ଆପଲ ପାଇଁ ଓଡ଼ିଶାକୁ ବର୍ଷବ୍ୟାପୀ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ ବୋଲି ରଞ୍ଜନ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Comments are closed.