ସୁଆଦିଆ ସେଓ ଖିରି

ପର୍ବପର୍ବାଣି ହେଉ କିମ୍ବା ବ୍ରତ, ବିବାହ, ଏସବୁ ଦିନରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ମଧ୍ୟରୁ ଖିରିର ସ୍ଥାନ ସ୍ବତନ୍ତ୍ର। ଖିରିର ସ୍ବାଦ ସମସ୍ତଙ୍କର ପ୍ରିୟ। ଅନେକ ରକମର ଖିରି ମଧ୍ୟରୁ ‘ସେଓ ଖିରି’ ଅନ୍ୟତମ। ଅଳ୍ପ ସମୟରେ ପ୍ରସ୍ତୁତ ହୋଇପାରୁଥିବା ଏହି ଖିରି ନିମନ୍ତେ ଆବଶ୍ୟକ ସାମଗ୍ରୀମାନ: ୨ଟି ସେଓ, ଦେଢ଼ ଲିଟର କ୍ଷୀର, ୩ବଡ଼ ଚାମଚ ଚିନି, ୧ଛୋଟ ଚାମଚ ଗୁଜୁରାତି ଗୁଣ୍ଡ, ୧ଚାମଚ କିଶ୍ମିଶ୍, ୧ଚାମଚ କାଜୁ, ୧ବଡ଼ ଚାମଚ ଘିଅ।

ପ୍ରସ୍ତୁତି: ପ୍ରଥମେ ସେଓକୁ ଭଲଭାବେ ଧୋଇ ଚୋପା ଛଡ଼ାଇ ଚୂନାଚୂନା କାଟିନେବେ। ଏହା ପରେ ଗୋଟିଏ ପାତ୍ରରେ କଡ଼େଇ ବସାଇ ଘିଅ ପକାନ୍ତୁ। ସେଥିରେ ସେଓକୁ ହାଲକା ଭାବେ ଭାଜିବେ। ସେଓରୁ ସମସ୍ତ ପାଣି ନ ବାହାରିଲା ପର୍ଯ୍ୟନ୍ତ ଭାଜି ରଖନ୍ତୁ। ଏବେ ଅନ୍ୟ ଏକ ପାତ୍ରକୁ ଚୁଲାରେ ବସାଇ କ୍ଷୀର ଗରମ କରିବେ। କ୍ଷୀର ସାମାନ୍ୟ ଗାଢ଼ ହେବା ପରେ ଚିନି, ଗୁଜୁରାତି ଗୁଣ୍ଡ ପକାଇ ୫ ମିନିଟ୍ ଫୁଟାନ୍ତୁ। କ୍ଷୀର ଅଧିକ ଗାଢ଼ ହେବା ପରେ ସେଥିରେ କାଜୁ, କିଶ୍ମିଶ୍ ପକାଇ ଚୁଲା ବନ୍ଦ କରିନେବେ। ଏବେ ଭଜା ହୋଇଥିବା ସେଓକୁ ଏହି ଖିରିରେ ମିଶାଇନିଅନ୍ତୁ। ଖିରି ସାମାନ୍ୟ ଥଣ୍ଡା ହେବା ପରେ ପାତ୍ରକୁ ଫ୍ରିଜ୍‌ରେ ୧ ଘଣ୍ଟା ପାଇଁ ରଖିବେ। ପରେ ଏହାକୁ ବାହାର କରି ସପରିବାର ‘ସେଓ ଖିରି’ ଖାଇବାର ମଜା ନିଅନ୍ତୁ।

Comments are closed.