ଏକ ଶତପରାର୍ଦ୍ଧ ଡଲାର ମୂଲ୍ୟର କମ୍ପାନୀ ହେଲା ଆପଲ୍‍

0

ନ୍ୟୁୟର୍କ : ବିଶ୍ୱର ଦ୍ୱିତୀୟ କମ୍ପାନୀ ଭାବେ ଆମେରିକାର ଆଇଫୋନ୍‍ ନିର୍ମାଣକାରୀ କମ୍ପାନୀ ‘ଆପଲ’ର ବଜାର ମୂଲ୍ୟ ଗୁରୁବାର ଏକ ଶତପରାର୍ଦ୍ଧ (ଏକ ଟ୍ରିଲିୟନ) ଡଲାର (୬୮ ଲକ୍ଷ କୋଟି ଟଙ୍କା) ପାର କରିଛି। ବୁଧବାରଠାରୁ ସେୟାର ବଜାରରେ ଆପଲ କମ୍ପାନୀର ଅଂଶଧନ ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବୁଧବାର ଆପଲ ଅଂଶଧନ ମୂଲ୍ୟ ୬% ବୃଦ୍ଧି ପାଇଥିଲା। ଗୁରୁବାର ଅଂଶଧନ ମୂଲ୍ୟ ଅଧିକ ବୃଦ୍ଧି ପାଇ ପ୍ରତି ସେୟାର ମୂଲ୍ୟ ୨୦୭.୦୫ ଡଲାରରେ ପହଞ୍ଚିଥିଲା। ଏହାସହ ଆପଲର ବଜାର ମୂଲ୍ୟ ଏକ ଶତପରାର୍ଦ୍ଧ (୧୦୦୦ ଅରବ) ହୋଇଯାଇଛି। ଏହି ସଂଖ୍ୟା ଛୁଇଁବାରେ ଆପଲ ବିଶ୍ୱର ଦ୍ୱିତୀୟ ଏବଂ ଆମେରିକାର ପ୍ରଥମ କମ୍ପାନୀ ହୋଇଛି। ଏହା ପୂର୍ବରୁ ୨୦୦୭ ନଭେମ୍ବରରେ ସାଂଘାଇ ସେୟାର ବଜାରରେ ପେଟ୍ରୋଚାଇନା ବଜାର ମୂଲ୍ୟ ଏହିସ୍ତରରେ ପହଞ୍ଚିଥିଲା ଓ କାରବାର ଶେଷ ବେଳକୁ ତଳକୁ ଖସିଆସିଥିଲା। ଏହି କ୍ରମରେ ଏବେ ଆପଲ କମ୍ପାନୀର ବଜାର ମୂଲ୍ୟ (ମାର୍କେଟ କ୍ୟାପ) ଏକ ଶତପରାର୍ଦ୍ଧ ଡଲାର, ଆମାଜନର ୮୭୯ ଶହ କୋଟି ଡଲାର ଏବଂ ଆଲ୍‍ଫାବେଟ୍‍ କମ୍ପାନୀର ମାର୍କେଟ କ୍ୟାପ ୮୪୨ ଶହ ଡଲାର ରହିଛି। ଜାନୁଆରୀ ୨୦୧୮ରୁ ଆଜି ମଧ୍ୟରେ ଆପଲ ସେୟାର ମୂଲ୍ୟରେ ୨୨% ବୃଦ୍ଧି ଘଟିଛି। ବର୍ଷେ ମଧ୍ୟରେ ଆପଲ ଅଂଶଧନ ମୂଲ୍ୟ ୩୪% ବଢିଛି। କମ୍ପାନୀ ମାର୍କେଟ କ୍ୟାପ ୯ ବର୍ଷ ମଧ୍ୟରେ ୯୦୦% ବୃଦ୍ଧି ପାଇଛି। ୨୦୦୯ରେ ଆପଲ ବଜାର ମୂଲ୍ୟ ୧୨୧ ଶହ କୋଟି ଡଲାର ଥିଲା। ଉଲ୍ଲେଖ ଯେ ଅପ୍ରେଲ- ଜୁନ ତ୍ରୈମାସରେ ଆପଲ ୧୧.୫୨ ଶହ କୋଟି ଟଙ୍କା ଆୟ କରିଛି। କମ୍ପାନୀର ଆୟରେ ବୃଦ୍ଧି ଅଂଶଧନ ବଜାରରେ ସକରାତ୍ମକ ପ୍ରଭାବ ପକାଇଛି। ଫଳରେ ଅଂଶଧନ ବଜାରରେ ଆପଲ ଅଂଶଧନ ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ଆପଲର ଏକ ଟ୍ରିଲିୟନ ଡଲାର ମାର୍କେଟ କ୍ୟାପ ଭାରତ ଅର୍ଥ ବ୍ୟବସ୍ଥାର ୩୮% ଅଟେ। ଭାରତ ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତି ହୋଇଥିବାବେଳେ ଏହାର ଅର୍ଥ ବ୍ୟବସ୍ଥା ୨.୬ ଲକ୍ଷ କୋଟି ଡଲାର (ଟ୍ରିଲିୟନ ଡଲାର) ରହିଛି। ଏପଟେ ଆପଲ ତୁଳନା ପାକିସ୍ତାନ ଅର୍ଥ ବ୍ୟବସ୍ଥା ସହ କଲେ ଆପଲ ୩ଟି ପାକିସ୍ତାନ କିଣିପାରିବା ସ୍ତରରେ ପହଞ୍ଚିଛି। ପାକିସ୍ତାନ ଅର୍ଥନୀତି ଆକାର ୩୦୪ ଶହ କୋଟି ଡଲାର ପାଖାପାଖି ରହିଛି।

Leave A Reply