ଜାନୁଆରୀ ପହିଲାରୁ ମହଙ୍ଗା ହେବ ପୋଷାକ ଓ ଜୋତା ଚପଲ

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ଜାନୁଆରୀ ୧ ତାରିଖରୁ ଦେଶରେ ପୋଷାକ ଓ ଜୋତା ଚପଲ ଦାମ୍‌ ବୃଦ୍ଧି ପାଇବାକୁ ଯାଉଛି । ଏହିସବୁ ସାମଗ୍ରୀ ୧୨% ଜିଏସଟି ଲାଗୁ ହେବା ଫଳରେ ସେଗୁଡିକର ମୂଲ୍ୟବୃଦ୍ଧି ଘଟିବ ବୋଲି ଜଣାଯାଇଛି । ବର୍ଦ୍ଧିତ ଜିଏସଟି ହାର ସହିତ ଉତ୍ପାଦନକାରୀ ସମ୍ମୁଖୀନ ହେଉଥିବା ମୁଦ୍ରାସ୍ଫୀତି ଜନିତ ଚାପ କାରଣରୁ ଏହି ମୂଲ୍ୟବୃଦ୍ଧି ଯଥେଷ୍ଟ ଅଧିକ ହେବା ଅନୁମାନ କରାଯାଉଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ କୁହାଯାଇଛି ଯେ ସଂପ୍ରତି ପୋଷାକ ଓ ଜୋତା ଚପଲ ଉପରେ ୫% ଜିଏସଟି ଲାଗୁ କରାଯାଉଥିବାବେଳେ ୨୦୨୨ ଜାନୁଆରୀ ପହିଲାରୁ ତାହା ୧୨%କୁ ବୃଦ୍ଧି କରାଯିବ । ଅନ୍ୟପକ୍ଷରେ କେତେକ ସିନ୍ଥେଟିକ ସୂତା ଏବଂ କପଡା ଉପରେ ଜିଏସଟି ହାର ୧୮%ରୁ ୧୨%କୁ ହ୍ରାସ କରାଯାଇଛି । ସିବିଡିଟିର ନିଷ୍ପତ୍ତି ଅନୁଯାୟୀ ୨୦୨୨ ଜାନୁଆରୀରୁ ଯେକୌଣସି ମୂଲ୍ୟ ବିଶିଷ୍ଟ ପୋଷାକ ଉପରେ ୧୨% ଟିକସ ଆଦାୟ କରାଯିବ । ସଂପ୍ରତି ୧ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ପୋଷାକ ଉପରେ ୫% ଟିକସ ଲାଗୁ କରାଯାଉଛି । ଅନ୍ୟପକ୍ଷରେ ଭାରତର ପୋଷାକ ଉତ୍ପାଦନକାରୀ ସଂଘ ପୋଷାକ ଉପରେ ଏଭଳି ବର୍ଦ୍ଧିତ ଟିକସ ହାରକୁ ନେଇ ନାରାଜ ଭାବ ବ୍ୟକ୍ତ କରିଛି । ସଂଘ ପକ୍ଷରୁ କୁହାଯାଇଛି ଯେ ଉତ୍ପାଦନକାରୀମାନେ ମୁଦ୍ରାସ୍ପୀତିଜନିତ ଚାପର ସମ୍ମୁଖୀନ ହେଉଥିବା ଏବଂ କଞ୍ଚାମାଲ, କପଡା, ସୂତା, ପ୍ୟାକିଂ ସାମଗ୍ରୀ ଓ ପରିବହନ ଆଦି ଖର୍ଚ୍ଚ ବୃଦ୍ଧିପାଇଥିବାବେଳେ ବର୍ଦ୍ଧିତ ଜିଏସଟି ପୂର୍ବରୁ ପୋଷାକ ମୂଲ୍ୟ ୧୨ରୁ ୧୫% ବୃଦ୍ଧିପାଇବା ଆଶା କରାଯାଉଥିଲା । ଏବେ ବର୍ଦ୍ଧିତ ଜିଏସଟି କାରଣରୁ ପୋଷାକ ମୂଲ୍ୟ ଅଧିକ ବୃଦ୍ଧିଘଟିବା ଆଶା କରାଯାଉଛି ।

Comments are closed.