ମୋଦୀଙ୍କ ଉପରେ ଖପ୍ପା ଆପ୍-ଆରଜେଡ଼ି; ମିଳିଲା ନାହିଁ ସର୍ବଦଳୀୟ ବୈଠକ ଲାଗି ନିମନ୍ତ୍ରଣ

ନୂଆଦିଲ୍ଲୀ: ଲାଦାଖର ଗଲୱାନ ଘାଟିରେ ଚୀନ ଓ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ଏବଂ ୨୦ ଜଣ ଯବାନଙ୍କ ମୃତ୍ୟୁ ପରେ ସର୍ବଦଳୀୟ ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ବିଭିନ୍ନ ଦଳକୁ ସାମିଲ କରାଯାଇଛି । ୧୭ଟି ଦଳ ଏଥିରେ ସାମିଲ ହୋଇଛନ୍ତି । ହେଲେ ଆମ୍ ଆଦମୀ ପାର୍ଟି ଓ ଆରଜେଡ଼ିକୁ ଏହି ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇ ନାହିଁ । ଲୋକସଭାରେ ୫ ବା ତହିଁରୁ ଅଧିକ ସାଂସଦ ଥିବା ଦଳକୁ ଏହି ବୈଠକରେ ସାମିଲ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ଏବଂ ଆରଜେଡ଼ି ନେତା ତେଜସ୍ବୀ ଯାଦବ ।


ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ ଆମେ ଗୋଟିଏ ରାଜ୍ୟରେ ସରକାରରେ ରହିଛୁ । ପଞ୍ଜାବରେ ଆମେ ମୁଖ୍ୟ ବିରୋଧୀ ଦଳ । ଏହା ସତ୍ବେ ଆମକୁ ସରକାର ଆଲୋଚନାରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରି ନାହାନ୍ତି । ବିଜେପି ଚୀନ-ଭାରତ ବିବାଦ ସମ୍ପର୍କରେ ଆମକୁ ଅବଗତ କରିବା ବା ଆମର ମତାମତ ନେବାକୁ ଉଚିତ୍ ମଣିନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ସେହିପରି ଆରଜେଡ଼ି  ତଥା ବିହାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ମଧ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କାହିଁକି ତାଙ୍କ ଦଳକୁ ସର୍ବଦଳୀୟ ବୈଠକରେ ସାମିଲ କରାଯାଇ ନାହିଁ ସେଥିନେଇ ସେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ।

ସେ କହିଛନ୍ତି ଯେ ଆମ ଦଳରେ ୫ ସାଂସଦ ଅଛନ୍ତି । ଆମେ ବିହାରରେ ମୁଖ୍ୟ ବିରୋଧୀ ଦଳ । ଏହା ସତ୍ତ୍ବେ ତାଙ୍କୁ କାହିଁକି ବୈଠକକୁ ନିମନ୍ତ୍ରଣ କରାଯାଇ ନାହିଁ ସେ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଉତ୍ତର ରଖିବା ଆବଶ୍ୟକ ।

Comments are closed.