ପୂଜ୍ୟ ପ୍ରଣାମ : ଭାରତରତ୍ନ ଡ. କଲାମଙ୍କ ଆଜି ଶ୍ରାଦ୍ଧବାର୍ଷିକ

ଅବୁଲ ପାକିର ଜୈନୁଲଅବଦିନ ଅବଦୁଲ କଲାମ ମସୁଦି ଏ ପି ଜେ ଅବଦୁଲ କଲାମ ନାମରେ ଭାରତର ଘରେଘରେ ସୁପରିଚିତ। ନିକଟ ଅତୀତର କୌଣସି ରାଷ୍ଟ୍ରପତି ଜନତାଙ୍କର ଏତେ ନିକଟତର, ପୂଜନୀୟ ଓ ଲୋକପ୍ରିୟ ହୋଇଥିବା ଦେଖାଯାଇନଥିଲା। ଏହି ହେତୁରୁ ତାଙ୍କୁ ‘ଜନତାର ରାଷ୍ଟ୍ରପତି’ ବୋଲି ମଧ୍ୟ ସମ୍ବୋଧନ କରାଯାଏ। ସେ ଭାରତର ଏକାଦଶତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ବାଲିଷ୍ଟିକ୍‌ ମିସାଇଲ୍‌ ବା କ୍ଷେପଣାସ୍ତ୍ର ନିର୍ମାଣ ଓ ବିକାଶ କ୍ଷେତ୍ରରେ ଅଗ୍ରଗଣ୍ୟ ହୋଇଥିବାରୁ ଏହି ବିଶ୍ବବିଖ୍ୟାତ ବୈଜ୍ଞାନିକଙ୍କୁ ‘ମିସାଇଲ୍‌ ମ୍ୟାନ’ର ଆଖ୍ୟା ମଧ୍ୟ ଦିଆଯାଇଛି। ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ଓ ଭାରତୀୟ ମହାକାଶ ବିକାଶ ସଂଗଠନ (ଇସ୍ରୋ)ର ବ୍ୟବସ୍ଥାପକ ଓ ବୈଜ୍ଞାନିକ ଭାବେ ତାଙ୍କ ଅବଦାନ ଅତୁଳନୀୟ। ୧୯୯୮ରେ ଡ. କଲାମ ଭାରତର ପୋଖରାନଠାରେ ହୋଇଥିବା ଦ୍ବିତୀୟ ପରମାଣୁ ପରୀକ୍ଷଣରେ ଏକ ନିର୍ଣ୍ଣାୟକ, ସଂଗଠନାତ୍ମକ ଓ ପ୍ରଯୁକ୍ତିଗତ ଭୂମିକା ତୁଲାଇଥିଲେ। ବହୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସେ ଶୀର୍ଷ ସ୍ଥାନ ହାସଲ କରିଥିଲେ ହେଁ ତାଙ୍କର ସରଳ ଓ ନିରାଡମ୍ବର ଜୀବନଯାପନ ଉଦାହରଣ ହୋଇ ରହିଛି।

୧୫ ଅକ୍ଟୋବର ୧୯୩୧ରେ ତାମିଲନାଡୁ ରାମେଶ୍ବରମ୍‌ ଅନ୍ତର୍ଗତ ଧନୁଷକୋଡ଼ି ନାମକ ଛୋଟ ଗାଁରେ ଭୂମିଷ୍ଠ ହୋଇଥିବା ଏହି ବିଶିଷ୍ଟ ବୈଜ୍ଞାନିକ ୨୦୦୨ରେ ରାଷ୍ଟ୍ରପତି ହୋଇଥିଲେ। ପାଞ୍ଚ ବର୍ଷର ଅବଧି ଶେଷ ହେବାପରେ ସେ ଶିକ୍ଷା, ଲେଖାଲେଖି ଓ ସାର୍ବଜନୀନ ସେବା କାର୍ଯ୍ୟରେ ମନୋନିବେଶ କରିଥିଲେ। ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତରତ୍ନ’ ସମେତ ତାଙ୍କୁ ବହୁ ପୁରସ୍କାର ଓ ସମ୍ମାନ ମିଳିଛି। ଡ. କଲାମଙ୍କ ଆାତ୍ମକଥାମୂଳକ ରଚନା ‘ୱିଙ୍ଗ୍ସ ଅଫ୍‌ ଫାୟାର୍‌: ଏନ୍‌ ଅଟୋବାଇଓଗ୍ରାଫି ଅପ୍‌ ଏପିଜେ ଅବଦୁଲ କଲାମ’, ‘ସାଇଣ୍ଟିଷ୍ଟ୍‌ ଟୁ ପ୍ରେସିଡେଣ୍ଟ’ ଓ ‘ମାଇଁ ଜର୍ଣ୍ଣି’ ତଥା ‘ଇଗ୍‌ନାଇଟେଡ ମାଇଣ୍ଡ୍‌ସ: ଅନ୍‌ଲିଶିଙ୍ଗ୍ ଦ ପାୱାର୍‌ ୱିଦିନ ଇଣ୍ଡିଆ’ ପରି ପୁସ୍ତକ ବେଶ୍ ଲୋକପ୍ରିୟ। ୨୦୧୫ ମସିହା ଆଜିର ଦିନରେ ଏହି ମହାନ ଶିକ୍ଷକ, ବୈଜ୍ଞାନିକ, ଲେଖକ, ରାଷ୍ଟ୍ରନୀତିଜ୍ଞଙ୍କ ପରଲୋକ ଘଟିଥିଲା।

Comments are closed.