ସୀମା ଟପିଲା ଅନୁପ୍ରବେଶ : କୋଟିଆରେ ଆନ୍ଧ୍ରର ନାରୀ ଶକ୍ତି !

ପଟାଙ୍ଗି :କୋରାପୁଟ ଜିଲା ପଟାଙ୍ଗି ବ୍ଲକ ସୀମାନ୍ତ କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶକୁ ଜୋରଦାର କରିଛି । ଗତ ଦୁଇ ଚାରିଦିନ ତଳେ ଆନ୍ଧ୍ରର ନିର୍ବାଚନ ଫଳାଫଳ ଘୋଷଣା ପରେ ଆନ୍ଧ୍ର ଅଧିକ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ କିଛି ନା କିଛି କାର୍ଯ୍ୟକ୍ରମ କରି ଲୋକଙ୍କ ଆସ୍ଥା ଜିତିବା ପାଇଁ ପୁଣିଥରେ ଅପପ୍ରୟାସ ଆରମ୍ଭ କରୁଥିବା ଅଭିଯୋଗ ହେଉଛି। ଗତକାଲି କୋଟିଆ ପଞ୍ଚାୟତରେ ଅଭିଭାବକ କମିଟି ଗଢ଼ିବା ପାଇଁ ଚେଷ୍ଟା କରିଥିବା ଆନ୍ଧ୍ର ଆଜି ମହିଳା ସମାବେଶ ଓ ପୋଷଣ ସପ୍ତାହ ପାଳନ କରି କୋଟିଆବାସୀଙ୍କ ଅଧିକ ନିକଟତର ହେବାକୁ ପ୍ରୟାସ କରିଛି। କୋଟିଆ ସଦର ମହକୁମାରେ ବିଭିନ୍ନ କାର୍ଯ୍ୟକ୍ରମ କରି ଆନ୍ଧ୍ର ନିଜର ଶକ୍ତ ଉପସ୍ଥିତି ଜାହିର କରିଛି। କୋଟିଆରେ ତଳ ଦିନରେ କୋରାପୁଟର ନାରୀ ଶକ୍ତି ଗର୍ଜନ ପରେ ଆଜି କୋଟିଆ ସଦର ମହକୁମାରେ ଆନ୍ଧ୍ର ସରକାରୀ କାର୍ଯ୍ୟକ୍ରମ ପୋଷଣ ସପ୍ତାହ ସଚେତନତା ନାମରେ ନାରୀ ଶକ୍ତି ପ୍ରଦର୍ଶନ କରିଥିବା ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ ଆନ୍ଧ୍ର ରାଜ୍ୟରେ ରହିଥିବା ବିଭିନ୍ନ ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ (ଆଇସିଡିଏସ) କାର୍ଯ୍ୟାଳୟ ପକ୍ଷରୁ ପୋଷଣ ସପ୍ତାହ ପାଳନ କରାଯାଇ ଗ୍ରାମର ମହିଳାଙ୍କୁ ସଚେତନ କରୁଥିବାବେଳେ ସୀମା ଭିତରେ ଅନୁପ୍ରବେଶ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି ଆନ୍ଧ୍ର ରାଜ୍ୟର କିଛି ଅଙ୍ଗନବାଡ଼ି କର୍ମୀ। ଏପରିକି ଉକ୍ତ କର୍ମୀମାନେ କୋଟିଆ ପଞ୍ଚାୟତ ସଦର ମହକୁମାରେ ପହଞ୍ଚି ଏକ ଘରେ ମହିଳାଙ୍କୁ ଏକାଠି କରି ପୁଷ୍ଟିକର ଦିବସ ପାଳନ ସହ ପୋଷଣ ସପ୍ତାହ ପାଳନ ଉପରେ ସଚେତନ କରାଇଛନ୍ତି। କିଛି ସ୍ଥାନରେ ମହିଳାଙ୍କୁ ନେଇ ଏକ ସମାବେଶ କରି ପ୍ରସୂତି ମା’ ମାନେ କିପରି ପୁଷ୍ଟିକର ଖାଦ୍ୟ ଖାଇ ସ୍ୱାସ୍ଥ୍ୟବାନ ରହିପାରିବେ ସେ ନେଇ ସଚେତନ କରାଇ ଖାଦ୍ୟ ପ୍ରସ୍ତୁତ କରିବା ଉପରେ ଏକ ପ୍ରତିଯୋଗିତା କରି କିଛି ମହିଳାଙ୍କୁ ପୁରସ୍କୃତ କରିଥିବା ସୂଚନା ମିଳିଛି। ଏପରିକି କିଛି ମହିଳାଙ୍କୁ ସେମାନେ ମୁକୁଟ ପିନ୍ଧାଇ ଫଟୋ ଉଠାଇଥିବା ଦେଖିବାକୁ ମିଳୁଛି। ସେହିପରି କୋଟିଆ ପଞ୍ଚାୟତର ଫାଟୁସିନେରିରେ ଆନ୍ଧ୍ର ରାଜ୍ୟ ବିଜୟନଗରମ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଗ୍ରାମରେ ସ୍ବୟଂସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କୁ ନେଇ ଏକ ବୈଠକ କରି ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ଓ ରୋଜଗାର କରିପାରିବେ ସେ ନେଇ ସଚେତନ କରାଯିବା ସହ ଆନ୍ଧ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଆରମ୍ଭ କରାଯାଇଥିବା ସମ୍ପର୍କରେ ଅବଗତ କରାଇଥିବା ଜଣାଯାଇଛି। କୋଟିଆ ସମେତ ଧୂଳିପଦର, ହରମାଣ୍ଡାଙ୍ଗି, ମାଡ଼କାର, ତଳସେମ୍ବି, ଉପରସେମ୍ବିତ ଆଦି ଗାଁରେ ମହିଳା ସମାବେଶ କରି ବିଭିନ୍ନ କାର୍ଯ୍ୟକ୍ରମ ସଫଳ ଆୟୋଜନ କରିଛନ୍ତି।

ଆନ୍ଧ୍ରର ଏପରି ବାରମ୍ବାର ଅନୁପ୍ରବେଶ ଅଭିଯୋଗ ହେଉଥିବାବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିୟୋଜିତ ପୁଲିସ ବାହିନୀ କିଭଳି ଅନୁପ୍ରବେଶକାରୀଙ୍କୁ ରୋକିପାରୁନାହାନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦାୟିତ୍ବରେ ଥିବା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ବିଶ୍ବାସରାୟଙ୍କୁ ପଚାରିବାରେ ସେ ଫାଟୁସିନେରିର ଏକ ଗଛ ମୂଳେ କିଛି ମହିଳା ବସିଥିବା ଦେଖିଥିଲେ ହେଁ ଆନ୍ଧ୍ରର ଏଭଳି କାର୍ଯ୍ୟକ୍ରମ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏ ନେଇ କୋରାପୁଟ ଜିଲାପାଳ ଅବ୍ଦାଲ ଏମ.ଅଖତରଙ୍କ ପ୍ରତିକ୍ରିୟା ନେବାରେ ଏଭଳି ମହିଳା ସମାବେଶ କିମ୍ବା କାର୍ଯ୍ୟକ୍ରମ ନେଇ ତାଙ୍କ ନିକଟରେ ସୂଚନା ଥିବା ଜଣାଇଛନ୍ତି।

Comments are closed.