ପୁଣି ଆନ୍ଧ୍ର ଅଧିକାରୀଙ୍କ ଦାଦାଗିରି : ଫାଟୁସିନେରୀରେ ବାଣ୍ଟିଲେ ଭତ୍ତା, ଚାଉଳ

ପଟାଙ୍ଗି : ପୁଣି ଆନ୍ଧ୍ର ଅଧିକାରୀମାନେ ଦାଦାଗିରି ଦେଖାଇ କୋରାପୁଟ ଜିଲା ପଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତର ବିବାଦୀୟ ଗ୍ରାମପୁଞ୍ଜ ଫାଟୁସିନେରୀ ଗାଁରେ ପ୍ରବେଶ କରିଛନ୍ତି। ସେଠାରେ ଆଜି ଆନ୍ଧ୍ର ଅଧିକାରୀଙ୍କ ଉପସ୍ଥିତିରେ ବୈଠକ କରାଯାଇଛି। ଆନ୍ଧ୍ର ପକ୍ଷରୁ ଲୋକଙ୍କୁ ଭତ୍ତା, ଚାଉଳ ସାଙ୍ଗକୁ ଗୃହ ଋଣ ବଣ୍ଟନ କରାଯାଇଥିବା ଜଣାପଡିଛି। ଆନ୍ଧ୍ର ଅଧିକାରୀମାନେ ନିଜର ଉପସ୍ଥିତି ଜାହିର କରି ଓଡ଼ିଶା ପ୍ରଶାସନକୁ ଆହ୍ବାନ ଦେଇଥିବା ଦେଖିବାକୁ ମିଳିଛି। ବିବାଦୀୟ ଗ୍ରାମପୁଞ୍ଜ ପାଇଁ ରାଜ୍ୟ ସରକାରଙ୍କ ଉନ୍ନୟନ କାର୍ଯ୍ୟକୁ ଗ୍ରାମବାସୀ ଗୁରୁତ୍ବ ନ ଦେଇ ଆନ୍ଧ୍ରର କେତେକ ଲୋଭନୀୟ ସହାୟତାକୁ ଅଗ୍ରାଧିକାର ଦେଉଥିବା ଲକ୍ଷ୍ୟ କରାଯାଇଛି। ନିଜ ନାମକୁ ଗୋପନ ରଖି ବହୁ ଓଡ଼ିଶା ଅଧିକାରୀ ଖୋଲାଖୋଲି ଭାବେ ସୀମାନ୍ତବାସିନ୍ଦାଙ୍କ ଆନ୍ଧ୍ର ପ୍ରୀତି ଥିବା ଆଲୋଚନା କରୁଛନ୍ତି। ସ୍ମରଣଯୋଗ୍ୟ ଗତ ୧୩ ତାରିଖରେ ଫଗୁଣସିନେରୀରେ ପାର୍ବତୀପୁରମ ପିଏଆଇଟିଡିଏ କୋରମନାଥ ୬ ଖଣ୍ଡ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ କରି ଭୋଜିଭାତର ଆସର ଜମାଇ ଥିଲେ। ଅଙ୍ଗନବାଡି ଗୃହ ପାଇଁ ଜାଗା ଚିହ୍ନଟ କାର୍ଯ୍ୟକ୍ରମ କରିଥିଲେ।
ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ। ଆନ୍ଧ୍ର ଅଧିକାରୀଙ୍କୁ ତାଗିଦା କରିଥିଲେ। ବିଧାୟକ ଶ୍ରୀ ପାଢ଼ୀ ଏବଂ ପିଏଆଇଟିଡିଏଙ୍କ ସହ ଉଚ୍ଚବାଚ ହୋଇଥିଲା। ଏହି ଘଟଣାର ୪ ଦିନ ନ ପୂରୁଣୁ ପୁଣି ଆଜି ଆନ୍ଧ୍ର ଅଧିକାରୀ ଫାଟୁସିନେରୀ ଗ୍ରାମରେ ସ୍ବୟଂ ସହାୟିକା ମହିଳାଙ୍କୁ ନେଇ ଏକ ବୈଠକ କରିଛନ୍ତି। ୱାଇ. ସତ୍ୟମ ଓ ଅନ୍ୟାନ୍ୟ ଅଧିକାରୀ ଫାଟୁସିନେରୀଠାରେ ଫାଟୁସିନେରୀ, ଉପରମାଣ୍ଡାଙ୍ଗି, ସଲପଗୁଡା ଆଦି ଗଁାର ମହିଳା ଗୋଷ୍ଠୀଙ୍କ ଉପସ୍ଥିତିରେ ବୈଠକ କରି ୨ ଜଣଙ୍କୁ ଚାଉଳ, ୬ ଜଣଙ୍କୁ ଭତ୍ତା ଏବଂ ଅନ୍ୟ ଗୃହ ଋଣ ପ୍ରଦାନ କରାଯାଇଛି। ଆଗକୁ ଗ୍ରାମବାସୀଙ୍କୁ ଆନ୍ଧ୍ର ସରକାରଙ୍କ ସମସ୍ତ ସୁବିଧାକୁ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡିଛି। ଏହି ଘଟଣା ସମ୍ପର୍କରେ ପଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟସାର୍ଥକ ମିଶ୍ରଙ୍କୁ ପଚାରିବାରୁ ଉକ୍ତ ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା ବେଳେ ଛୁଟିରେ ଥିବା ଜଣାଇଛନ୍ତି।

Comments are closed.