ବର୍ଷା-ଅନୁଭବ ମାମଲାରେ ସାକ୍ଷ୍ୟ ଗ୍ରହଣ ଅସମାପ୍ତ ; ଅନୁଭବଙ୍କ ପକ୍ଷରୁ ଦୁଇ ପିଟିସନ ଦାଖଲ

କଟକ : ବର୍ଷା-ଅନୁଭବ ବିବାହ ବିଛେଦ ମାମଲାରେ କଟକ ପରିବାର ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିବାବେଳେ ଏହି ପ୍ରକ୍ରିୟା ଅସମାପ୍ତ ରହିଥିଲା। ତେବେ ମେ ୧୮ରେ ଅନୁଭବ ପୁଣି ସାକ୍ଷ୍ୟ ପ୍ରଦାନ କରିବା ପାଇଁ ଅଦାଲତ ଧାର୍ଯ୍ୟ କରିଛନ୍ତି। ଏହି ସମୟରେ ତାଙ୍କୁ ବର୍ଷାଙ୍କ ଓକିଲ ଜେରା କରିବେ। ତେବେ ଆଜି ଅନୁଭବଙ୍କ ପକ୍ଷରୁ ଦୁଇଟି ଆବେଦନ ଦାୟର କରଯାଇଥିଲା। ମାମଲାର ତ୍ବରିତ ଶୁଣାଣି ଓ ଶୀଘ୍ର ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଶେଷ କରିବା ପାଇଁ ଏହି ଆବେଦନରେ ଦର୍ଶଯାଇଛି। ଅନୁଭବଙ୍କ ତରଫରୁ ଆଇନଜୀବୀ ଅଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନ ସହିତ ଦାମ୍ପତ୍ୟ ସମ୍ପର୍କ ସୁରକ୍ଷା ଲାଗି ବର୍ଷା ରୁଜୁ କରିଥିବା ଆବେଦନର ପରିବାର ଅଦାଲତରେ ଏକତ୍ର ଶୁଣାଣି ଚାଲିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ପିଟିସନ୍ ଦାଖଲ କରିଥିଲେ। ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମ‌େକାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧, ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ର ନିର୍ଦେଶ ଅନୁସାରେ ଅନୁଭବ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କରିଥିବା ଆବେଦନ ଶୁଣାଣି ପାଇଁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିବା ପରେ ଏପ୍ରିଲ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ପାରି ନଥିଲା। ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତ ନିର୍ଦେଶ ଦେଇଥିଲେ।

Comments are closed.