ଅନୁରାଗ-ରଣବୀରଙ୍କ ବନ୍ଧୁତା !

0

ନିର୍ଦେଶକ ଅନୁରାଗ ବସୁଙ୍କ ଚଳଚ୍ଚିତ୍ର ‘ବର୍ଫି’ରେ ଅଭିନୟ କରିବା ପରେ ରଣବୀର କପୁରଙ୍କ ସ୍ଥିତି ବଲିଉଡରେ ଦୃଢ଼ ହେବା ସହ ସେ ସୁପରଷ୍ଟାର୍‌ର ମାନ୍ୟତା ପାଇଥିଲେ। ଅନୁରାଗ ଜଣେ ଦମଦାର୍ ନିର୍ଦେଶକ, ଏହା ସମସ୍ତଙ୍କୁ ଜଣା। ହେଲେ ଯେତେବେଳେ ନିଜ ଆଗାମୀ ଚଳଚ୍ଚିତ୍ର ‘ଜଗ୍‌ଗା ଜାସୁସ୍‌’ରେ ସେ ରଣବୀରଙ୍କୁ ସୁଯୋଗ ଦେଲେ, ସମସ୍ତେ ଆଶା କରିଥିଲେ ଯେ ଚଳଚ୍ଚିତ୍ରଟି ସଫଳ ହେବ। ପରିସ୍ଥିତି କିନ୍ତୁ ଏଥରକ ଭିନ୍ନ ଥିଲା, ବକ୍ସ ଅଫିସ୍‌ରେ ଚଳଚ୍ଚିତ୍ରଟି ଧରାଶାୟୀ ହେଲା। ରଣବୀରଙ୍କ ବଦ୍‌ରାଗୀ ବାପା ରିଷି କପୁର ଗଣମାଧ୍ୟମକୁ ତୁରନ୍ତ ମତ ଦେଲେ ଯେ ଅନୁରାଗକୁ ଭଲ ଚଳଚ୍ଚିତ୍ର ନିର୍ମାଣ କରିଆସେନାହିଁ। ବାପାଙ୍କର ଏଭଳି କାର୍ଯ୍ୟକଳାପରେ ରଣବୀର ଅନୁତାପ କରିବା ସହ ସମସ୍ତଙ୍କ ସମ୍ମୁଖରେ କ୍ଷମା ମାଗିଥିଲେ। ଅନ୍ୟ ପାଖେ ତାଙ୍କ ଆଗାମୀ ଚଳଚ୍ଚିତ୍ର ନିମନ୍ତେ ପୁଣି ଅନୁରାଗ ଘନିଷ୍ଠ ବନ୍ଧୁ ରଣବୀରଙ୍କୁ ପ୍ରସ୍ତାବ ଦେଲେ। ରଣବୀର କିନ୍ତୁ କ’ଣ ବା କରିବେ? ଯଦି ବନ୍ଧୁଙ୍କୁ ଚଳଚ୍ଚିତ୍ର ପାଇଁ ହଁ କରିବେ, ବାପାଙ୍କ କ୍ରୋଧକୁ ବା ସମ୍ଭାଳିବେ କିଏ? ଏଣୁ ରଣବୀର କୌଣସି ପ୍ରତ୍ୟୁତ୍ତର କାହାକୁ ନ ଦେଇ ବରଂ ଚୁପ୍ ରହିଲେ। ଶେଷରେ ଏହି ନିରବତାର ଅର୍ଥକୁ ଅନୁରାଗ ବୁଝିପାରି ନିଜ ଚଳଚ୍ଚିତ୍ର ପାଇଁ ଅଭିଷେକ ବଚ୍ଚନଙ୍କ ସହ ଚୁକ୍ତି କରିସାରିଛନ୍ତି ବୋଲି ଜଣାପଡ଼ିଛି।

Leave A Reply