ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଆସନ୍ତୁ ମନମୋହନ ସିଂହ ଜୀ : ଅନୁପମ

ମୁମ୍ବଇ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବଲିଉଡ଼ ଅଭିନେତା ଅନୁପମ ଖେର। ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପାଇବା ପରେ ଉଦ୍‍ବେଗ ପ୍ରକାଶ କରିବା ସହ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କାମନା କରି ସୋସିଆଲ୍‍ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

ଟ୍ୱିଟରରେ ସେ ଲେଖିଛନ୍ତି, “ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମହୋଦୟ ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଆସନ୍ତୁ”।

ସୂଚନାଯୋଗ୍ୟ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର (ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। ଡକ୍ଟର ସିଂହ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ସନ୍ଧ୍ୟା ୮ଟା ୪୦ରେ ତାଙ୍କୁ ଏମ୍ସର କାର୍ଡିଓ ଥେରାସିସି (ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସା) ୱାର୍ଡରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ମନମୋହନ ସିଂହଙ୍କ ରାଜନୈତିକ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ରେ ଅନୁପମ କାମ କରିଥଲେ। ସେ ଏହି ଚଳଚ୍ଚିତ୍ରରେ ଡକ୍ଟର ସିଂହଙ୍କ ଭୂମିକାରେ ଅଭିନୟ କରିଥିଲେ।

Comments are closed.