ପୋଷ୍ୟକନ୍ୟା ପାଇଁ ବଢୁଛି ଆଗ୍ରହ : ୩ ବର୍ଷରେ ୯୦ କନ୍ୟା ଗ୍ରହଣ କରିଛନ୍ତି ବିଦେଶୀ ଦମ୍ପତି

ଅନୁଗୋଳ (ସୋମନାଥ ସାହୁ) :  କଥାରେ ଅଛି, ‘ଦୁହିତା ଦୁଇ କୁଳକୁ ହିତା’; ମାତ୍ର ଆମ ସମାଜରେ କନ୍ୟା ସନ୍ତାନଙ୍କୁ ଅବହେଳା କରାଯିବା ଦେଖାଯାଏ। କନ୍ୟା ଭ୍ରୂଣହତ୍ୟା ଖବର ଅନେକ ସମୟରେ ଚର୍ଚା ସୃଷ୍ଟି କରୁଛି। କନ୍ୟା ସନ୍ତାନଙ୍କୁ କେତେକ ପିତାମାତା ରାସ୍ତାକଡ଼ରେ ଛାଡି ପଳାଉଛନ୍ତି। କନ୍ୟା ସନ୍ତାନ ଜନ୍ମ ହେଲେ ଅନେକ ପରିବାରରେ ଭାଳେଣି ପଡିଯାଉଛି। ତେବେ ପୋଷ୍ୟକନ୍ୟା ଗ୍ରହଣ କ୍ଷେତ୍ରରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ଯେଉଁମାନଙ୍କ ସନ୍ତାନସନ୍ତତି ହେଉନାହିଁ ସେମାନେ କନ୍ୟା ସନ୍ତାନଙ୍କୁ ଗ୍ରହଣ କରିବାକୁ ଅଧିକ ସଂଖ୍ୟାରେ ଆଗେଇ ଆସୁଛନ୍ତି।

ରାଜ୍ୟ ସ୍ତରରେ ପୋଷ୍ୟ ସନ୍ତାନ ଗ୍ରହଣ ନେଇ କାର୍ଯ୍ୟ କରୁଥିବା ସାରା (ଷ୍ଟେଟ୍‌ ଆଡପସନ ରିସୋର୍ସ ଏଜେନ୍ସି)ରୁ ମିଳିଥିବା ଗତ ୩ ବର୍ଷର ତଥ୍ୟ ଅନୁଶୀଳନରୁ ଜଣାପଡ଼ିଛି ଯେ ଶିଶୁ କନ୍ୟା ଅଧିକ ସଂଖ୍ୟାରେ ପୋଷ୍ୟ ଭାବେ ଗ୍ରହଣ ହୋଇଛନ୍ତି। ୨୦୧୭ରେ ଓଡିଶାରୁ ୨୩୬ ଜଣ ଶିଶୁଙ୍କୁ ସନ୍ତାନହୀନ ପିତାମାତାମାନେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୧୪୫ ଜଣ କନ୍ୟା ସନ୍ତାନ ଓ ୯୧ ଜଣ ପୁତ୍ର ସନ୍ତାନ। ୨୦୧୮ରେ ୨୪୬ ଜଣ ଶିଶୁ ପୋଷ୍ୟ ଭାବେ ଗ୍ରହଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶିଶୁ କନ୍ୟା ସଂଖ୍ୟା ୧୫୦ ଥିବାବେଳେ ଶିଶୁ ପୁତ୍ର ସଂଖ୍ୟା ୯୬ ରହିଛି। ୨୦୧୯ରେ ୨୪୭ ଶିଶୁ ପୋଷ୍ୟ ଭାବେ ଗ୍ରହଣ ହୋଇଥିବା ବେଳେ ଶିଶୁ କନ୍ୟା ସଂଖ୍ୟା ୧୩୫ ଓ ଶିଶୁ ପୁତ୍ର ସଂଖ୍ୟା ୧୧୨ ରହିଛି। ସାରାର ପ୍ରୋଜେକ୍ଟ ମ୍ୟାନେଜର ଶୁଭଦର୍ଶୀ ଦାଶଙ୍କ ସୂଚନା ଅନୁଯାୟୀ ଏହି ଶିଶୁଙ୍କ ମଧ୍ୟରୁ ୨୦୧୯ରେ ୨୩ଜଣ ଶିଶୁଙ୍କୁ ବିଦେଶୀ ପିତାମାତା ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣ କନ୍ୟା ସନ୍ତାନ ରହିଛନ୍ତି। ୨୦୧୮ରେ ୬୨ ଶିଶୁ ବିଦେଶୀ ପିତାମାତାଙ୍କ ଦ୍ବାରା ପୋଷ୍ୟ ଭାବେ ଗ୍ରହଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯ଜଣ ଶିଶୁ କନ୍ୟା ରହିଛନ୍ତି। ୨୦୧୭ରେ ୨୯ ଜଣ ଶିଶୁଙ୍କ ମଧ୍ୟରୁ ୨୬ ଜଣ ଶିଶୁ କନ୍ୟା ରହିଥିଲେ। ଏମାନଙ୍କ ମଧ୍ୟରୁ ୯୦ ବିଦେଶୀ ଦମ୍ପତି ପୋଷ୍ୟ ଭାବେ କନ୍ୟା ସନ୍ତାନଙ୍କୁ ଗ୍ରହଣ କରିଛନ୍ତି। ଏହି ବିଦେଶୀ ପିତାମାତାମାନେ ହେଉଛନ୍ତି ଆମେରିକା, ବ୍ରିଟେନ, ସ୍ପେନ, ଫ୍ରାନ୍ସ, ଇଟାଲୀ ଆଦି ଦେଶର।

୨୦୧୬ ଅଗଷ୍ଟରେ ଅନୁଗୋଳରେ ଖୋଲିଲା ସ୍ପେଶିଆଲାଇଜ୍‍ଡ ଆଡପସନ ଏଜେନ୍ସି (ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର)। ସେବେଠାରୁ ଏଠାରେ ପିତୃମାତୃହୀନ ଶିଶୁମାନେ ରହିବାକୁ ଲାଗିଲେ। ସେହିପରି ଶିଶୁମାନଙ୍କୁ ଉତ୍ତମ ପରିବେଶରେ ରଖିବା ପାଇଁ ଅନୁଗୋଳରେ ରହିଛି ୪ଟି ସିସିଆଇ(ଚାଇଲ୍ଡ କେୟାର ଇନ୍‍ଷ୍ଟିଚ୍ୟୁଟ୍‍)। ୨୦୧୬ରୁ ଅଦ୍ୟାବଧି ସ୍ପେଶିଆଲାଇଜ୍‍ଡ ଆଡପସନ ଏଜେନ୍ସିରୁ ୨୧ ଜଣ ଶିଶୁ ଓ ଜିଲାରେ ଥିବା ବିଭିନ୍ନ ସିସିଆଇରୁ ୪ଜଣ ଶିଶୁଙ୍କୁ ପୋଷ୍ୟସନ୍ତାନ ଭାବେ ବିଭିନ୍ନ ବ୍ୟକ୍ତିି ଗ୍ରହଣ କରିଛନ୍ତି। ଶିଶୁ ସୁରକ୍ଷା ୟୁନିଟ୍‍ରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଏହି ୨୫ ଜଣ ଶିଶୁଙ୍କ ମଧ୍ୟରୁ ୧୩ ଜଣ ହେଉଛନ୍ତି କନ୍ୟା ସନ୍ତାନ ଓ ୧୨ ଜଣ ପୁତ୍ର ସନ୍ତାନ। ଏହି ୨୫ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଦୁଇ ଜଣଙ୍କୁ ଛାଡିଦେଲେ ଅନ୍ୟମାନଙ୍କୁ ରାଜ୍ୟ ବାହାରର ଲୋକ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ବୋଲି ବିଭାଗୀୟ ଜଣେ ଅଧିକାରୀ କହିଛନ୍ତି।

ତେବେ ପୋଷ୍ୟ ଭାବେ କାହିଁକି ଅଧିକ ଶିଶୁକନ୍ୟାଙ୍କୁ ଲୋକେ ଗ୍ରହଣ କରୁଛନ୍ତି ସେ ସମ୍ପର୍କରେ ଦୀର୍ଘ ଦିନ ଧରି ଏ କ୍ଷେତ୍ରରେ କାର୍ଯ୍ୟ କରିଥିବା ତଥା ପୁରୀର ପୂର୍ବତନ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି, ଯେଉଁ ଲୋକମାନେ ପୋଷ୍ୟ ଭାବେ ସନ୍ତାନଙ୍କୁ ଗ୍ରହଣ କରୁଛନ୍ତି ସେମାନେ ପ୍ରାୟ ଉଚ୍ଚଶିକ୍ଷିତ। ଏହାସହ ସେମାନେ ଆର୍ଥିକ ଭାବେ ସ୍ବଚ୍ଛଳ। ତେଣୁ ସେମାନେ ଭଲ ଭାବେ ବୁଝିଛନ୍ତି ଯେ ପୁଅଝିଅ ମଧ୍ୟରେ ବିଶେଷ କିଛି ପାର୍ଥକ୍ୟ ନାହିଁ। ସେହିପରି ସେମାନଙ୍କ ବାର୍ଦ୍ଧକ୍ୟ ସମୟରେ ପୁଅ ଅପେକ୍ଷା ଝିଅଟି ଅଧିକ ସାହାରା ହେବ। ପୁଅଟି ସେମାନଙ୍କ ଅର୍ଥକୁ ଅପବ୍ୟୟ କରିବାର ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ହେଲେ ଝିଅଟି ବଡ଼ ହେଲେ ସେପରି କରିବ ନାହିଁ ବୋଲି ସେମାନେ ଭାବୁଛନ୍ତି। ସେମାନେ ବର୍ତ୍ତମାନ ସମାଜକୁ ଭଲ ଭାବେ ଅନୁଶୀଳନ କରୁଛନ୍ତି; ଦେଖିବାକୁ ପାଉଛନ୍ତି ଯେ ପୁଅଟି ବାର୍ଦ୍ଧକ୍ୟ ସମୟରେ ବାପା ମା’ଙ୍କୁ ପଚାରୁ ନ ଥିବା ବେଳେ ଝିଅଟି ସେମାନଙ୍କ ଯତ୍ନ ନେଉଛି। ତେଣୁ ଏହି ମାନସିକତା ରଖି ସେମାନେ ପୋଷ୍ୟ ଭାବେ କନ୍ୟା ସନ୍ତାନଙ୍କୁ ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି।
ଅନୁଗୋଳର ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରାଙ୍କ କହିବାନୁଯାୟୀ ଆମ ପାଇଁ ଉଭୟ କନ୍ୟା ଓ ପୁତ୍ର ସନ୍ତାନ ସ୍ନେହର ପାତ୍ର; କିନ୍ତୁ ଗତ ୨୦୧୬ ଅଗଷ୍ଟରୁ ଅଦ୍ୟାବଧି ଯେଉଁ ୨୫ ଜଣ ଶିଶୁ ପୋଷ୍ୟଭାବେ ଗ୍ରହଣ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୧୩ ଜଣ ଶିଶୁ କନ୍ୟା ରହିଥିବା ବେଳେ ୧୨ ଜଣ ଶିଶୁ ପୁତ୍ର ଅଛନ୍ତି। ଏହି ତଥ୍ୟରୁ ଆମେ ମଧ୍ୟ ଅନୁମାନ କରୁଛୁ ଯେ ପୋଷ୍ୟ ଭାବେ କନ୍ୟାଙ୍କୁ ଗ୍ରହଣ କରିବା ପାଇଁ ଅଧିକ ପରିବାର ଆଗ୍ରହ ପ୍ରକାଶ କରୁଛନ୍ତି। ଏହା ଏକ ଶୁଭ ସଙ୍କେତ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଅନେକ ସମୟରେ ନଜରକୁ ଆସୁଛି କେତେକ ବ୍ୟକ୍ତି ଆଇନ୍‍ ଅନୁସରଣ ନ କରି ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କେତେକ ମଧ୍ୟ ଆଇନ୍‍ ଅନୁସରଣ ନ କରି ଶିଶୁଙ୍କୁ ରଖୁଛନ୍ତି। ଏହା ଅନୁଚିତ ଓ ବେଆଇନ। ଆମ ନଜରକୁ ଆସିଲେ ସଂପୃକ୍ତ ଶିଶୁକୁ ଉଦ୍ଧାର କରାଯିବ। ଏହାସହ ସଂପୃକ୍ତ ବ୍ୟକ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ତେଣୁ ଆଇନ୍‍ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଉଚିତ; ତା’ ନ ହେଲେ ଶିଶୁର ଭବିଷ୍ୟତ ସୁରକ୍ଷିତ ରହିବ ନାହିଁ।
ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା

ଜିଲା ଶିଶୁ ସୁରକ୍ଷା ୟୁନିଟ୍‍ରୁ ମିଳିଥିବା ତଥ୍ୟ ଅନୁଯାୟୀ,  କେନ୍ଦ୍ର ସରକାରଙ୍କ କେୟାରିଂ ନାମରେ ଏକ ଅନଲାଇନ୍‍ ପୋର୍ଟାଲ ରହିଛି। ଏହି ପୋର୍ଟାଲରେ ପ୍ରଥମେ ଯେଉଁ ଶିଶୁମାନେ ବିଭିନ୍ନ ଶିଶୁ ସଦନରେ ରହୁଛନ୍ତି ସେମାନଙ୍କ ସୂଚନା ରହୁଛି। ଶିଶୁମାନଙ୍କ ଫଟୋ ସହ ସେମାନଙ୍କ ବୟସ ମଧ୍ୟ ଏଥିରେ ଉଲ୍ଲେଖ ରହୁଛି। ତେଣୁ ଆଗ୍ରହୀ ବ୍ୟକ୍ତିମାନେ ଏହି ପୋର୍ଟାଲରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଆବେଦନ କରିପାରିବେ। ଏ ନେଇ ସେମାନେ ନିଜର ଠିକଣା, ଆୟ, ନିଜ ପରିବାର ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବେ। ଏହାପରେ ସିସିଆଇରେ ଥିବା ସାମାଜିକ କର୍ମୀମାନେ ସଂପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ଅନୁଧ୍ୟାନ କରିବେ। ସେମାନେ ଅନୁଧ୍ୟାନ କରିବା ପରେ ଏକ ମାସ ମଧ୍ୟରେ ଏକ ରିପୋର୍ଟ ପ୍ରସ୍ତୁତ କରିବେ। ଯେଉଁ ଶିଶୁମାନେ କୌଣସି ସ୍ଥାନରୁ ମିଳିଥିବେ, ସେମାନଙ୍କ ପାଇଁ ଏକ ମାସ ଓ ଯେଉଁ ଶିଶୁମାନଙ୍କୁ ସେମାନଙ୍କ ପିତାମାତାମାନେ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିବେ ସେମାନଙ୍କ ପାଇଁ ୨ ମାସ ସମୟ ଅବଧି ଦିଆଯିବ। ଏହି ସମୟ ମଧ୍ୟରେ ସେମାନେ ଚାହିଁଲେ ସେମାନଙ୍କ ପିଲାଙ୍କୁ ନେଇପାରିବେ। ହେଲେ ଏହି ସମୟ ମଧ୍ୟରେ ନ ନେଲେ ପିଲାଟି ‘ଲିଗାଲ ଫ୍ରି’ ହୋଇଗଲା ବୋଲି ଧରି ନିଆଯାଏ। ତେଣୁ ସିଡବ୍ଲ୍ୟୁସି, ଅର୍ଥାତ ଶିଶୁ ମଙ୍ଗଳ କମିଟି ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରକୁ ଲିଗାଲ ଫ୍ରି ପ୍ରମାଣପତ୍ର ପ୍ରଦାନ କରିବ। ଏହି ପ୍ରମାଣପତ୍ର ପାଇବା ପରେ ପୋଷ୍ୟ ସନ୍ତାନ ପାଇଁ ଆବେଦନକାରୀ ବ୍ୟକ୍ତି ‘ପ୍ରିଆଡପସନ ଫୋଷ୍ଟର କେୟାର ଅଣ୍ଡରଟେକିଂ’ କିମ୍ବା ଆଫିଡେଭିଟ୍‍ କୋର୍ଟରେ ତିଆରି କରି ଆଇନ୍‍ଗତ ଉପାୟରେ ପିଲାଟିକୁ ଗ୍ରହଣ କରିପାରିବେ।

ଏହାପରେ ୭ ଦିନ ମଧ୍ୟରେ ପରିବାର ଅଦାଲତରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ପକ୍ଷରୁ ଏକ ଆବେଦନ ପୈଠ କରାଯିବ। ସଂପୃକ୍ତ ପିଲା ଓ ଯେଉଁ ପିତାମାତା ପିଲାଟିକୁ ନେବାକୁ ଚାହୁଁଥିବେ, ସେମାନଙ୍କ ସମ୍ପର୍କରେ ଅଦାଲତକୁ ସମସ୍ତ ବିଷୟରେ ଅବଗତ କରାଯିବ। ୨ ମାସ ମଧ୍ୟରେ ଅଦାଲତ ଏହାର ବିଚାର କରି ରାୟ ପ୍ରଦାନ କରିବେ। ଯଦି ଅଦାଲତ ହୃଦୟଙ୍ଗମ କରିବେ ଏହି ପ୍ରକ୍ରିୟା ଠିକ ଭାବରେ ହୋଇଛି ତାହା ହେଲେ ଅନୁମତି ପ୍ରଦାନ କରିବେ। ଏହାପରେ ୫ ଦିନ ମଧ୍ୟରେ ପିଲାଟିର ଜନ୍ମ ପ୍ରମାଣପତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସଂପୃକ୍ତ ପିତାମାତାଙ୍କ ପାଖକୁ ପଠାଇବେ। ହେଲେ ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ଦେବାକୁ ପଡିବ। ଏହି ଅର୍ଥ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଚାଇଲ୍ଡ କର୍ପସ ଫଣ୍ଡରେ ରହିବ। ପିଲାଟି ପୋଷ୍ୟ ଭାବେ ଗ୍ରହଣ ହେବାର ଦୁଇ ବର୍ଷ ପର୍ଯ୍ୟନ୍ତ ସାମାଜିକ କର୍ମୀମାନେ ତାଙ୍କ ସମ୍ପର୍କରେ ନିୟମିତ ବ୍ୟବଧାନରେ ତଥ୍ୟ ସଂଗ୍ରହ କରି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ଜଣାଇବେ।

ଶିଶୁ ସୁରକ୍ଷା ୟୁନି୍‍ଟ୍‍ର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଯେଉଁ ସିସିଆଇଗୁଡିକ ରହିଛି ସେମାନେ ପୋଷ୍ୟସନ୍ତାନ ଗ୍ରହଣ କ୍ଷେତ୍ରରେ ଅସହଯୋଗ କରୁଛନ୍ତି; କାରଣ ସେମାନଙ୍କ ପାଖରେ ପିଲା ନ ରହିଲେ ସେମାନଙ୍କ ଅନୁଦାନ ବନ୍ଦ ହୋଇଯିବ। ତେଣୁ ସେମାନେ ପୋଷ୍ୟ ସନ୍ତାନସନ୍ତତି ଗ୍ରହଣ କ୍ଷେତ୍ରରେ ଯେତିକି ତତ୍ପରତା ପ୍ରକାଶ କରିବା କଥା ତାହା ପ୍ରକାଶ କରୁନାହାନ୍ତି। ସେମାନେ ତତ୍ପରତା ପ୍ରକାଶ କଲେ ଅଧିକରୁ ଅଧିକ ଶିଶୁ ପୋଷ୍ୟ ଭାବେ ଗ୍ରହଣ ହୋଇପାରନ୍ତେ। ବର୍ତ୍ତମାନ ଅନୁଗୋଳ ଜିଲାର ବିଭିନ୍ନ ସିସିଆଇରେ ୧୪୮ ପିଲା ଅଛନ୍ତି। ତେଣୁ ସେମାନେ ବି ବିଭିନ୍ନ ପରିବାରରେ ପୋଷ୍ୟ ଭାବେ ଗ୍ରହଣ ହୋଇ ରହିପାରିବେ। ଏ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ। ଶିଶୁ ଯତ୍ନ କେନ୍ଦ୍ରଗୁଡିକ ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମରେ ସହଯୋଗ କରିବା ଉଚିତ। ଯଦି ସେମାନେ ନ କରିବେ ସେମାନଙ୍କୁ କିଶୋର ନ୍ୟାୟ ଆଇନ୍‍-୨୦୧୫ ଧାରା ୬୬ ଅନୁଯାୟୀ ୫୦ ହଜାର ଟଙ୍କା ଜୋରିମାନା ଓ ଲାଇସେନ୍ସ ରଦ୍ଦ ହେବାର ବ୍ୟବସ୍ଥା ଅଛି।

Comments are closed.