ମାନଚିତ୍ରରୁ ହଜିଗଲା ରାଜସ୍ୱ ଗ୍ରାମ, ମାନ୍ୟତା ଫେରି ପାଇବାକୁ ୪୦ ବର୍ଷ ହେଲା ଗ୍ରାମବାସୀଙ୍କ ସଂଘର୍ଷ

ଅନୁଗୋଳ: ଓଡିଶା ମାନଚିତ୍ରରୁ ଲିଭିଗଲା ଏକ ରାଜସ୍ୱ ଗ୍ରାମ। ଗ୍ରାମବାସୀ ଅଛନ୍ତି ହେଲେ ରାଜସ୍ୱ ବିଭାଗ ରେକର୍ଡରେ ଗାଁର ନାଁ ନାହିଁ। ୪୦ ବର୍ଷ ହେଲା ପୁଣି ଥରେ ନିଜ ଗାଁର ନାଁ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜିଲାର ପାଲଲହଡା ବ୍ଲକ ଖମାର ପଞ୍ଚାୟତରେ।

ପ୍ରାୟ ୪୦ ବର୍ଷ ପୂର୍ବେ ଖମାର ପଞ୍ଚାୟତରେ ଜିତଡିମିରିଆ ନାଁରେ ଥିଲା ଏକ ରାଜସ୍ୱ ଗାଁ। ଲୋକେ ଚାଷବାସ କରି ଜୀବିକା ନିର୍ବାହ କରୁଥିଲେ। ୧୯୮୧-୮୨ ବେଳକୁ ସମଲଠାରେ ବୃହତ ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ପଥରବନ୍ଧ ପାଇଁ ବହୁ ପଥର ଆବଶ୍ୟକ ପଡିଲା। ତେଣୁ ସୁବିଧା ଓ ନିକଟ ଦୃଷ୍ଟିରୁ ଜିତଡିମିରିଆ ଗାଁ ନିକଟସ୍ଥ ଏକ ପାହାଡ଼ରୁ ପଥର ଖନନ କରାଗଲା। ବ୍ୟାପକ ବ୍ଲାଷ୍ଟିଂ ଯୋଗୁଁ ଏହାର ପ୍ରଭାବ ଗାଁ ଉପରେ ପଡ଼ିଲା। ଘର ସବୁ ଫାଟିଲା। ପଥର ଖଣ୍ଡ ଗାଁ ଭିତରେ ପଡିଲା। ଭୟଭୀତ ଅବସ୍ଥାରେ ଲୋକେ ଜୀବନ ବିତାଇଲେ। ଲୋକଙ୍କର ଏଭଳି ଅବସ୍ଥା ଦେଖି ବ୍ଳାଷ୍ଟିଂ କରୁଥିବା ସଂସ୍ଥା ଗ୍ରାମବାସୀଙ୍କୁ ଭୁଲାଇ ଅଳ୍ପ କିଛି କ୍ଷତିପୂରଣ ଅର୍ଥ ଦେଇ ସେଠାରୁ ଅନ୍ୟତ୍ର ଯିବାକୁ କହିଲା। ଲୋକେ ମଧ୍ୟ ସେଠାରୁ ପ୍ରାୟ ୩/୪କି.ମି ଦୂର ଏକ ଜଙ୍ଗଲଭିତରେ ଯାଇ ରହିଲେ। ସେଦିନରୁ ସେମାନେ ଜଙ୍ଗଲ ଭିତରେ ଘର କରି ରହୁଛନ୍ତି। ସେମାନଙ୍କ ମୂଳ ଗାଁଟି ପଥର ଖଦାନରେ ପରିଣତ ହେଲା। ରାଜସ୍ୱ ବିଭାଗ ରେକର୍ଡରୁ ଗାଁ ନାଁ ଲିଭିଗଲା। ୪୦ ବର୍ଷ ହେଲା ଜଙ୍ଗଲଭିତରେ ୪୦ରୁ ଅଧିକ ପରିବାରର ୨୦୦ରୁ ଅଧିକ ଲୋକ ବାସ କରୁଛନ୍ତି। ନିଜେ ସେହି ଗାଁକୁ ନୂଆ ଜିତଡିମିରିଆ ବୋଲି ନାଁ ଦେଇଛନ୍ତି। କିନ୍ତୁ ସରକାରୀ ରେକର୍ଡ଼ରେ ସେମିତି କିଛି ଗାଁ ନାହିଁ। ଏହାର କାରଣ ସେମାନେ ଯେଉଁ ଜାଗାରେ ରହିଛନ୍ତି ତାହା ହେଉଛି ଜଙ୍ଗଲ କିସମ ଜମି। ସେଠାରେ ୪୦ ବର୍ଷ ହେଲା ଲୋକେ ରହୁଥିଲେ ମଧ୍ୟ କାହାକୁ ଜମିପଟା ମିଳିପାରି ନାହିଁ। କାହାର ଜମି ପଟା ନଥିବାରୁ ବାସିନ୍ଦା ପ୍ରମାଣପତ୍ର ନାହିଁ। ଫଳରେ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ ରହିଛନ୍ତି। ଜମିପଟା ପ୍ରଦାନ ସହ ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ଗ୍ରାମବାସୀ ସେଦିନରୁ ଆଜି ପର୍ଯ୍ୟନ୍ତ ଦାବି ଆନ୍ଦୋଳନ କରି ଆସୁଛନ୍ତି। ବାରମ୍ବାର ପ୍ରଶାସନ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଚିଠି ମାଧ୍ୟମରେ ଗୁହାରି କରିଛନ୍ତି। କିନ୍ତୁ ସେମାନଙ୍କ ଦୁଃଖ କେହି ଶୁଣି ନାହାନ୍ତି। ଲୋକଙ୍କ ଦାବି ଆପତ୍ତି ପରେ କିଛି ବର୍ଷ ପୂର୍ବେ ପଞ୍ଚାୟତ ତରଫରୁ ଗାଁକୁ ମାଟି ରାସ୍ତା, ପାନୀୟଜଳ ପାଇଁ ନଳକୁଅ ଓ ଏକ ମନ୍ଦିର ନିର୍ମାଣ କରାଯାଇଥିଲା। ଏନେଇ ପାଲଲହଡା ତହସିଲଦାର ସ୍ୱାଗତ ଦାସ କୁହନ୍ତି ଯେତେବେଳେ ସେମାନଙ୍କୁ ଏଠାରୁ ଅନ୍ୟତ୍ରଯିବାକୁ କୁହାଯାଇଥିଲା ସେତେବେଳେ କି ପ୍ରକାର ପ୍ରତିଶ୍ରୁତି ଦିଆଯାଇଥିଲା, କେତେ କ୍ଷତିପୂରଣ ଦିଆଯାଇଛି ଏବଂ କେଉଁଠି ଥଇଥାନ ପାଇଁ କୁହାଯାଇଥିଲା ସେମିତି ରେକର୍ଡ କିଛି ନାହିଁ। ସେ ଗାଁ ଲୋକଙ୍କୁ ପଚାରିଲେ ମଧ୍ୟ କିଛି କହିପାରୁ ନାହାନ୍ତି। ଏହାଛଡା ତହସିଲ ରେକର୍ଡ଼ରେ ମଧ୍ୟ ଜିତଡିମିରିଆ ଗାଁ ନାହିଁ। ଫଳରେ ସେମାନଙ୍କୁ ପଟା ଦିଆଯାଇପାରୁ ନାହିଁ। ଗାଁର ଯୁଗଳକିଶୋର ଜିତ, ବିଶ୍ୱମୋହନ ଜିତ, ଗୋଲେଖଚରଣ ଜିତ ଓ ପୂର୍ଣ୍ଣଚନ୍ଦ୍ର ପାଳ ପ୍ରମୁଖ କୁହନ୍ତି ଦେଶର ସ୍ୱାର୍ଥ ପାଇଁ ଆମେ ଭିଟାମାଟି ଛାଡିଲୁ କିନ୍ତୁ ଏବେ ପରିଚୟ ନାହିଁ। ଗାଁଟି ପୁଣି ଥରେ ରାଜସ୍ୱ ଗ୍ରାମର ମାନ୍ୟତା ଫେରିପାଇବ କି ନାହିଁ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି।

Comments are closed.