ବନ୍ଧୁକ ସହ ମାରଣାସ୍ତ୍ରରେ ଦୁଇ ଭାଇଙ୍କୁ ଆକ୍ରମଣ : ଜଣେ ମୃତ, ୧ ଗୁରୁତର

ଅନୁଗୋଳ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅନୁଗୋଳ ଥାନା ମୂଷାପାପୁଲି ଗ୍ରାମର ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଡ଼େରଜାଙ୍ଗ ପ୍ରୋଜେକ୍ଟ ରାସ୍ତାରେ ବୁଧବାର ରାତିରେ ବନ୍ଧୁକ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଓ ଆହତ ଦୁଇ ଭାଇ। ମୃତକ ଦୁଷ୍ମନ୍ତ ସେନାପତି ଓ ଆହତ ଦୁଃଶାସନ ସେନାପତି ବୋଲି ଜଣାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ରାତି ୮ଟାରେ ନିକଟସ୍ଥ ରାମଚନ୍ଦ୍ରପୁର ଗ୍ରାମର ଦୁଃଶାସନ ସେନାପତି ତାଙ୍କର ଓଆର୍‍-୧୯ଡି-୬୧୮୫ ଅଟୋ ଛିଡ଼ା କରି ମୂଷାପାପୁଲି ଗ୍ରାମରୁ ଡ଼େରେଜାଙ୍ଗକୁ ଯାଇଥିବା ରାସ୍ତା ଛକରେ ଛିଡ଼ା ହୋଇଥିଲେ। ସେହି ସମୟରେ ଗୋଟିଏ ମଟରସାଇକଲରେ ଦୁଇଜଣ ଆସି ଅତର୍କିତ ଏକ ଧାରୁଆ ଅସ୍ତ୍ରରେ ଦୁଃଶାସନର ମୁଣ୍ଡ ଓ ହାତକୁ ଆକ୍ରମଣ କରିଥିଲେ। ଦୁଃଶାସନ ଉପରେ ଆକ୍ରମଣ ହେବାର ଦେଖି ପାଖରେ ଥିବା ତାର ଭାଇ ଦୁଷ୍ମନ୍ତ ବିରୋଧ କରିଥିଲା। ଦୁର୍ବୃତ୍ତମାନେ ଦୁଷ୍ମନ୍ତକୁ ମଧ୍ୟ ଆକ୍ରମଣ କରି ମୁହଁ ଓ ହାତରେ ଚୋଟ ମାରିବା ସହ ବନ୍ଧୁକରୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ଦୁଷ୍ମନ୍ତ ଟଳି ପଡ଼ିଥିଲେ। ଦୁଃଶାସନକୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳକୁ ଏସ୍‍ଡିପିଓ ଅଶ୍ୱିନୀ କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସ୍ଥାନୀୟ ଲୋକଙ୍କଠାରୁ ପଚରାଉଚୁରା ପରେ ଜମିବାଡ଼ି ବିବାଦକୁ ନେଇ ତାଙ୍କ ନିଜ ପରିବାର ଭିତରେ ଏଭଳି ହତ୍ୟାକାଣ୍ଡ ହୋଇଥିବାର ପୁଲିସ କହିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଦୁଷ୍ମନ୍ତର ଶବ ଘଟଣାସ୍ଥଳରେ ପଡ଼ି ରହିଥିଲା। ଘଟଣାସ୍ଥଳରୁ ଶବ ଉଠାଇବା ବ୍ୟବସ୍ଥା କରିବା ସହ ଉଭୟଙ୍କ ଗ୍ରାମ ରାମଚନ୍ଦ୍ରପୁରକୁ ଏକ ପୁଲିସ ଟିମ ତଦନ୍ତ ପାଇଁ ଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ମୃତକ ଦେହରେ ଗୁଳି ବାଜିଛି ନା ନାହିଁ ପୁଲିସ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସ୍ପଷ୍ଟ କରିପାରି ନାହିଁ। କେଉଁ ଅସ୍ତ୍ରରେ ଆକ୍ରମଣ ହୋଇଥିଲା ପୁଲିସ ସ୍ପଷ୍ଟ କରିପାରି ନଥିବା ବେଳେ ଭୁଜାଲିରେ ଆକ୍ରମଣ ହୋଇଥିବାର ସ୍ଥାନୀୟ ବାସିନ୍ଦା କହିଛନ୍ତି।

Comments are closed.