ନାବାଳିକା ବଳାତ୍କାରୀକୁ ୭ ବର୍ଷ କାରାଦଣ୍ଡାଦେଶ

0

ଅନୁଗୋଳ : ଅନୁଗୋଳ ସହରର ରାଜକିଶୋରପଡ଼ାରେ ଜଣେ ୧୫ ବର୍ଷୀୟା ନାବାଳିକାକୁ କଳାତ୍କାର କରିବା ଅଭିଯୋଗରେ ମଙ୍ଗଳବାର ସହକାରୀ ଦୌରାଜଜ୍‍ ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‍ ଦଣ୍ଡାଦେଶ ଦେଇଛନ୍ତି।
ଅନୁଗୋଳ ଥାନାରେ ୨୦୦୯ ଜୁନ୍‍ ୩ରେ ହୋଇଥିବା ଅଭିଯୋଗ ମୁତାବକ ରାଜକିଶୋରପଡ଼ାର ଅଞ୍ଜନ ସ୍ୱାଇଁ ଓରଫ ବାପୁ (୩୪) ସେହି ସାହିର ଜଣେ ୧୫ ବର୍ଷୀୟା ନାବାଳିକାକୁ ୨ ମାସ ତଳେ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଦିନ ୧ଟା ବେଳେ ବଳାତ୍କାର କରିଥିଲା। ନାବାଳିକା ଜଣକ ବଳାତ୍କାର ପରେ କାନ୍ଦିବାରୁ ତାକୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା। ଘଟଣା ଘଟିବାର ୬ମାସ ପରେ ପରିବାର ଲୋକ ଜାଣିବାରୁ ସବୁ ସତକଥା ନାବାଳିକା ଜଣକ କହିଥିଲା। ଝିଅଠାରୁ ସମସ୍ତ ଘଟଣା ଶୁଣିବା ପରେ ନାବାଳିକାର ମା’ ଓ ସଂପର୍କୀୟମାନେ ଅଭିଯୁକ୍ତ ଘରକୁ ଯାଇ ବିବାହର ପ୍ରସ୍ତାବ ଦେବା ସହ ଆଲୋଚନା କରିଥିଲେ। ଅଭିଯୁକ୍ତ ଅଞ୍ଜନ ବିବାହ କରିବା ପରିବର୍ତ୍ତେ ସେମାନଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରି ଦେବାର ଧମକ ଦେଇଥିଲା। ସେଠାରୁ ଭୟାର୍ତ୍ତ ଅବସ୍ଥାରେ ଫେରି ନାବାଳିକାର ମା’ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ମୋକଦମା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯିବା ସହ ଉଭୟଙ୍କୁ ଡ଼ାକ୍ତରୀମାଇନା କରାଯାଇ ମାମଲାର ଅନୁସନ୍ଧାନ କରିଥିଲେ। ତଦନ୍ତକାରୀ ପୁଲିସ ଅଧିକାରୀ ଓ ଡ଼ାକ୍ତରଙ୍କୁ ମିଶାଇ ମୋଟ ୧୦ ଜଣଙ୍କ ସାକ୍ଷ୍ୟ କୋର୍ଟରେ ଗ୍ରହଣ କରାଯାଇଥିଲା। ଅଭିଯୁକ୍ତ ଅଞ୍ଜନର ଘର ଢ଼େଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୁଳେଇ ଗ୍ରାମରେ। ସେ ରାଜକିଶୋରପଡ଼ାରେ ରହୁଥିଲା। ଆଜି ସ୍ୱତନ୍ତ୍ର ତ୍ୱରିତ ନ୍ୟାୟାଳୟ ତଥା ସହକାରୀ ଦୌରାଜଜ୍‍ ପ୍ରଣତୀ ପଟ୍ଟନାୟକ ବିଚାର କରି ଅଭିଯୁକ୍ତ ଅଞ୍ଜନକୁ ବଳାତ୍କାର ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ ଭୂତିଆ ମାମଲାକୁ ପରିଚାଳନା କରିଥିଲେ।

Leave A Reply